କଟକ : ବିଡବ୍ଳ୍ୟୁଏଫ୍ ଓଡ଼ିଶା ମାଷ୍ଟର୍ସ ସୁପର-୧୦୦ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଚଳିତ ଡିସେମ୍ବର ୧୦ରୁ ୧୫ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହରୁ ଷ୍ଟାଡ଼ିୟମରେ ଖେଳାଯିବ। ଏଥିରେ ଭାରତ ସମେତ ଚୀନ, ଜାପାନ, ଡେନମାର୍କ, ବୁଲଗେରିଆ ସମେତ ୩୨ ଟି ଦେଶରୁ ୩୫୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାଗ ନେବେ। ଭାରତୀୟ ଖେଳାଳି ଭାବେ ପ୍ରିୟାଂଶୁ ରାଜୱତ, କିରନ ଜର୍ଜ, ମହିଳା ଖେଳାଳି ଆକର୍ଷି କସ୍ୟପ, ଅଶ୍ୱନୀ ପୋନପ୍ପା ଓ ତନିଷା କେଷ୍ଟୋ, ସୁମିତ େରଡ୍ଡି ଓ ସିକ୍କି ରେଡ୍ଡି ଭଳିି ଉଚ୍ଚ ମାନ୍ୟତା ଖେଳାଳିଙ୍କ ଖେଳ ଦେଖିବାକୁ ମିଳିବ ।
ଓଡ଼ିଶାରୁ ୬ଜଣ ଖେଳାଳି ଅଂଶଗ୍ରହଣ କରିବେ। ମହିଳା ଯୁଗଳରେ ଦୁଇ ଭଉଣୀ ଯୋଡ଼ି ଋତୁପର୍ଣ୍ଣା ପଣ୍ଡା ଓ ଶ୍ବେତପର୍ଣ୍ଣା ପଣ୍ଡା ଓ ପୁରୁଷ ଯୁଗଳରେ ଆୟୁଷ ପଟ୍ଟନାୟକ-ଅଭିଷେକ ମହାନ୍ତି, ଅମ୍ରିତ ମହାନ୍ତି – ଅଭିଜିତ ମହାରଣା ଯୋଡ଼ି ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ମହିଳା ଏକକ,ପୁରୁଷ ଏକକ, ମହିଳା ଯୁଗଳ, ପୁରୁଷ ଯୁଗଳ ଓ ମିଶ୍ରିତ ଯୁଗଳ ବିଭାଗରେ ଖେଳାଯିବ। ୧ ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ଓଡିଶା ସରକାର କ୍ରୀଡା ବିଭାଗ, ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ରାଜ୍ୟ କ୍ରୀଡା ଓ ଯୁବ ବ୍ୟପାର ବିଭାଗ ନିର୍ଦ୍ଦେଶକ ଦିପଙ୍କର ମହାପାତ୍ରଙ୍କ ନେତୃତ୍ୱରେ ହେଉଥିବା ଏହି ପ୍ରତିଯୋଗିତାରେ ସାଂଗଠନିକ ସଭାପତି ଭାବେ ରାଜେଶ ପ୍ରଭାକର ପାଟିଲ, ସାଂଗଠନିକ ସଂପାଦକ ନିଳିନ କୁମାର ଦାୟିତ୍ୱରେ ଅଛନ୍ତି।
ପ୍ରତିଯୋଗିତାକୁ ସଫଳ କରିବା ପାଇଁ ବିଭିନ୍ନ କମିଟିର ଦାୟିତ୍ୱରେ ପ୍ରଦୀପ ପଟ୍ଟନାୟକ, ଶୈଳେନ୍ଦ୍ର ଆଚାର୍ଯ୍ୟ, ମନୋରଞ୍ଜନ ପଣ୍ଡା, କମଲ ଦାଶ, ସୁରେଶ ଚନ୍ଦ୍ର ପଣ୍ଡା, ସୁରୁଲାଲ ମଟାରି, ଦିପକ ମହାନ୍ତି, ଅଜିତ ମହାନ୍ତି, ଜୟପ୍ରକାଶ ସିଂ, ପ୍ରିତପାଲ ସିଂ, ସମିର ଦାଶ, ତାରାକାନ୍ତ ଦାଶ ପ୍ରମୁଖ ଅଛନ୍ତି । ପ୍ରତିଯୋଗିତାରେ ଭାଗ ନେଉଥିବା ଦେଶ ତଥା ଦେଶ ବାହାରୁ ଆସୁଥିବା ଖେଳାଳି ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲରେ ରହିବାର ସହ କଟକକୁ ଆସି ମ୍ୟାଚ ଖେଳିବେ। ସେମାନଙ୍କ ସମସ୍ତ ପ୍ରକାର ରହିବା, ଖାଇବା ତଥା ଗମନା ଗମନ ଯେପରି ସୁବ୍ୟବସ୍ଥିତ ହୋଇପାରିବ; ସେ ଉପରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘ, କ୍ରୀଡା ବିଭାଗ ତଥା ଭାରତୀୟ ବ୍ୟାଡମିଣ୍ଟନ ସଂଘ ସ୍ୱତନ୍ତ୍ର ଧ୍ୟାନଦେବା ଉପରେ ଗୁରୁତ୍ୱ ଦେଉଛି।



