ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ
ସମ୍ବଲପୁର: ଗତ ୧ ତାରିଖ ଦୀପାବଳି ବିଳମ୍ବିତ ରାତ୍ରିରେ କ୍ଷେତରାଜପୁର ଥାନା ଅନ୍ତର୍ଗତ ମୁଙ୍ଗାପଡା ବିହାରିପଡାଠାରେ ବାଣ ଫୁଟାକୁ କେନ୍ଦ୍ର କରି ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଗୁରୁତର ଆହତ ବାଦଲ ତାଣ୍ଡି ନାମକ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଅଞ୍ଚଳବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଥଇଥାନ ଓ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦାବିରେ ରାସ୍ତା ଅବରୋଧ କରିଛନ୍ତି।
ଶୁକ୍ରବାର ମଧ୍ୟାହ୍ନରେ ବୁର୍ଲାଠାରେ ସଂରକ୍ଷିତ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ଅଞ୍ଚଳକୁ ଆସିଥିଲା। ଉତ୍ତେଜିତ ଲୋକେ କ୍ଷେତରାଜପୁର ଧର୍ମଶାଳା ସମ୍ମୁଖରେ ମୁଖ୍ୟ ରାସ୍ତାକୁ ବନ୍ଦ କରି ଦେଇ କ୍ଷତିପୂରଣ ଦାବି କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ଯୋଗୁ ବ୍ୟବସାୟୀମାନେ ଭୟରେ ସମସ୍ତ ଦୋକାନ ବଜାର ବନ୍ଦ କରିଦେଇଥିଲେ। ଅପରାହ୍ନ ପ୍ରାୟ ୪ଟାରୁ ଅଞ୍ଚଳବାସୀ ମୃତଦେହକୁ ରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ । ସେମାନେ ୧ କୋଟି ଟଙ୍କା କ୍ଷତିପୂରଣ, ପରିବାରକୁ ଥଇଥାନ ଓ ଦୋଷୀଙ୍କୁ ଦଣ୍ଡ ଦାବି କରିଥିଲେ। ବହୁ ବୁଝାଶୁଝା ପରେ ମଧ୍ୟ ଦାବି ପୂରଣ ନ ହେବା ଏବଂ ଜିଲାପାଳଙ୍କ ସହିତ ଆଲୋଚନା ନ ହେଲେ ହଟିବେ ନାହିଁ ବୋଲି ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଉପଜିଲାପାଳ ପୁଷ୍ପାଞ୍ଜଳି ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପତ୍ନୀ ଓ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା ପରେ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧରୁ ହଟି ମୃତକଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନେଇଥିଲେ।
ମୃତକଙ୍କ ସମ୍ପର୍କୀୟ ଅନନ୍ତ ତାଣ୍ଡି କହିଛନ୍ତି ଯେ, ବିଗତ ଦୀପାବଳିରେ ହୋଇଥିବା ଘଟଣାରେ ପୁତୁରା ବାଦଲଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆମକୁ ନ୍ୟାୟ ଦିଆଯାଉ । ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଉ । ତାଙ୍କର ୨ଟି ଛୋଟ ପୁତ୍ର ଓ ଝିଅ ସହିତ ଛୋଟ ଭାଇ ଓ ପତ୍ନୀ ଅଛନ୍ତି । ମୃତକଙ୍କ ମା’ ଓ ବାପା ମଧ୍ୟ ନାହାନ୍ତି । ଏଣୁ ପରିବାର ଭରଣ ପୋଷଣ ପାଇଁ ସରକାରୀ ସାହାଯ୍ୟ ଦିଆଯାଉ। ପରିବାର ଚଳାଇବା ପାଇଁ ତାଙ୍କ ପତ୍ନୀଙ୍କୁ କିଛି ଚାକିରି ସୁବିଧା କରାଯାଉ। ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ। ଫେରାର ଅଭିଯୁକ୍ତମାନଙ୍କୁ ଶିଘ୍ର ଗିରଫ କରାଯାଉ ।
ଏ ସମ୍ପର୍କରେ ଅତିରିକ୍ତ ପୁଲିସ ଆରକ୍ଷୀ ଅଧୀକ୍ଷକ ହରେଶ ପାଣ୍ଡେ କହିଛନ୍ତି ଯେ, ଛୁଆମାନଙ୍କୁ ପାଠପଢ଼ା ଓ ଲାଲନପାଳ ଓ ପରିବାର ଭରଣ ପୋଷଣ ସହିତ ଅନ୍ୟାନ୍ୟ ଦାବି ରହିଥିଲା। ଏଥି ପାଇଁ ଆଇନ ଅନୁଯାୟୀ ଉପଜିଲାପାଳ ମାସକୁ ୪ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯାହା ଦ୍ୱାରା ସେମାନଙ୍କର ପାଠପଢ଼ା ଓ ଭରଣପୋଷଣ କରାଯାଇ ପାରିବ। ପୁଲିସ ତରଫରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ଏହି ମାମଲାଟି ଅତ୍ୟାଚାର ଓ ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଛି । ନିୟମ ଅନୁଯାୟୀ, ସମୁଦାୟ ୮ ଲକ୍ଷ ଟଙ୍କାର କ୍ଷତିପୁରଣ ମୃତକଙ୍କ ପରିବାର ପାଇବେ।
Comments are closed.