ଖଦି – ସ୍ଵଦେଶୀ, ସ୍ଵରାଜ ଓ ସ୍ଵାବଲମ୍ବନର ପ୍ରତୀକ

ଓଡ଼ିଶା ଖଦି ମେଳା – ୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର : ସ୍ଥାନୀୟ ଖାରବେଳ ନଗରସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଆଜିଠାରୁ ଓଡ଼ିଶା ଖଦି ମେଳା – ୨୦୨୪ ଆରମ୍ଭ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାନନୀୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମତ୍ସ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, “ଖଦି – ସ୍ଵଦେଶୀ, ସ୍ଵରାଜ ଓ ସ୍ଵାବଲମ୍ବନର ପ୍ରତୀକ । ଦାରିଦ୍ର‌୍ୟ ଦୂରୀକରଣ ଓ ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବାର ଏକ ଅମୋଘ ଅସ୍ତ୍ର । ଏହାର ସଂରକ୍ଷଣ ଓ ବହୁଳ ପ୍ରଚାର ପ୍ରସାର ସହ ଖଦି ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ହେଉଛି ସମୟର ଆହ୍ୱାନ ।” ସପ୍ତାହରେ ଥରଟିଏ ଖଦି ପିନ୍ଧିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ଖଦି ଉତ୍ପାଦକୁ ପ୍ରଦର୍ଶିତ କରିବା ସହ ବୁଣାକାର ବନ୍ଧୁମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ। ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ ୧୦ ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତ୍ୟେକ ଦିନ ଦିବା ୩ ଘଟିକାରୁ ରାତ୍ର ୧୦ ଘଟିକା ମଧ୍ୟରେ ଲୋକମାନେ ମନ ପସନ୍ଦର ସାମଗ୍ରୀ କିଣି ପାରିବେ।

ଖଦି ବସ୍ତ୍ର, ଶାଢି, ଶାଲ, ଜ୍ୟାକେଟ, ଗ୍ରାମୋଦ୍ୟୋଗ ସାମଗ୍ରୀ ଆଦି ବିକ୍ରି ହେବ । ଚଳିତଥର ମୋଟ୍ ୧୦୦ ଟି ଷ୍ଟଲ୍ ଖୋଲାଯାଇଛି । ୩୨ ଗୋଟି ଖଦି, ୬୩ ଗୋଟି ଗ୍ରାମୋଦ୍ୟୋଗ, ୫ ଗୋଟି ଖାଦ୍ୟ ଷ୍ଟଲ ଖୋଲା ଯାଇଛି । ଏହି ଷ୍ଟଲରେ କାରିଗରମାନେ ତାଙ୍କ ହସ୍ତର ନିପୁଣତା ପ୍ରଦର୍ଶନ କରିଛନ୍ତି। ଆମ ରାଜ୍ୟ ସହ ଝାଡ଼ଖଣ୍ଡ, ଜମ୍ମୁ କାଶ୍ମୀର, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଆଦିରୁ ବୁଣାକାରମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହ ଆସିଛନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପାରମ୍ପରିକ ଖାଦ୍ୟ ସହ ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି ଉତ୍ସବରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ବିଭାଗ ପକ୍ଷରୁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଖଦି ବୋର୍ଡ଼ର ସଚିବ ସଞ୍ଜୟ କୁମାର ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.