ସାଂସଦଙ୍କ ଭୋଜିରେ ଛେଳି ମାଂସକୁ ନେଇ ଖଣ୍ଡଯୁଦ୍ଧ

ସମାଜ ଡିଜିଟାଲ ଡେସ୍କ: ଭୋଜିରେ ଛେଳି ମାସଂକୁ ନେଇ ଘଟିଛି ଖଣ୍ଡଯୁଦ୍ଧ। ଦଳୀୟ କର୍ମୀଙ୍କ ଭିତରେ ହୋଇଛି ମାରପିଟ ଏବଂ ଭଙ୍ଗାରୁଜା। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଭଦୋହୀ ସାଂସଦ ବିନୋଦ ବିନ୍ଦଙ୍କ ମିର୍ଜାପୁରସ୍ଥିତ କାର୍ଯ୍ୟାଳୟରେ ଗୁରୁବାର ରାତିରେ ଏକ ଭୋଜି ଆୟୋଜିତ ହୋଇଥିଲା। ଏଥିରେ ଆଖପାଖ ଗାଁରୁ ୨୫୦ରୁ ଅଧିକ ଲୋକ ଯୋଗଦେଇଥିଲେ। ସବୁକିଛି ଠିକ୍ ଠାକ୍ ଚାଲିଥିଲା। ଲୋକେ ଭୋଜିର ମଜା ନେଉଥିଲେ। କିନ୍ତୁ ହଠାତ୍‌ ମାହୋଲ ବଦଳି ଯାଇଥିଲା। ପରସ୍ପର ଭିତରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା। କାରଣ ଥିଲା ଛେଳି ମାଂସ।

ଭୋଜି ଖାଉଥିବା ସମୟରେ ସାଂସଦଙ୍କ ଡ୍ରାଇଭରଙ୍କ ଭାଇ ଭୋଜି ଖାଉଥିବା ଜଣେ ଯୁବକଙ୍କୁ ଛେଳି ମାଂସ ବଦଳରେ କେବଳ ମସଲା ଦେଇଦେଇଥିଲେ। ବାସ୍‌ ଏତିକିରେ ଯୁବକ ଜଣକ ଚିହିଁକି ଉଠିଥିଲେ। ଖାଦ୍ୟ ପରସୁଥିବା ସାଂସଦଙ୍କ ଡ୍ରାଇଭରଙ୍କ ଭାଇକୁ ଗାଳିଗୁଲଜ କରିଥିଲେ। ସେ ବିରୋଧ କରିବାରୁ ଯୁବକ ଜଣକ ତାଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ଭୋଜି ସ୍ଥଳ ସଙ୍ଗେ ସ​‌ଙ୍ଗେ ରଣକ୍ଷେତ୍ର ପାଲଟି ଯାଇଥିଲା। ଆଉ କିଛି ଲୋକ ନିଜ ଭୋଜି ଥାଳି ଧରି ସେଠାରୁ ଦୌଡ଼ି ପଳାଉଥିବା ଦେଖାଯାଇଥିଲା। ବହୁ ସମୟ ପରେ ସାଂସଦ ଏବଂ ଅନ୍ୟ କର୍ମକର୍ତ୍ତାମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Comments are closed.