ହୋମଗାର୍ଡଙ୍କ ପାଇଁ ଅଗ୍ନିଶମ ବିଭାଗରେ ୧୦% ସଂରକ୍ଷଣ : ହାଇକୋର୍ଟ
କଟକ : ଅଗ୍ନିଶମ ବିଭାଗରେ ହୋମ୍ଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ। ବୁଧବାର ହାଇକୋର୍ଟ ଏ ସମ୍ପର୍କିତ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ଅବସରରେ ଅଦାଲତ କହିଛନ୍ତି, ଅଗ୍ନିଶମ ସେବା ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଅନେକ ଜରୁରୀକାଳୀନ ସେବା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ହୋଇଥାଏ। ଏହାର ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେବା ଉଚିତ୍ ନୁହେଁ। ଯଦି ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହୁଏ ତାହା ପରୋକ୍ଷରେ ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇବ। ଏଥିସହ ନିଯୁକ୍ତି ପ୍ରକ୍ରିୟା ଉପରେ ଯେଉଁ ରହିତାେଦଶ ଜାରି ହୋଇଥିଲା ସେବୁକୁ ହାଇକୋର୍ଟ ହଟାଇ େଦଇଛନ୍ତି। ଆବେଦନକାରୀ ବିଜୟ କୁମାର ଷଣ୍ଢ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଏସ୍.କେ. ପାଣିଗ୍ରାହୀ ସୋମବାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମାମଲାରେ ରାୟ ପ୍ରକାଶ ପାଇବା ପରେ ହୋମ୍ଗାର୍ଡ଼ଙ୍କୁ ନ୍ୟାୟ ମିଳିପାରିଛି।
ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ୮୨୬ଟି ପଦରେ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ୍ ପଦର ୧୦ % ହୋମ୍ଗାର୍ଡଙ୍କ ପାଇଁ ସଂରକ୍ଷଣ ରହିବାନେଇ ବିଭାଗର ନିୟମ ରହିଛି। ଏହି ନିୟମ ଅାଧାରରେ ୮୩ ଜଣ ହୋମ୍ଗାର୍ଡ ଏଥିରେ ନିଯୁକ୍ତି ପାଇବା କଥା। ଅଗ୍ନିଶମ ବିଭାଗ ୮୩ଟି ପଦରୁ ମାତ୍ର ୨୯ଟି ପଦରେ ହୋମ୍ଗାର୍ଡମାନଙ୍କୁ ନିଯୁକ୍ତି ଦେଇଥିଲା। ବାକି ୫୪ଟି ପଦରେ ହୋମ୍ଗାର୍ଡଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ସେଥିରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାକୁ ବିରୋଧ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଜବାବ ରଖି ଦର୍ଶାଇଥିଲେ ଯେ, ରାଜ୍ୟ ସରକାର ଅଗ୍ନିଶମ ବିଭାଗରେ ହୋମ୍ଗାର୍ଡ଼ଙ୍କ ପାଇଁ ୧୦% ସଂରକ୍ଷଣ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ଆଧାରରେ ଏକ ସାନି ନୂତନ ତାଲିକା ମଧ୍ୟ ପ୍ରକାଶ କରାଯାଇଛି। ଏହି ସାନି ତାଲିକାକୁ ଆଡଭୋକେଟ୍ ଜେନେରାଲ ହାଇକୋର୍ଟରେ ଜଉମୁଦ ଲଫାପାରେ ଦାଖଲ କରିଥିଲେ। ସଂରକ୍ଷଣକୁ ନେଇ ଯେଉଁ ନିୟମ ରହିଛି ଉକ୍ତ ନିୟମ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। ତେବେ ଯେଉଁମାନେ ଅଧିକ ବୟସର ବା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଅନ୍ଫିଟ୍ ସେମାନଙ୍କୁ ଏହି ନୂତନ ତାଲିକାରୁ ବାଦ୍ ଦିଆଯାଇଛି ବୋଲି କୁହାଯାଇଥିଲା। ଯେଉଁ ହୋମ୍ଗାର୍ଡ଼ମାନେ ଧାର୍ଯ୍ୟ ବୟସସୀମା ଅତିକ୍ରମ କରି ସାରିଛନ୍ତି ସେମାନଙ୍କର ନିଯୁକ୍ତିକୁ ନେଇ ମଧ୍ୟ ଅଦାଲତଙ୍କୁ ପ୍ରାର୍ଥନା କରାଯାଇଥିଲା। ଏପରି ଆବେଦନକାରୀଙ୍କର ଆଉ ଏକ ମାମଲା ଅନ୍ୟ ଏକ ବେଞ୍ଚରେ ଶୁଣାଣି ଚାଲିଥିବାରୁ ଅଦାଲତ ଏହା ଉପରେ ମତ ଦେବାକୁ ମନା କରି ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧେଦବ ରାଉତରାୟ, ଆଇନଜୀବୀ ରାଜୀବ ରଥ, ଆଇନଜୀବୀ ଗୌରାଙ୍ଗ ସାହୁ, ଆଇନଜୀବୀ ଚିନ୍ମୟ ସାସମଲ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।
Comments are closed.