ମନମୋହନ ସିଂଙ୍କ ଫଟୋକୁ ଫଟୋସପ୍ରେ ବିକୃତ କରିଥିବା ବାଂଲାଦେଶୀ ନାଗରିକକୁ ୭ ବର୍ଷ ଜେଲ୍
ଢାକା. – ପୂର୍ବତନ ପ୍ରଧାନମନ୍ତ୍ରୀ ମନ ମୋହନସିଂଙ୍କ ସହ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେକ୍ ହସିନା ଓ ଅନ୍ୟମାନଙ୍କ ଫଟୋକୁ ଫଟୋସପ୍ରେ ବିକୃତ କରିଥିବା ବାଂଲାଦେଶୀ ନାଗରିକ ମୋନିର ହାସିମ୍କୁ ବାଂଲାଦେଶର ଏକ ଅଦାଲତ ୭ ବର୍ଷ ଜେଲ୍ଦଣ୍ଡାଦେଶ ସହ ୧୦ ହଜାର ବାଂଲାଦେଶ ଟାକା ଜୋରିମାନା କରିଛନ୍ତି ।
୨୦୧୩ ମସିହାରେ ଏହି ଅଭିଯୁକ୍ତ ଜଣଙ୍କ ମନ ମୋହନସିଂଙ୍କ ସହ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେକ୍ ହସିନାଙ୍କ ଫଟୋକୁ ଫଟୋସପ୍ରେ ଏଡିଟିଂ କରି ଖରାପ କରିଥିଲେ । ଏହାପରେ ସେ ଫୋନ୍ରେ ଏହାକୁ ବିଭିନ୍ନ ଲୋକଙ୍କ ପାଖକୁ ପଠାଇଥିଲେ । ବାଂଲାଦେଶ ଆଇନ ଅନୁଯାୟୀ ବିନା ଅନୁମତିରେ ସରକାରୀ ଫଟୋକୁ ବ୍ୟବହାର କରିବା ଅଭିଯୋଗରେ ମୋନିରଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ବାଂଲାଦେଶର ବିରୋଧି ଦଳମାନେ ଏହାକୁ ବିରୋଧ କରିଛନ୍ତି । ଲୋକଙ୍କର ଇଣ୍ଟରନେଟ୍ ସ୍ୱାଧୀନତା ଉପରେ ସରକାର ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି ।
ସାଇବର ଟ୍ରିବୁନାଲରେ ଏହି ମାମଲା ଚାଲିଥିଲା । ମୋନିର ଦୋଷୀ ପ୍ରମାଣିତ ହେବା ପରେ ଟ୍ରିବୁନାଲର ନାୟାଧୀଶ ମହମ୍ମଦ ଆସ-ସାମ୍ ଜୋଗୁଲ ହୋସେନ୍ ମୋନିରଙ୍କୁ ଏହି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଆଲମଗିରି ହୁସେନ୍ ଓ ସୁବ୍ରତ ସିଲ୍ଙ୍କୁ ଦୋଷମୁକ୍ତ କରାଯାଇଛି ।