ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ଅବଦାନକୁ କେବେ ଭୁଲିବ ନାହିଁ ଦେଶ – ମୁଖ୍ୟମନ୍ତ୍ରୀ

ଡେସ୍କ: ଭୁବନେଶ୍ବରରେ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ମାନଙ୍କ ବିକାଶ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା। ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ। ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ଆମ ଜନଜାତି ସମ୍ପ୍ରଦାୟଙ୍କ ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବାର ଦିବସ। ଏହି ଅବସରରେ ସେ ମହାନ୍ ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାୟକ, ରତ୍ନା ନାୟକ, ଚକରା ବିଷୋଇ, ଦୋରା ବିଷୋଇ, ରେଣ୍ଡୋ ମାଝୀଙ୍କ ପରି ଦେଶ ଭକ୍ତଙ୍କ ବଳୀଦାନ ଓ ତ୍ୟାଗକୁ ମଧ୍ୟ ସ୍ମରଣ କରିଥିଲେ। ଏହି ମହାନ୍ ସଂଗ୍ରାମୀ ମାନେ ଆମ ଦେଶର ଇତିହାସ ଓ ସଂସ୍କୃତିକୁ ନୂତନ ରୂପ ଦେବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ବୋଲି ସେ କହିଥିଲେ।

ଧର୍‌ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧୀନରେ ଓଡିଶାର ୨୭ଟି ଜିଲ୍ଲାର ୭ ହଜାର ୬୬୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଅଭିଯାନର ସଫଳ ରୂପାୟନ ପାଇଁ ଆମେ ସକ୍ରିୟଭାବେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏଥିରେ ୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲକୁ ଉନ୍ନୀତ କରାଯିବ। ପ୍ରତ୍ୟେକ ସ୍କୁଲ ପିଛା ୧୫କୋଟି ଟଙ୍କା ଭାବରେ ସମୁଦାୟ ୨୪୦ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୧୩ଟି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍କୁଲ ପିଛା ୨୨ କୋଟି ଟଙ୍କା ହିସାବରେ ୨୮୬ କୋଟି ଟଙ୍କା ବିନିଯୋଗ ହେବ। ୪୨୬ଟି ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ନିର୍ମାଣ ପାଇଁ ୮୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଭୁବନେଶ୍ବରର ଗୋଠପାଟଣା ଠାରେ ଜନଜାତି ସଂସ୍କୃତି ଓ ଐତିହ୍ୟ ଭବନ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଗୋଠପାଟଣା ଠାରେ ଜନଜାତି ଭାଷା ପ୍ରତିଷ୍ଠାନ ନିର୍ମାଣ ପାଇଁ ୫୦ କୋଟି ଟଙ୍କା ଓ ଜନଜାତି ଅସ୍ମିତା ଭବନ ନିର୍ମାଣ ପାଇଁ ୪ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୫ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ୩ କୋଟି ଟଙ୍କା ବିନିଯୋଗ କରାଯିବ।

Comments are closed.