Patra electronics

ଓଡିଶା ପୁଲିସକୁ ନିନ୍ଦା – କଣ ଘଟିଥିଲା ସେଦିନ ରାତିରେ ଭରତପୁର ଥାନାରେ

ଡେସ୍କ: ଭରତପୁର ଥାନାରେ ଘଟିଥିବା ଘଟଣା କେବଳ ଯେ ଓଡିଶା ପୁଲିସର ଅସଲ ଚେହେରା ପଦାରେ ପକାଇଛି ତାହା ନୁହେଁ, ବରଂ ସାଧାରଣ ଲୋକଙ୍କୁ ଓଡିଶା ପୁଲିସ କିଭଳି ବ୍ୟବହାର କରୁଥିବ ତାହା ମଧ୍ୟ ଜଣାପଡିଛି। କେବଳ ସେତିକି ନୁହେଁ, ଓଡ଼ିଶାରେ ମହିଳା ପୁଲିସ କର୍ମଚାରୀ ଆଗରୁ ଅନେକ ଦୁର୍ନୀତି ଓ ଲାଞ୍ଚ ମାମଲାରେ ଫସିଥିବା ବେଳେ, ଭରତପୁର ଘଟଣାରେ ଜଣେ ମହିଳାଙ୍କୁ ଆଉ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଏତାଦୃଶ ବ୍ୟବହାର ଜାଣିବା ପରେ ରାଜ୍ୟବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି।

ତେବେ ଆସନ୍ତୁ ଜାଣିବା କଣ ଘଟିଥିଲା ସେଦିନ ରାତିରେ।

ତାରିଖ: ୧୫ ସେପ୍ଟେମ୍ବର ୨୦୨୪, ରବିବାର ରାତି ୧.୩୦ ମିନିଟ
ରାତି ପ୍ରାୟ ସାଢ଼େ ୧ଟା ବେଳେ କ୍ୟାପଟେନ୍ ଗୁରବଂଶ ଓ ତାଙ୍କ ବାନ୍ଧବୀ ଭୁବନେଶ୍ୱରରେ ନିଜ ଗାଡ଼ିରେ ଯାଉଥିବା ବେଳେ ୩ଟି ଗାଡ଼ିରେ ୧୨ରୁ ୧୩ ଜଣ ବ୍ୟକ୍ତି ସେମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ବେପରୁଆ ଗାଡ଼ି ଚଳାଇବା ସହ ଗାଳିଗୁଲଜ କରିଥିଲେ ଓ ଧକ୍କା ଦେଇଥିଲେ। ଏସବୁ ସତ୍ୱେ ଗୁରୁବଂଶ ଏବଂ ଅଙ୍କିତା ପରିସ୍ଥିତିରୁ ମୁକୁଳିବାରେ ସଫଳ ହୋଇଥିଲେ।

ଏହି ଘଟଣା ପରେ ଉଭୟ ଭରତପୁର ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ସେମାନେ ବେପରୁଆ ଗାଡି ଚଳାଉଥିବା ବ୍ୟକ୍ତିଙ୍କ କାର୍ ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ଜଣାଇଥିଲେ। ସେଠାରେ ପହଞ୍ଚିବା ପରେ କେବଳ ଜଣେ ମହିଳା ଏଏସ୍ଆଇ ଓ ଅନ୍ୟ କିଛି କନଷ୍ଟେବଳ ଡ୍ୟୁଟିରେ ଥିବା ଦେଖିବାକୁ ପାଇଥିଲେ ଏବଂ କୌଣସି ଥାନା ଅଧିକାରୀ ଉପସ୍ଥିତ ନଥିଲେ।

