କଟକ: ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ମାମଲାର ଶୁଣାଣି କରି ପ୍ରତିପକ୍ଷ ଭାଜପା ବିଧାୟକ ବାବୁ ସିଂହଙ୍କୁ ନୋଟିସ୍ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ଆବେଦନକୁ ନେଇ ଜବାବ ଦାଖଲ ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।
ଏକାମ୍ର ନିର୍ବାଚନମଣ୍ଡଳୀର ପରାଜିତ ପ୍ରାର୍ଥୀ ଅଶୋକ ପଣ୍ଡା ନିର୍ବାଚନରେ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏକାମ୍ର ନିର୍ବାଚନ ମଣ୍ଡଳିରୁ ଜିତିଥିବା ଭାଜପା ବିଧାୟକ ବାବୁ ସିଂ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଭୁଲ୍ ତଥ୍ୟ ପ୍ରଦାନ କରିଛନ୍ତି। ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବାକୁ ଶ୍ରୀ ପଣ୍ଡା ଆବେଦନରେ ପ୍ରାର୍ଥନା କରିଛନ୍ତି।



