ଓଡ଼ିଆ ଭାଷାକୁ ଅବହେଳା, ଇଂରାଜୀରେ ନାମଫଳକ
ଯିଏ ଲେଖୁ ନାହାନ୍ତି ତାଙ୍କୁ ବାଧ୍ୟ କରିବୁ। ଆବଶ୍ୟକ ହେଲେ ଦଣ୍ଡବିଧାନ ବି କରାଯିବ-ବିଏମ୍ସି ଅତିରିକ୍ତ ଆୟୁକ୍ତ
ଭୁବନେଶ୍ୱର : ମାତୃଭାଷା ଓଡ଼ିଆକୁ ସମୃଦ୍ଧ କରାଇବା ପାଇଁ ପୂର୍ବ ସରକାର ସମଯରେ ଓଡ଼ିଆ ନାମ ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ଏବେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । କେଉଁଠି ଓଡ଼ିଆ ଭାଷାକୁ ବିକୃତ ଭାବେ ଲେଖାଯାଇଛି ତ ଆଉ କେଉଁଠି ଇଂରାଜୀ କିମ୍ବା ଅନ୍ୟ ଭାଷାରେ ଲେଖାଯାଇଥିବା ଦେଖିବାକୁ ମିଳିଛି। ପ୍ରକାଶଯୋଗ୍ୟ, ୨୦୧୮ ଅଗଷ୍ଟରେ କ୍ୟାବିନେଟ୍ରେ ସ୍ବତନ୍ତ୍ର ଭାବେ ଏ ସଂକ୍ରାନ୍ତରେ ବିଲ୍ ପାସ୍ କରାଯାଇ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ପାଇଁ ଦର୍ଶା ଯାଇଥିଲା।
୨୦୨୨ ଏପ୍ରିଲ୍ରେ ମଧ୍ଯ ସଚିବାଳୟରେ ବୈଠକ ହୋଇ ସମସ୍ତ ସରକାରୀ, ବେସରକାରୀ ସଂସ୍ଥାଗୁଡ଼ିକ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା। ଏପରିକି ଉନ୍ନୟନ ଆୟୁକ୍ତଙ୍କ ଅଧ୍ଯକ୍ଷତାରେ ସ୍ବତନ୍ତ୍ର ବୈଠକ କରାଯାଇ ଏହା ସ୍ଥିରୀକୃତ ହୋଇ ବିଭିନ୍ନ ବିଭାଗକୁ ନିର୍ଦେଶ ଦିଆଯାଇ ଥିଲା। ୧୫ ଦିନ ସମୟ ଦିଆଯାଇ ସହରାଞ୍ଚଳରେ ଥିବା ପ୍ରତ୍ୟେକ ସରକାରୀ ସଂସ୍ଥା, ଅନୁଷ୍ଠାନ, ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ, ଦୋକାନ ଓ ସଫି ମଲ୍ ଆଦିରେ ଓଡ଼ିଆ ଭାଷାରେ ନାମଫଳକ ସ୍ପଷ୍ଟ ଭାବେ ଲେଖିବା ପାଇଁ ସରକାର ସ୍ବତନ୍ତ୍ର ନିର୍ଦେଶ ଦେଇଥିଲେ।
ଏହି ନିର୍ଦେଶକୁ ଇତିମଧ୍ୟରେ ୬ ବର୍ଷ ପୂରିଗଲାଣି। ଏହା ପାଳନ ହେବାରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି। ଏବେବି ଅନେକ ସ୍ଥାନରେ ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ନାମ ଫଳକ ଝୁଲୁଛି। ଭୁବନେଶ୍ଵର ପ୍ରବେଶ ପଥରେ ଥିବା ପାହାଳ, ପଳାଶୁଣି, ରସୁଲଗଡ଼ ଛକ ଉପରେ ରହିଛି ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ ଓ ବ୍ୟାଙ୍କ ରହିଛି। ସେଠାରେ ଇଂରାଜୀରେ ଲେଖା ରହିଛି। ସେହିପରି ଛକ ଉପରେ କିଛି ହୋଟେଲ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଳ୍ପାଞ୍ଚଳରେ ସ୍ଥାପିତ ହୋଇଥିବା ସଂସ୍ଥାର ବୋର୍ଡଗୁଡ଼ିକ ମଧ୍ୟ ଇଂରାଜୀରେ ଲେଖାଯାଇଛି। ଏବେବି ସରକାରୀ ନିର୍ଦେଶ କେବଳ ଫାଇଲ୍ ଭିତରେ ନାମ ଫଳକ ଲେଖା ହେଉଛି। ରହିଯାଇଥିବା ଅନୁମାନ କରାଯାଉଛି।
ଏ ସଂକ୍ରାନ୍ତରେ କିଛି ସଚେତନ ନାଗରିକ କହିଛନ୍ତି, କେବଳ ଦଣ୍ଡବିଧାନ କିମ୍ବା ଆଇନ ପ୍ରଣୟନ ହେଲେ ହେବ ନାହିଁ, ଏଥିପାଇଁ ସଚେତନତା ଆବଶ୍ୟକ। ସରକାରଙ୍କ ଘୋଷଣା ସାକାର କରିବା ପାଇଁ ଆନ୍ତରିକତାର ସହ ବିଭିନ୍ନ ବିଭାଗର ଅଧିକାରୀ କାର୍ଯ୍ୟ କଲେ ଏହା ନିଶ୍ଚୟ ସଫଳ ହେବ ଏଥିରେ ଦ୍ବିମତ ନାହିଁ।
ଏ ସଂକ୍ରାନ୍ତରେ ବିଏମ୍ସି ଅତିରିକ୍ତ ଆୟୁକ୍ତ ଘାସିରାମ ମୁର୍ମୁ କହିଛନ୍ତି, ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ବତନ୍ତ୍ର ସ୍କ୍ୱାଡ଼ ଗଠନ କରିଛନ୍ତି। ବିଭିନ୍ନ ବିଭାଗ ମଧ୍ଯ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ବହୁ ସଂଖ୍ୟାରେ ଓଡ଼ିଆରେ ନାମ ଫଳକ ଲେଖା ହେଉଛି। ଯିଏ ଲେଖୁ ନାହାନ୍ତି ତାଙ୍କୁ ବାଧ୍ୟ କରିବୁ। ଆବଶ୍ୟକ ହେଲେ ଦଣ୍ଡବିଧାନ ବି କରାଯିବ।
Comments are closed.