ମରଣ ଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା  ରାସ୍ତା, ୨ ବର୍ଷ ହେଲା ସରୁନି ନିର୍ମାଣ କାମ 

ଫୁଲବାଣୀ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳ ମାନଙ୍କରେ  ଯାତାୟାତର ସୁବିଧା ପାଇଁ ରାଜ କୋଷରୁ କୋଟିକୋଟି ଟଙ୍କା ବ୍ୟୟବରାଦ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ପକ୍କା ସଡ଼କ ନିର୍ମାଣ କରିଚାଲିଛନ୍ତି। କିନ୍ତୁ କିଛି ଜାଗାରେ କିଛି ବିଭାଗୀୟ ଅଧିକାରୀ ଏହି ରାସ୍ତା ନିର୍ମାଣ ର ଦାୟିତ୍ୱ ନେଇଥିବା କିଛି ଠିକା ସଂସ୍ଥା ଓ କିଛି ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ପାଇଁ କଉଠି ମଞ୍ଜୁର ହେବା ପରେ ମଧ୍ୟ୍ୟ ବର୍ଷବର୍ଷ ଧରି ରାସ୍ତା କାମ ଆରମ୍ଭ ହୋଇନଥିବା ବେଳେ ଆଉ କିଛି ଜାଗାରେ ରାସ୍ତା ନିର୍ମାଣ କାମ ଅଧାରେ ଅଟକି ରହିଛି । ଯଦ୍ୱାରା ଏହି ରାସ୍ତା ଗୁଡିକ ଉପରେ ଯାତାୟାତ ପାଇଁ ନିର୍ଭର କରୁଥିବା ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଏକ ଅର୍ଦ୍ଧ ନିର୍ମିତ ରାସ୍ତା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଉପାନ୍ତ ଅଞ୍ଚଳ କୁହାଯାଉଥିବା କୁଇରୀମାଣ୍ଡୁ ପଞ୍ଚାୟତରେ।
ସୂଚନା ଅନୁସାରେ ଏହି କୁଇରୀମାଣ୍ଡୁ ପଞ୍ଚାୟତ ବାସୀଙ୍କ ବହୁବାର ଦାବିପରେ ପଞ୍ଚାୟତ ଅଧୀନରେ ଥିବା ପାଦେରୀପଡା ଠାରୁ ସମ୍ବୁଖୁସା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଏହାସହ ଏହି କାମ ପାଇଁ ୨ ବର୍ଷ ହେଲା ଟେଣ୍ଡର ପ୍ରକ୍ରିୟା ସରିସାରିଥିବା ବେଳେ ରାସ୍ତ ନିର୍ମାଣ କାମଟିକୁ ଆରମ୍ଭ ମଧ୍ୟ୍ୟ କରାଯାଇଛି।  କାମଟି ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଥିବା ବେଳେ ୨ ବର୍ଷ ହେଲା ଏହି ରାସ୍ତା କାମଟି ସମୁଦାୟ ଶହେ ଭାଗରୁ କୋଡିଏ ଭାଗ ମଧ୍ୟ୍ୟ ନିର୍ମାଣ ହୋଇପାରିନାହିଁ । ପ୍ରଥମତଃ  ସରକାରୀ ନିୟମ ଅନୁସାରେ ରାସ୍ତା କାମ ଆରମ୍ଭରୁ ରାସ୍ତା କାମରେ ବିବରଣୀ ଥିବା ଫଳକ ଲଗାଯିବ କଥା କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା କାମରେ କୌଣସି ଫଳକ ଲାଗିନାହିଁ।
ଅନ୍ୟପଟେ ୫ କିଲୋମିଟର ଦର୍ଘ୍ୟ ବିଶିଷ୍ଠ ଏହି ରାସ୍ତା   ଦୁଇଟି ଘାଟି ଥିବା ବେଳେ କେବଳ ଘାଟି ଜାଗାରେ ଠିକାଦାର ଜଣକ ରାସ୍ତା କୁ ଖୋଳି ଦେଇ ଚୁପ ହୋଇ ବସିରହିଛନ୍ତି। ଯାହାଫଳରେ ରାସ୍ତା ଟି ବର୍ତ୍ତମାନ ମରଣ ଯନ୍ତାରେ ପରିଣତ ହୋଇଛି। ରାସ୍ତାଟି ଖାଲ ଖମା ରେ ଭର୍ତି ହୋଇଥିବା ବେଳେ ରାସ୍ତା ଖୋଳିବା ପରେ ରାସ୍ତା ଉପରେ ବଡ଼ବଡ଼ ପଥର ସବୁ ପଡିଛି ।ଯାହାଫଳରେ ଏହି ରାସ୍ତାରେ କୌଣସି ଗାଡିତ ଯିବା ଦୂରର କଥା ଚାଲିକି ଯିବା ମଧ୍ୟ୍ୟ କଷ୍ଟ ସାଧ୍ୟ ହୋଇପଡିଛି। ସେପଟେ ରାସ୍ତା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ରାସ୍ତା ଉପରେ ନିର୍ଭର କରି ଯିବାଆସିବା କରିଆସୁଥିବା ଅଞ୍ଚଳ ର ୧0 ରୁ ୧୫ ଟି ଗାଁର ଗ୍ରାମବାସୀ।
ରାସ୍ତା କାମ ଆରମ୍ଭ କରି କେବଳ ରାସ୍ତାକୁ ଜେସିବିରେ ଖୋଳି ଦେଇ ଉଭାନ ହୋଇଯାଇଥିବା ଠିକାଦାର ଓ ରାସ୍ତା କାମ ଦାୟିତ୍ୱରେ ଥିବା ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳର ଜନସାଧାରଣ  ଏହାସହ ବିଭାଗୀୟ ଅବହେଳାକୁ ମଧ୍ୟ୍ୟ ଦାୟୀ କରିଛନ୍ତି। ସେପଟେ ଏହି ରାସ୍ତା କାମ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିନାୟକ ରାଉତଙ୍କୁ ପଚାରିବାରୁ କିଛିଦିନ ହେଲା ଠିକାଦାର ଙ୍କ କିଛି ପାରିବାରିକ ସମସ୍ୟା ରହିଥିବାରୁ କାମଟି ଅଧା ଖଣ୍ଡିଆ ହୋଇ ପଡ଼ିରହିଛି ଓ ଖୁବ ଶୀଘ୍ର କାମଟି ଆରମ୍ଭ କରାଯିବ ବୋଲି କହିଛନ୍ତି।  କାମଟିକୁ ତ୍ୱରାନ୍ୱିତ କରି ଶୀଘ୍ର ସାରିବାକୁ ଦାବି କରିଛନ୍ତି ରାସ୍ତା ଉପରେ ନିର୍ଭର କରୁଥିବା ସମୂହ ଅଞ୍ଚଳବାସୀ।

Comments are closed.