ରାଜ୍ୟସଭା ଉପନିର୍ବାଚନ: ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ, ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସମ୍ଭାବନା
ଭୁବନେଶ୍ବର: ଚଳିତ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟସଭା ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଏକମାତ୍ର ପ୍ରାର୍ଥୀ ରହିଛନ୍ତି ସୁଜିତ କୁମାର। ଆଜି ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନ ପାଇଁ ଆଜି ଥିଲା ଶେଷ ତାରିଖ। ରାଜ୍ୟ ସଭା ଉପନିର୍ବାଚନ ପାଇଁ କୌଣସି ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରାଯାଇନାହିଁ କିମ୍ବା କୌଣସି ପ୍ରାର୍ଥୀ ରାଜ୍ୟସଭା ଉପନିର୍ବାଚନରେ ଅଂଶଗ୍ରହଣ ପାଇଁ ନାମାଙ୍କନପତ୍ର ଦାଖଲ କରିନାହାନ୍ତି ବୋଲି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯାଇଛି। ରାଜ୍ୟସଭା ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିବାରୁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ରହିଛନ୍ତି ଏବଂ ସେ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସମ୍ଭାବନା ରହିଛି। ସୁଜିତ କୁମାରଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ ରାଜ୍ୟସଭା ଉପନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସୁଜିତ କୁମାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ୩୦ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହା ପୂର୍ବରୁ ବିଜେପି ସଂସଦୀୟ ବୋର୍ଡ କମିଟି ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଆଜି ସୁଜିତ କୁମାରଙ୍କ ନାଁରେ ମୋହର ମାରିଥିଲା।
ସୂଚନାଯୋଗ୍ୟ, ସୁଜିତଙ୍କର କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖରେ ଶେଷ ହେବାକୁ ଥିବାବେଳେ ସେ ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ପଦ ତଥା ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ। ପୂର୍ବରୁ ମମତା ମହନ୍ତ ମଧ୍ୟ ବିଜେଡି ଛାଡି ବିଜେପି ଆସିବା ପରେ ଦଳ ତାଙ୍କୁ ପୁଣି ରାଜ୍ୟସଭା ପଠାଇଥିଲା। ସେହି ସମାନ ପନ୍ଥା ଆପଣାଇ ସୁଜିତଙ୍କୁ ପୁଣି ବିଜେପି ରାଜ୍ୟସଭାକୁ ପଠାଉଛି। ତେବେ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବାବେଳେ ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି।
Comments are closed.