ବିଲୁପ୍ତିରେ ଦ୍ୱାରଦେଶରେ ଟାଙ୍ଗର ଯୋର୍ – ଜଳସମ୍ପଦ ବିଭାଗର ଦୃଷ୍ଟି ପଡୁ

ରେଙ୍ଗାଲି: ସରକାର ପ୍ରାକୃତିକ ଏବଂ ପାରମ୍ପରିକ ଜଳ ଉତ୍ସ ଗୁଡିକର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ଜୋରଦାର ପ୍ରଚାରପ୍ରସାର ହେଉଛି। ବର୍ଷାଜଳ ସଂରକ୍ଷଣ ପାଇଁ ଯୋଜନା ବି କାର୍ଯ୍ୟକାରୀ ହେଉଥିବା ନେଇ ଗଣମାଧ୍ୟମଗୁଡିକରେ ଚର୍ଚ୍ଚା ହେଉଛି। ତେବେ ବାସ୍ତବ କ୍ଷେତ୍ରରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି।

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ଜମନକିରା ବ୍ଲକର ଅନ୍ୟତମ ଜୀବନଧାରା ଟାଙ୍ଗର ଯୋର୍ ଏହାର ଜ୍ୱଳନ୍ତ ଉଦାହରଣ ଅଟେ।

ସମ୍ବଲପୁର ଜିଲ୍ଲାର ଆଖଡାଦାଣ୍ଡ ଜଙ୍ଗଲରୁ ବାହାରି ଥିବା “ଟାଙ୍ଗର ଯୋର” ଭେଡେନ ନଦୀର ଏକ ମୁଖ୍ୟ ସହଯୋଗୀ ନାଲା ତଥା ଉପନଦୀ। ରେଙ୍ଗାଲିବ୍ଲକର ରେଙ୍ଗଲୋଇ, ଲଇଡା ଏବଂ ଜମନକିରା ବ୍ଲକର ମହଦା ଗ୍ରାମ ପଞ୍ଚାୟତ ଓ ଝାରସୁଗୁଡା ଜିଲ୍ଲାର କୋଲାବିରା ବ୍ଲକ ସୋଢାମାଲ ପଞ୍ଚାୟତର ଚାଷୀ ଓ ଜୀବଜନ୍ତୁଙ୍କ ଏକଦା  ଚିରସ୍ରୋତା ଟାଙ୍ଗରଯୋର ଜୀବନ ଧାରା ଅଟେ। ତେବେ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁଁ ଟାଙ୍ଗର ଯୋର ପୋତି ହୋଇ ମାଟିରେ ମିଶି ବିଲୁପ୍ତ ହେବା ପ୍ରକ୍ରିୟାରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଯୋରର ଗର୍ଭ ଅନାବନା ଘାସ ଓ ଅମରି ଆଦି ବିଭିନ୍ନ ପ୍ରକାର ଗଛରେ ପରିପୂର୍ଣ୍ଣ ହୋଇ ଅରମା ଜଙ୍ଗଲରେ ପରିଣତ ହେଲାଣି। ଯୋରରେ ପ୍ରାୟ ସମସ୍ତ ଥିବା ଦରହ ଗୁଡିକ ବିଲୁପ୍ତର ଦ୍ବାର ଦେଶରେ ଉପନୀତ। ଦ୍ରୁତ ଗତିରେ ମୃତ୍ତିକା କ୍ଷୟ ଫଳରେ ଟାଙ୍ଗର ଯୋର ସମତଳ ଭୂମିରେ ପରିଣତ ହେବାକୁ ବସିଲାଣି।

ଦିନଥିଲା ଚିରସ୍ରୋତା ଟାଙ୍ଗରଯୋରର ପାଣି ଚାଷୀ ମାନଙ୍କୁ ମରୁଡିରୁ ରକ୍ଷା କରିବା ସହିତ ଖରାଟିଆ ଚାଷରେ ସହାୟକ ହେଉଥିଲା। କିନ୍ତୁ ଏବେ ଟାଙ୍ଗର ଯୋର୍ ଅତି କ୍ଷୀଣ ଜଳଧାରରେ ପ୍ରବାହିତ ହୋଇ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି। ଗ୍ରୀଷ୍ମ ୠତୁରେ ଜଳଧାର ଶୁଷ୍କ। ଜମନକିରା ବ୍ଲକର ଗଙ୍ଗାଡିହି, ପଦୁଗୁଡା, କରଡାଖମନ। ରେଙ୍ଗାଲିବ୍ଲକର ମହାପତ୍ରା, ପାହାଡପାଲି, ଅଳକିଟିକିରା, ରେଙ୍ଗଲୋଇ, ନୁଆପାଲି, ରଙ୍ଗଟିକିରା, ଲଇଡା, ବିନ୍ଦୁଡିହି, କୋଲାବିରା ବ୍ଲକ ସୋଢାମାଲ ପଞ୍ଚାୟତର କୁକିଆଡେରା, ଅମନାପାଲି ଆଦି ଗ୍ରାମର ଜୀବନ ରେଖା କୁହାଯାଉଥିବା  ଟାଙ୍ଗର ଯୋରର ପୁନରୁଦ୍ଧାର ନିତାନ୍ତ ଜରୁରୀ ହୋଇ ପଡିଛି। ଅନ୍ୟଥା ଟାଙ୍ଗର ଯୋର ଅତୀତର ସ୍ମୃତି ହୋଇ ଇତିହାସ ପାଲଟିବା ସୁନିଶ୍ଚିତ।  ଜଳ ସମ୍ପଦ ବିଭାଗ ଏଦିଗରେ ଦୃଷ୍ଟିଦେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି।

Comments are closed.