ପୋଖରୀରୁ ଡଙ୍ଗା ଉଠାଇବାକୁ ଯାଇ ବୁଡିଗଲେ ୨ ଶିଶୁ କନ୍ୟା

ଅମର୍ଦ୍ଦାରୋଡ଼: ପବିତ୍ର ରାହାସ ପୂର୍ଣ୍ଣମୀ ଅବସରରେ ଗ୍ରାମଠାରୁ ସହର ସବୁଠି ଚଳଚଞ୍ଚଳ ଥିବାବେଳେ ବାଲେଶ୍ଵର ଜିଲା ବସ୍ତା ଥାନା ଅଧୀନସ୍ଥ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ପଣିସାପଡ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ପୋଖରୀରୁ ଡଙ୍ଗା ଉଠାଇବାକୁ ଯାଇ ପାଣିରେ ବୁଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ପଣିସାପଡା ଗ୍ରାମର ମହେଶ୍ବର ଦାସଙ୍କ ନାତୁଣୀ ଦିବ୍ୟାଂଶୀ(୩) ଏବଂ ମାନସ ନନ୍ଦଙ୍କ ଝିଅ ଦେବଶ୍ବିନୀ(୩) ଦୁହେଁ ଘର ପାଖ ବାଡ଼ିରେ ଖେଳୁଥିବାବେଳେ ପାଖ ପୋଖରୀରେ ଡ଼ଙ୍ଗା ଭାସୁଥିବା ଦେଖି ପରିବାର ଲୋକଙ୍କ ଅଜାଣତରେ ପୋଖରୀରୁ ଯାଇ ଡ଼ଙ୍ଗା ଉଠାଇବାକୁ ଲାଗିଥିଲେ।

ଅସାବଧାନତା ବସତଃ ଗୋଡ଼ ଖସିଯିବାରୁ ପୋଖରୀର ଅକାତ ପାଣିରେ ଦୁହେଁ ବୁଡି ଯାଇଥିଲେ।ବହୁ ସମୟ ପର୍ଯ୍ୟନ୍ତ ସେମାନେ ନମିଳିବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିଥିଲେ।ତେବେ ଦୁଇଜଣ ପିଲାଙ୍କୁ ପାଣିରେ ଭାସୁଥିବା କିଛି ଲୋକ ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଦିବ୍ୟାଂଶିକୁ ବସ୍ତା ହସ୍ପିଟାଲକୁ ନିଆଯାଇଥିବାବେଳେ ଗେହ୍ଲୁଙ୍କୁ ପ୍ରଥମେ ଗାଁ ଅମର୍ଦ୍ଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡ଼ାକ୍ତର ଦୁହିଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ଲାଗି ରାସଗୋବିନ୍ଦପୁର ପୁଲିସ ବସ୍ତା ପୁଲିସ ସହ ଯୋଗାଯୋଗ କରି ଗହ୍ଲୁଙ୍କ ମୃତଦେହ ବସ୍ତା ହସ୍ପିଟାଲକୁ ପଠାଇଛି। ମାତ୍ର ବିଳମ୍ବ ହେବାରୁ ମୃତଦେହ ଆସନ୍ତାକାଲି ବ୍ୟବଚ୍ଛେଦ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଥିବାବେଳେ ୪୨/୨୪ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଦିବ୍ୟାଂଶିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାହା ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିବା ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ସୂଚନା ଦେଇଛନ୍ତି। ତେବେ ଆଜି ଭଳି ଦିନରେ ଗ୍ରାମରେ ଦୁଇ ଦୁଇଟି ଶିଶୁକନ୍ୟର ଏଭଳି ଆକସ୍ମିକ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comments are closed.