କ୍ୟାପଟେନ୍ ଗୁରବଂଶ ଓ ତାଙ୍କ ବାନ୍ଧବୀ ଅଙ୍କିତା ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିବା ପରେ ପୁଲିସ ବାହାନା କରିବା ଆରମ୍ଭ କଲା ଯେ ପ୍ରଥମେ ତୁମର ଚିକିତ୍ସା କରାଅ, ଅଭିଯୋଗ ରଖିବା ଦାୟିତ୍ୱ ଆମର ନୁହେଁ, ଅଧିକାରୀ ଆସିଲେ ଅଭିଯୋଗ ରଖାଯିବ। ରାତି ୨ଟା ୪୫ରେ ପୁଲିସ ପାଟ୍ରୋଲିଂ ଟିମ୍ ଫେରିଥିଲା ଏବଂ ସେଥିରେ ୨ ଜଣ ଏସଆଇଙ୍କ ସମେତ ଆଉ ୨ ଜଣ ମହିଳା ଅଧିକାରୀ ଓ ୪ ଜଣ ପୁରୁଷ ଅଧିକାରୀ ଥିଲେ। ଭରତପୁର ଥାନାରେ ଡ୍ୟୁଟିରେ ଥିବା ମହିଳା ଏଏସଆଇ ନାଇଟୀ (ଘରୋଇ ରାତ୍ରି ପୋଷାକ)ରେ ଥିଲେ ଏବଂ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଆଦୌ ଶୁଣୁନଥିଲେ। ମହିଳା କନଷ୍ଟେବଳ ଅସହଯୋଗ କରିଥିଲେ ଏବଂ ସେମାନଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଅଙ୍କିତା ଏବଂ ମହିଳା ଏସଆଇଙ୍କ ମଧ୍ୟରେ ଝଗଡ଼ା କରିଥିଲେ। ଅଙ୍କିତା ମହିଳା ଏସଆଇଙ୍କୁ କହିଥିଲେ ଯେ ମୁଁ ଭାରତର ନାଗରିକ ଏବଂ ତୁମେ ଜନସେବକ ଏବଂ ତୁମକୁ ଲୋକଙ୍କ ସେବା କରିବାକୁ ପଡିବ। ଆପଣ ଟିକସଦାତାଙ୍କ ଟଙ୍କା ନଷ୍ଟ କରୁଛନ୍ତି।

ମହିଳା ଏସଆଇ ଜଣଙ୍କ ଅଙ୍କିତାଙ୍କୁ ଅଶ୍ଳୀଳ ଭାଷାରେ କହିବା ସହ କହିଥିଲେ ଯେ ତୁମକୁ ଯୌନ ସନ୍ତୁଷ୍ଟ କରିବା ପାଇଁ ୧୫୦୦ ଲୋକ ଆବଶ୍ୟକ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। କ୍ୟାପଟେନ୍ ଗୁରୁବଂଶ ଏହି ଘଟଣାର ଭିଡିଓ ନିଜ ମୋବାଇଲ୍ ଫୋନରେ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲା। ଯାହାକୁ ନେଇ ପୁଲିସ ଅଧିକ ଉତ୍ତେଜନା ପ୍ରକାଶ କରିଥିଲା।

ଏହି ସମୟରେ ଷ୍ଟେସନର ଜଣେ ଏସଆଇ କ୍ୟାପଟେନ ଗୁରବଂଶଙ୍କୁ ବୟାନ ଲେଖିବା ପାଇଁ ଏକ କାଗଜ ଓ କଲମ ଦେଇଥିଲେ ଏବଂ ଅଙ୍କିତା ଏବଂ ପୁଲିସ ଏସଆଇଙ୍କ ମଧ୍ୟରେ ଧସ୍ତାଧସ୍ତି ଜାରି ରହିଥିଲା। ହଠାତ୍ ୪ ଜଣ ପୁଲିସ କ୍ୟାପଟେନ୍ ଗୁରୁବଂଶଙ୍କୁ ବଳପୂର୍ବକ ଧରି ତାଙ୍କ ସମସ୍ତ ଜିନିଷପତ୍ର ଛଡ଼ାଇ ନେଇ ବେଆଇନ ଭାବେ ଏକ ସେଲ୍ ଭିତରେ ରଖିଥିଲେ। ସେହି ସମୟରେ ଦୁଇ ଜଣ ମହିଳା ଅଧିକାରୀ ଅଙ୍କିତାଙ୍କୁ ତାଙ୍କ କେଶରୁ ଧରି ପ୍ରବଳ ଚାପୁଡ଼ା ମାରିଥିଲେ। କ୍ୟାପଟେନ ଗୁରୁବଂଶଙ୍କ ଫୋନ୍ ଓ ପରିଚୟ ପତ୍ର ମଧ୍ୟ ପୁଲିସ ଅଧିକାରୀ ଛାଡ଼ି ନେଇଥିଲେ। ରାତି ୩ଟାରେ ଅଙ୍କିତା, କ୍ୟାପଟେନ୍ ଗୁରବଂଶଙ୍କ କୋଠରୀ ସାମ୍ନାରେ କାନ୍ଦୁଥିଲେ। କ୍ୟାପଟେନ୍ ଗୁରୁବଂଶଙ୍କୁ କାହିଁକି ବେଆଇନ ଭାବେ ଜେଲରେ ରଖାଯାଇଛି ତାହାର କାରଣ ସମ୍ପର୍କରେ ଉଭୟ ପୁଲିସକୁ ପଚାରି ଥିଲେ। ଥାନା ଅଧିକାରୀ କହିଥିଲେ ଯେ ଆଇଆଇସି ଆସିଲେ କାରଣ କହିବେ।

