ସୁଭଦ୍ରା ଯୋଜନା କାର୍ଯ୍ୟ ଅଗ୍ରଗତିନେଇ ନିୟମିତ ତଦାରଖ ଉପରେ  ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର:  ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେଆଜି ସଂଧ୍ୟା ସୁଦ୍ଧା କାର୍ଯ୍ୟ ଅଗ୍ରଗତି କିପରି ରହିଛି , ସେ ସଂପର୍କରେ ରାଜସ୍ୱ ଆୟୁକ୍ତ, ଜିଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଭାସୀ ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି ।   ଲୋକସେବା ଭବନସ୍ଥିତ  ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଦି ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ  ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।  ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ମଧ୍ୟ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ସୁଭଦ୍ରା ଯୋଜନା ସଂପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଇସି) ଉପରେ ଗୁରୁତ୍ୱ ଦିଆଯାଇଥିଲା ।୧୭ ତାରିଖରେ ସୁଭଦ୍ରା ଯୋଜନା ରାଜ୍ୟସ୍ତରୀୟ ଶୁଭାରମ୍ଭ  କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଏହି  କାର୍ଯ୍ୟକ୍ରମରେ ପଂଚାୟତ, ବ୍ଲକ, ଜିଲ୍ଲା, ପୌରାଂଚଳ, ମହାନଗର ନିଗମ ସ୍ତରରେ ପ୍ରଦର୍ଶନ ହେବା ନିମନ୍ତେ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା ।

ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ ସଚେତନତା ରଥ ସେପ୍ଚେମ୍ବର ୭ ରୁ ୧୬  ତାରିଖ  ପର୍ଯ୍ୟନ୍ତ ଚାଲିବ । ସଚେତନତା ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ, ଫଳରେ ଜନପ୍ରତିନିଧିମାନେ  ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।  ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ସବୁ କମନ ସର୍ଭିସ୍ ସେଣ୍ଚର ଏବଂ ମୋ ସେବା କେନ୍ଦ୍ରରେ  ସୂଚନା ପ୍ରଚାର ପତ୍ର ଉପଲବ୍ଧ ହେବା ସହିତ  ପୋଷ୍ଟର,ବ୍ୟାନର ଆଦି ଲଗାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।କେନ୍ଦ୍ରଗୁଡ଼ିକ ଯେପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ଅତ୍ୟଧିକ ଜନ ଗହଳି ହେବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । କୌଣସି ଅପରେଟରମାନଙ୍କୁ  ଫର୍ମ ଦାଖଲ ପାଇଁ ଆବେଦନକାରୀଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ ।

ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନର  ଶୁଭାରମ୍ଭ କରାଯିବାକୁ ଥିବାରୁ ଏଥିପାଇଁ ଅଦ୍ୟାବଧି କେତେ ଫର୍ମ ବିତରଣ କରାଯାଇଛି, କେତେ ସଂଗୃହିତ ହୋଇ ପୋର୍ଟାଲରେ ଅପଲୋଡ୍ କରାଯାଇଛି , ତାହାର ସମୀକ୍ଷା କରାଯାଇଥିଲା । ସଂଗୃହିତ ଫର୍ମ ଗ୍ରାମ ପଂଚାୟତଓ୍ୱାରୀ  ଅଲଗା ଅଲଗା କରାଯାଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନ୍ୟାଦେଶ ପର୍ଯ୍ୟନ୍ତ ରହିବ । ଅଦ୍ୟାବଧି ରାଜ୍ୟରେ ପ୍ରାୟ ୪୦  ହଜାର କମନ ସର୍ଭିସ୍ ସେଣ୍ଚର ଏବଂ ମୋ ସେବା କେନ୍ଦ୍ରରେ ଶିବିର କରାଯାଇ ଫର୍ମ ସଂଗ୍ରହ କରାଯାଉଛି । ସମସ୍ତ କେନ୍ଦ୍ରର ତଦାରଖ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟ ପକ୍ଷରେ ନକଲି ଓେୱେବ୍ ସାଇଟ୍ ରେ ଯେପରି ଆବେଦନକାରୀ ଆବେଦନ ନ କରନ୍ତି, ତାହାକୁ ନିଶ୍ଚିତ କରିବା ସହିତ ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଧିକାରୀଙ୍କୁ ସୁଭଦ୍ରା ଯୋଜନା ସଂପର୍କିତ  ଏକ୍ସ (ଟ୍ୱିଟର),ଇନଷ୍ଟାଗ୍ରାମ, ଫେସବୁକ ଏବଂ ୟୁଟ୍ୟୁବରେ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଫଲୋ କରିବା ସହିତ  ପ୍ରକୃତ ତଥ୍ୟ ଅନୁସରଣ କରିବା , ଜିଲ୍ଲାସ୍ତରରେ, ବ୍ଲକ ଓ ବିଭିନ୍ନ ସ୍ତରରେ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମ ଜରିଆରେ ଜନସାଧାରଣ ତଥା ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ସଠିକ ସୂଚନା ପ୍ରଦାନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଆହୁରି ମଧ୍ୟ ଏହି ବୈଠକରେ ଆଗାମୀ ସେପ୍ଟେମ୍ବର ୧୭ ତାରିଖରୁ  ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଉଥିବାରୁ ଏ ସଂପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସବିଶେଷ ସୂଚନା ପ୍ରଦାନ କରିବା ସହିତ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ ପାଇଁ ଆବଶ୍ୟକ ସୂଚନା ଦେଇଥିଲେ । ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ ସେପ୍ଟେମ୍ବର  ୧୭ ରୁ ଅକ୍ଟୋବର ୧  ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବ । ଏହା ଅକ୍ଟୋବର ୨  ତାରିଖରେ ‘ସ୍ୱଚ୍ଛ ଭାରତ ଦିବସ’ ଉପଲକ୍ଷେ  ‘ସ୍ୱାଭିମାନ ସ୍ୱଚ୍ଛତା – ସଂସ୍କାର ସ୍ୱଚ୍ଛତା’ ଥିମ ଉପରେ ପର୍ଯ୍ୟବସିତ ହେବା ସଂପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ  ସୂଚନା ପ୍ରଦାନକରିଥିଲେ ।

Comments are closed.