୭୦୦ କିଲୋଗ୍ରାମରୁ ଅଧିକ ନିଷିଦ୍ଧ ମେଥାମ୍ଫେଟାମିନ ଜବତ, ସୁରକ୍ଷା ସଂସ୍ଥାଗୁଡ଼ିକୁ ଅଭିନନ୍ଦନ ଜଣାଇଲେ ଅମିତ ଶାହା

ଡେସ୍କ: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁଜୁରାଟରେ ଏକ ଅନ୍ତର୍ଜାତୀୟ ନିଶା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ଏବଂ ୭୦୦ କିଲୋଗ୍ରାମ ନିଶାଦ୍ରବ୍ୟ ମେଥାମ୍ଫେଟାମିନ ଜବତ କରିଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ଶାହା ଏକ ପୋଷ୍ଟରେ କହିଛନ୍ତି ଯେ ନିଶାମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଅନୁସରଣ କରି ଆମ ଏଜେନ୍ସିମାନେ ଆଜି ଗୁଜରାଟରେ ଏକ ଅନ୍ତର୍ଜାତୀୟ ନିଶା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛନ୍ତି ଏବଂ ପାଖାପାଖି ୭୦୦ କିଲୋଗ୍ରାମ ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛନ୍ତି। ଏନସିବି, ଭାରତୀୟ ନୌସେନା ଏବଂ ଗୁଜରାଟ ପୋଲିସ ଦ୍ୱାରା କରାଯାଇଥିବା ମିଳିତ ଅପରେସନ ଏହି ଲକ୍ଷ୍ୟ ପ୍ରତି ଆମର ପ୍ରତିବଦ୍ଧତା ଏବଂ ଏହାକୁ ହାସଲ କରିବାରେ ଆମ ଏଜେନ୍ସିମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟର ଏକ ଉତ୍କୃଷ୍ଟ ଉଦାହରଣ ଭାବରେ ଉଭା ହୋଇଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ଭାରତୀୟ ନୌସେନା ଏବଂ ଏଟିଏସ ଗୁଜରାଟ ପୋଲିସର ମିଳିତ ଅପରେସନରେ ପ୍ରାୟ ୭୦୦ କିଲୋଗ୍ରାମର ମେଥାମ୍ଫେଟାମିନର ସାମଗ୍ରୀ ନେଇ ଆସିଥିବା ଏକ ଜାହାଜକୁ ଭାରତର ଜଳସୀମାରେ ଅଟକ ରଖାଯାଇଛି। ଜାହାଜରୁ ମିଳିଥିବା ୮ ଜଣ ବିଦେଶୀ ନାଗରିକ ବିନା କୌଣସି ପରିଚୟ ପତ୍ରରେ ନିଜକୁ ଇରାନୀ ବୋଲି ଦାବି କରିଛନ୍ତି।

ଗୁଇନ୍ଦା ସୂଚନା ଆଧାରରେ “ସାଗର-ମନ୍ଥନ-୪” ନାମକ ଅପରେସନ୍ କୋଡ୍ ଆରମ୍ଭ କରାଯାଇଥିଲା ଏବଂ ଭାରତୀୟ ନୌସେନା ଏହାର ମିଶନ ନିୟୋଜିତ ସାମୁଦ୍ରିକ ପାଟ୍ରୋଲିଂ ସମ୍ପତ୍ତିକୁ ଏକତ୍ରିତ କରି ଜାହାଜକୁ ଚିହ୍ନଟ କରିଥିଲା ଏବଂ ଏଥିରେ ସାମିଲ କରାଯାଇଥିଲା। ବେଆଇନ ଡ୍ରଗ୍ସ ଚୋରା ଚାଲାଣ ଯୋଗୁଁ ଜାତୀୟ ନିରାପତ୍ତା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା କରିବା ପାଇଁ ଏନସିବି ମୁଖ୍ୟାଳୟର ଅପରେସନ ଶାଖାର ଅଧିକାରୀ ଏବଂ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏଟିଏସ ଗୁଜରାଟ ପୋଲିସର ଅପରେସନ/ ଇଣ୍ଟେଲିଜେନ୍ସ ୱିଙ୍ଗର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ଏନସିବି ପକ୍ଷରୁ ଚଳିତ ବର୍ଷ ପ୍ରାରମ୍ଭରେ ଅପରେସନ “ସାଗର-ମନ୍ଥନ” ଆରମ୍ଭ କରାଯାଇଥିଲା। ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ସହ ସମନ୍ୱୟ ରକ୍ଷା କରି ଏନସିବି ପକ୍ଷରୁ ଏଭଳି ଏକାଧିକ ସାମୁଦ୍ରିକ ଅଭିଯାନ ଆରମ୍ଭ କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ହଜାର ୪୦୦ କିଲୋଗ୍ରାମର ବିଭିନ୍ନ ନାର୍କୋଟିକ୍ ଡ୍ରଗ୍ସ ଜବତ କରାଯାଇଛି ଏବଂ ୩ଟି ମାମଲାରେ ୧୧ ଜଣ ଇରାନୀ ନାଗରିକ ଏବଂ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି, ଯେଉଁମାନେ ସମସ୍ତେ ବିଚାର ଅପେକ୍ଷାରେ ଜେଲରେ ଅଛନ୍ତି।

Comments are closed.