ସକାଳ ପ୍ରାୟ ୫ଟାରେ ଅଙ୍କିତା ତାଙ୍କ କାର୍ ଭିତରକୁ ଯାଇ କ୍ୟାପଟେନ୍ ଗୁରବଂଶଙ୍କ ଫୋନ୍ ଆଣିବାରେ ସଫଳ ହୋଇଥିଲେ, ସେ ସାହାଯ୍ୟ ପାଇଁ ସେନା ଅଧିକାରୀଙ୍କୁ ଫୋନ୍ କରିଥିଲେ। ଏହି ସମୟରେ ସେ ମହିଳା ଏଏସଆଇଙ୍କ ପାଖକୁ ଯାଇ ତାଙ୍କୁ ଗିରଫ ପରୱାନା ଦେବାକୁ କହିଥିଲେ, ଯାହା ବଳରେ କ୍ୟାପଟେନ୍ ଗୁରୁବଂଶଙ୍କୁ ଗିରଫ କରାଯାଇଥିଲା। କ୍ୟାପଟେନ୍ ଗୁରବଂଶଙ୍କ ଫୋନ୍ ଖୋଜୁଥିବା ବେଳେ ଅଙ୍କିତା ଭରତପୁର ଥାନାରେ ମଦ ବୋତଲ ରହିଥିବା ଦେଖିବାକୁ ପାଇଥିଲେ। କିନ୍ତୁ କ୍ୟାପଟେନ୍ ଗୁରୁବଂଶଙ୍କୁ ଜେଲ୍ ପଠାଇବା ପାଇଁ ପୁଲିସ ପାଖରେ କୌଣସି କାରଣ ନଥିଲା। ମହିଳା ଏସଆଇ ଅଙ୍କିତାଙ୍କ ଚରିତ୍ର ସଂହାର କରିବା ପୂର୍ବକ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ ଏବଂ ବଦଳରେ ଅଙ୍କିତା ମଧ୍ୟ ଏଏସଆଇଙ୍କ ଉପରେ ଚିତ୍କାର କରିବା ଆରମ୍ଭ କରିଥିଲେ।

ସକାଳ ପ୍ରାୟ ୬ଟାରେ ମହିଳା ଏଏସଆଇ ଅଙ୍କିତାଙ୍କୁ ଧକ୍କା ଦେଇ ଚାପୁଡ଼ା ମାରିଥିଲେ ଏବଂ ୩ ଜଣ ମହିଳା ଅଧିକାରୀ ଅଙ୍କିତାଙ୍କ କେଶ ଧରି ଏକ ନିର୍ଜନ କୋଠରୀ ଆଡ଼କୁ ଟାଣି ନେଇଥିଲେ।ସେମାନେ ଅଙ୍କିତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ନିଛାଟିଆ କୋଠରୀରେ ଦୁଇ ଜଣ ପୁରୁଷ କନଷ୍ଟେବଳ ଥିଲେ ଏବଂ ସେମାନେ ଅଙ୍କିତାଙ୍କ ଜ୍ୟାକେଟ୍ ବାହାର କରି ତାଙ୍କ ପଛ ପଟକୁ ଦୁଇ ହାତ ବାନ୍ଧିଥିଲେ ଏବଂ ଅନ୍ୟ ମହିଳା ଏସଆଇ ତାଙ୍କ ଗୋଡ଼କୁ ନିଜ କପଡ଼ାରେ ବାନ୍ଧି ଦେଇଥିଲେ। ଅଙ୍କିତା ଭରତପୁର ଥାନାରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ ପୁରୁଷ ପୁଲିସ ଅଧିକାରୀମାନେ ମାନେ ତାଙ୍କୁ ମାଡ଼ ମାରିବା ଜାରି ରଖିଥିଲେ।

