କଟକ ବାଲିଯାତ୍ରା: କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା କମିଶନରେଟ ପୁଲିସ

କଟକ: କଟକ ଐତିହାସିକ ବାଲିଯାତ୍ରାରେ ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ରାତି ୧୦ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ନିର୍ଦେଶ ଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଇଥିଲା।

ପୁଲିସ ଗୀତ ଅଧାରୁ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ପୁଲିସ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ରାତି ୧୦ଟା ବାଜିବାରୁ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଇଥିବା ସୂଚନା ମିଳିଛି। ଅତିରିକ୍ତ ଜିଲାପାଳଙ୍କ ଅନୁରୋଧ ସତ୍ତ୍ବେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ଅତିରିକ୍ତ ଜିଲାପାଳ ଶିବା ଟପ୍ପୋ କହିଛନ୍ତି ଯେ କଟକ ବାଲିଯାତ୍ରାରେ ନିୟମାନୁସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ପୁଲିସ ପକ୍ଷରୁ ନିୟମାନୁସାରେ ପଦକ୍ଷେପ ନିଆଯାଇଛି।

ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏକ ଘଣ୍ଟାର କାର୍ଯ୍ୟକ୍ରମ ଥିଲା ଏବଂ ଏହା ବିଳମ୍ବରେ ଆରମ୍ଭ ହୋଇଥିଲା। ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଦର୍ଶକ ନିରାଶ ହୋଇ ଫେରିଯାଇଥିଲେ। କିଛି ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତି ୧୨ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରିବାକୁ ରାଜ୍ୟ ସରକାର ଅନୁମତି ଦେବା ଉଚିତ ବୋଲି ପ୍ରକାଶ କରିଥିଲେ। ଏ ଦିଗରେ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

Comments are closed.