ଦୁଃଖିଶ୍ୟାମ ମିଶ୍ରଙ୍କ କବିତା ସଂକଳନ “ଅଙ୍କୋଳିକା” ଲୋକାର୍ପିତ

ଭୁବନେଶ୍ବର: ରତ୍ନଚିରା ପ୍ରକାଶନୀ ପକ୍ଷରୁ ଡ଼. ଦୁଃଖିଶ୍ୟାମ ମିଶ୍ରଙ୍କ ତୃତୀୟ କବିତା ସଂକଳନ “ଅଙ୍କୋଳିକା” ଉନ୍ମୋଚିତ ହୋଇଯାଇଛି। ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର, ମନୋଜ ପଟ୍ଟନାୟକ, ଚିନ୍ମୟ ହୋତା, ବୈଜୟନ୍ତୀ ମିଶ୍ର, ଚିନ୍ମୟୀ ମିଶ୍ର, ନିରୁପମା କର, ଜଗନ୍ନାଥ ଦାଶ ପ୍ରମୁଖ ଉପସ୍ଥିତ ରହି ଏହି ପୁସ୍ତକଟିକୁ ଲୋକାର୍ପଣ କରିଥିଲେ।

ମହତ୍ ଓ ଅନାସକ୍ତ ପ୍ରେମର ପରିଭାଷାକୁ କେନ୍ଦ୍ର କରି ନାମିତ ‘ଅଙ୍କୋଳିକା’ ଶୀର୍ଷକର କବିତା ସଙ୍କଳନ, କବି ଡ଼. ଦୁଃଖିଶ୍ୟାମ ମିଶ୍ରଙ୍କ ଅନ୍ୟ ଏକ ବର୍ଣ୍ଣନାପ୍ରଧାନ ଭେଟି । ମଧୁର ଭାବନାରାଜ୍ୟ ଭିତରେ ଆକୁଳ ବିଚରଣ କରିଥିବା କବି ଏଥିରେ ସଜେଇଛନ୍ତି ନିଜ ବିବିଧ କଳ୍ପନାର କୁଞ୍ଜ । ସମୁଦାୟ ୩୬ଟି କବିତାମାନଙ୍କ ସମାବେଶରେ ଅନୁକ୍ଷଣ ଲକ୍ଷ୍ୟ କରିହେବ କବିଙ୍କ କଳ୍ପନା ବିଳାସ । ଅଘଟନ-ଘଟନ- ପଟୀୟସୀ ପ୍ରକୃତିର ସୁନ୍ଦର ଶୋଭାରାଜି ଭିତରେ ପ୍ରବେଶ କରି ତାଙ୍କ ସାରସ୍ବତ ସୃଷ୍ଟି ଗ୍ରାମ୍ୟ ପରିବେଶ ଓ ବ୍ୟକ୍ତି ସମାଜର ମଞ୍ଜୁଳ ଚିତ୍ରଶାଳା ରୂପେ ପରିବେଷିତ । କେବଳ ସେତିକି ଭିତରେ ନିଜ ଭାବନାକୁ ସ୍ଥଗିତ ନ ରଖି ସେ ବାସ୍ତବ ଜୀବନରେ ମାନବିକ ମାନସିକତା ପାଇଁ ସୁଦ୍ଧା ତାଙ୍କ ଅଭିବ୍ୟକ୍ତି ପ୍ରକାଶ ପାଇଛି।

ସଙ୍ଗାତ ଓ ସଙ୍ଘର୍ଷ ଭିତରେ ବିଷମ ଦ୍ବନ୍ଦ୍ବର ପରିଧି ଲଙ୍ଘନ କରି କବି ନିଖିଳ ସତ୍ୟ ପାଇଁ ଆଗଭର ହେଲେ । ଉତ୍କୃଷ୍ଟ ପ୍ରେମ ଓ ସ୍ବଚ୍ଛ ଚିନ୍ତାର ବାର୍ତ୍ତା ବହନ କରୁଥିବା ତାଙ୍କ ଶେଷ କେତେକ କବିତା ଭିତରେ ସେ ନିଜ ସଙ୍କଳନର ଚୂଡ଼ାନ୍ତ ଆଭିମୁଖ୍ୟ ପ୍ରତିପାଦନ କରିଛନ୍ତି । ସୁତରାଂ, ତାଙ୍କର ପ୍ରକାଶ ପାଇଥିବା ସଦ୍ୟତମ କବିତା ସଙ୍କଳନ ପାଠକବର୍ଗ ନିଶ୍ଚୟ ସୁଖପାଠ୍ୟ ମନେ କରି ତାଙ୍କ ସାରସ୍ବତ ଅଭୀପ୍‍ସାକୁ ଚରିତାର୍ଥ କରିବେ, ଏହା ହିଁ ଆମର ଆଶା ।

Comments are closed.