ପରେ କିନ୍ତୁ ଯାହା ଘଟିଥିଲା ତାହା ଅତ୍ୟନ୍ତ ଲଜ୍ୟାକର ଥିଲା। ଜଣେ ପୁରୁଷ ଏସଆଇ କୋଠରୀ ଭିତରକୁ ପଶି ଅଙ୍କିତାଙ୍କ ଉପର ଅନ୍ତବସ୍ତ୍ର ବାହାର କରି ତାଙ୍କ ଛାତିକୁ ଗୋଡ଼ରେ ଦଳି ଦେଇଥିଲେ। ସକାଳ ୬ଟା ୧୫ରେ ଆଇଆଇସି କୋଠରୀ ଭିତରକୁ ପଶି ଅଙ୍କିତାଙ୍କୁ ଗାଳିଗୁଲଜ କରିଥିଲେ। ଏହାବ୍ୟତୀତ ମହିଳା ଏସଆଇ ଅଙ୍କିତାଙ୍କ ପ୍ୟାଣ୍ଟ ବାହାର କରିଥିଲେ ଏବଂ ପୁରୁଷ ଆଇଆଇସି ଅଙ୍କିତାଙ୍କ ନିଜ — ଦେଖାଇ କହିଲେ ଯେ ଆପଣଙ୍କୁ ପାଟି ବନ୍ଦ ରଖିବା ପାଇଁ ଏହା ଆବଶ୍ୟକ ଏବଂ ଚୁପ୍ ନ ରହିଲେ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଥିଲେ। କିଛି ସମୟ ପରେ ଆଇଆଇସି କ୍ୟାପଟେନ ଗୁରୁବଂଶଙ୍କ ପାଖକୁ ଆସି ତାଙ୍କୁ ଛାଡି ପୂର୍ବ ଘଟଣା ବିରୋଧରେ ଅଭିଯୋଗ କରିବାକୁ କହିଥିଲେ। କ୍ୟାପଟେନ୍ ଗୁରୁବଂଶ ପ୍ରଥମେ ଅଙ୍କିତାଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କୁ ହାତ ଗୋଡ଼ ବାନ୍ଧି ଅଧା ଉଲଗ୍ନ ଅବସ୍ଥାରେ ଦେଖିଥିଲେ ଏବଂ ଚାରିଆଡ଼େ ରକ୍ତ ଭାସୁଥିଲା।

ପରେ ଜଣେ ଜେସିଓ ଏବଂ ୩ ଜଣ ଓଆର ୧୨୦ ଟିଏବିଏନଙ୍କ ଏକ ଦଳକୁ ଥାନାକୁ ପଠାଯାଇ କ୍ୟାପଟେନ୍ ଗୁରବଂଶଙ୍କୁ ସାହାଯ୍ୟ କରାଯାଇଥିଲା। ଦମ୍ପତି ଡାକ୍ତରୀ ପରୀକ୍ଷା ପାଇଁ ପୋଲିସକୁ ଅନୁରୋଧ କରିଥିଲେ ଏବଂ ସେମାନଙ୍କୁ ସମ୍ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ଅଙ୍କିତାଙ୍କ ମାଢି, ନାକ ଭାଙ୍ଗିଯାଇଥିବା ଏବଂ ଶରୀରରେ ଅନ୍ୟାନ୍ୟ କ୍ଷତ ଚିହ୍ନ ଥିବା ନିଶ୍ଚିତ ହୋଇଛି। ସଂଧ୍ୟାରେ ସେମାନଙ୍କୁ ଥାନାକୁ ନିଆଯାଇ ଅଙ୍କିତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ରୁଜୁ କରାଯାଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଥିଲା। ଏପରିକି ତାଙ୍କୁ ମାଜିଷ୍ଟ୍ରେଟଙ୍କ ପାଖକୁ ନେବା ବାଟରେ ପୁଲିସ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ଏବଂ ତାଙ୍କୁ ପୁଣି ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ପୁଲିସ ଚାପରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ବଡ ଆଘାତ ହୋଇନଥିବା ରିପୋର୍ଟ ଦିଆଯାଇଥିଲା।

ତେବେ କଥା ହେଉଛି ଯଦି କମିସନରେଟ ଅଂଚଳରେ ଥିବା ଥାନାରେ ଏଭଳି ତାହେଲେ ଅନ୍ୟ ଅଂଚଳରେ ସାଧାରଣ ଲୋକମାନେ କେଉଁଭଳି ବ୍ୟବହାର ପାଉଥିବେ। ଥାନାରେ ମଦ ବୋତଲ ମିଳିବା ଏବେ ଓଡ଼ିଶାରେ ସାଧାରଣ ଘଟଣା ହୋଇଥିବା ବେଳେ ଦିନକୁ ଦିନ ପୁଲିସ ବ୍ୟବହାର ଅତିଷ୍ଠ ହେଲାଣି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଡ୍ୟୁଟିରେ ଥିବା ମହିଳା ଅଧିକାରୀ ଜଣଙ୍କ ନାଇଟୀ ପିନ୍ଧି ଅଫିସରେ ବସିବା। କେବଳ କିଛି ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରି ନିଜ ଦାୟିତ୍ୱ ସାରିଦେଲେ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି।

Comments are closed.