ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ଓ ଦେବଗିରିରେ ଭକ୍ତଙ୍କ ଭିଡ଼
କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ସମିତି ସଦରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଓ ଦୁଇ କିମି ଦୂରରେ ଥିବା ଦେବଗିରି ପାହାଡ଼ରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ପବିତ୍ର କାର୍ତ୍ତିକ ମାସ ଗୁରୁବାର ସନ୍ଧ୍ୟାରେ ପ୍ରିୟଦର୍ଶିନୀ କ୍ଳବ ଠାରେ ୧୦୦୧ ଦୀପ ଯଜ୍ଞ କରିବା ପରେ ଚାରି ପ୍ରହରୀ ନାମ ଯଜ୍ଞ ହୋଇଥିଲା । ପାହାନ୍ତାରେ ଭକ୍ତମାନେ ନାଗାବଳୀ ଓ କଲ୍ୟାଣି ନଦୀରେ ସ୍ନାନ ସାରି କଦଳୀ ପଟୁଆରେ ଡଙ୍ଗା କରି ରୀତିନୀତି ଅନୁଯାୟୀ ପୂଜା କରିବା ପରେ ଭସାଇଥିଲେ । ସକାଳୁ ନାମ ଯଜ୍ଞ ସମାପ୍ତ କରି ଦଧି ହାଣ୍ଡି ନଗର ପରିକ୍ରମା କରି ଭାଙ୍ଗିଥିଲେ । ଭକ୍ତମାନେ ସକାଳୁ ଶ୍ରୀ ଜଗନ୍ନାଥ ମନ୍ଦିର ପରେ ଦେବଗିରି ପାହାଡ଼କୁ ଯାଇ ଶିଵ ଦର୍ଶନ କରିଥିଲେ । ଏହି କାର୍ତ୍ତିକମାସର ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ଓ ବ୍ଲକରେ ଥିବା ସମସ୍ତ ଶିଵ ମନ୍ଦିରରେ ଭକ୍ତଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମର ବିଭିନ୍ନ ସ୍ଥାନରେ ନାମ ଯଜ୍ଞ କରାଯାଉଥିବାବେଳେ କୁମ୍ଭାର ସମ୍ପ୍ରଦାୟର ଲୋକମାନେ କାର୍ତ୍ତିକେୟଙ୍କ ମୂର୍ତ୍ତି ସ୍ଥାପନ କରି ରୀତିନୀତି ଅନୁଯାୟୀ ପୂଜା ପାଠ କରି ପବିତ୍ର କାର୍ତ୍ତିକ ମାସ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାୟ ଦୁଇ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ ।
Comments are closed.