ଚିଲିକାକୁ ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ

ଭୁବନେଶ୍ଵର: ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟମାନଙ୍କରେ ଦେଖାଯାଇଥାନ୍ତି। ଏହି ଜଳାଶୟକୁ ୨୦୨୪  ନଭେମ୍ବର ୩୦ ସୁଦ୍ଧା ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇସାରିଲାଣି। ତନ୍ମଧ୍ୟରୁ କେବଳ ଚିଲିକା (ନଳବଣ) ଅଭୟାରଣ୍ୟରେ ୨ ଲକ୍ଷ ୧୭ ହଜାର ୧୭୦ ଗୋଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଅଛି। ଏଥୁରୁ ଚଳିତ ବର୍ଷ ବିରଳ ପ୍ରଜାତିର କୌଣସି ସମ୍ପୂର୍ଣ ନୂଆ ପକ୍ଷୀ ଆସିଥିବାର ଦୃଶ୍ୟମାନ ହୋଇନାହିଁ। ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଏହି ଜଳାଶୟମାନଙ୍କରେ ଯଥେଷ୍ଟ ପରିମାଣରେ ଖାଦ୍ୟ ଯଥା ମାଛ, ଗେଣ୍ଡା, କଙ୍କଡା, ଦଳ ଏବଂ କୀଟ ପତଙ୍ଗ ପ୍ରଭୃତି ମିଳିଥାଏ ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି ଯେ ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ ପ୍ରତିବର୍ଷ ଅକ୍ଟୋବର ମାସ ୦୧ ତାରିଖରୁ ମାର୍ଚ୍ଚ ମାସ ୩୧ ତାରିଖ ଯାଏ ୨୧ ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର, ୦୨ ଗୋଟି ଭ୍ରାମ୍ୟମାଣ ଦଳ (ଜଳ ଏବଂ ସ୍ଥଳ) ଗଠନ କରଯାଇ ପ୍ରତି ଶିବିରରେ ୦୩ ଜଣ ସ୍ଥାନୀୟ ଯୁବକ ଏବଂ ଜଣେ ବନପାଳ/ ବନରକ୍ଷୀଙ୍କ ଦ୍ବାରା ଦିବାରାତ୍ର ପ୍ରହରା ଦେଇ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଅଛି। ସେଥ‌ିପାଇଁ ବିଦେଶାଗତ ପକ୍ଷୀମାନେ ଏହି ଜଳାଶୟମାନଙ୍କୁ ଶୀତଋତୁରେ ନିରାପଦ ଆଶ୍ରୟସ୍ଥଳୀ ଭାବରେ ଗ୍ରହଣ କରିଛନ୍ତି।

ଶୀତ ଋତୁର ଆରମ୍ଭରେ ଓଡିଶାର ପ୍ରମୁଖ ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀମାନଙ୍କର ସମାଗମ ଆରମ୍ଭ ହୋଇଥାଏ । ତନ୍ମଧ୍ୟରୁ ବିଶେଷ ଭାବରେ ଚିଲିକା, ଭିତରକନିକା ଏବଂ ହିରାକୁଦ ଜଳ ଭଣ୍ଡାରରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀମାନଙ୍କର ବହୁଳ ସମାଗମ ଦେଖିବାକୁ ମିଳିଥାଏ। ପ୍ରତି ବର୍ଷ ଜାନୁଆରୀ ମାସର ପ୍ରଥମ ପକ୍ଷରେପକ୍ଷୀ ଗଣନା ଜଙ୍ଗଲ ବିଭାଗର ବିଭିନ୍ନ ବନଖଣ୍ଡ ଦ୍ବାରା ସମ୍ପାଦନ କରାଯାଇଥାଏ । ଆସନ୍ତା ଜାନୁଆରୀ ୨୦୨୫ ରେ ହେବାକୁ ଥିବା ପକ୍ଷୀଗଣନାରେ ଓଡିଶାର ବିଭିନ୍ନ ଜଳାଶୟକୁ ଆସୁଥିବା ବିଦେଶାଗତ ପକ୍ଷୀ ମାନଙ୍କର ସଂଖ୍ୟା ଜଣାପଡିବ ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆଜି ବିଧାନସଭା ପ୍ରଶ୍ନୋତ୍ତୋର କାଳରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର  ଓଡ଼ିଶାକୁ ବିଦେଶ ପକ୍ଷୀମାନଙ୍କ ଆଗମନ ନେଇ ପଚାରିଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି।

 

Comments are closed.