‘ଆମ ବ୍ୟାଙ୍କ’ ଯୋଜନାକୁ ଲାଗିଛି ଗ୍ରହଣ

ଭୁବନେଶ୍ୱର : ବିଜେଡି ସରକାର ପ୍ରତି ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାର ଲକ୍ଷ୍ୟନେଇ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ‘ଆମ ବ୍ୟାଙ୍କ’ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିନେଇ ତତ୍କାଳୀନ ସରକାର ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଏକାଧିକ ପଞ୍ଚାୟତରେ ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ଶାଖା ଖୋଲାଯାଇ ଜମାକାରୀଙ୍କୁ ସହାୟତା ଯୋଗାଇ ଦିଆଯାଉଥିଲା। ନିର୍ବାଚନରେ ବିଜେପି କ୍ଷମତାକୁ ଆସିବା ପରେ ବିଜେଡି ସରକାର ନେଇଥିବା ନିଷ୍ପତ୍ତିରେ ଗ୍ରହଣ ଲାଗିଛି। ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ଦିଗରେ ବିଜେପି ସରକାର କୌଣସି ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହୋଇଛି। ସରକାର ଏ ଦିଗରେ ତତ୍ପରତା ଦେଖାଉନଥିବାରୁ ୪୩୭୩ ପଞ୍ଚାୟତବାସୀ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ନିଜ ପଞ୍ଚାୟତରେ ବ୍ୟାଙ୍କ ନଥିବାରୁ ଅନେକ ବୟସ୍କ ବ୍ୟକ୍ତି ଭତ୍ତା, ବ୍ୟାଙ୍କ ଋଣଠାରୁ ଆରମ୍ଭକରି ବିଭନ୍ନ ସରକାରୀ ସହାୟତା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଭତ୍ତା, ବ୍ୟାଙ୍କ ଋଣ, ସରକାରୀ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ସେବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଥିବା ଏକାନ୍ତ ଅପରିହାର୍ଯ୍ୟ। ଆଜି ବି ଓଡିଶାର ହଜାର ହଜାର ପଞ୍ଚାୟତରେ ବ୍ୟାଙ୍କ ସେବା ଅପହଞ୍ଚ ରହିଛି। ରାଜ୍ୟରେ ମୋଟ ୬୭୯୮ ଗ୍ରାମ ପଞ୍ଚାୟତ ଥିଲାବେଳେ ସେଥିରୁ ୪୩୭୩ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଜେଡି ସରକାର ବ୍ୟାଙ୍କ ସେବା ପହଞ୍ଚି ନଥିବା ପଞ୍ଚାୟତରେ ସିଏସ୍‌ପି ଆଉଟ୍‌ଲେଟ୍‌ ଅବା ‘ଆମ ବ୍ୟାଙ୍କ’ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୩ ଅଗଷ୍ଟ ୧୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୩୭୩ଟି ପଞ୍ଚାୟତରେ ‘ସିଏସ୍‌ପି ପ୍ଲସ୍‌’ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏସ୍‌ବିଆଇ, ୟୁନିଅନ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ରାଜିନାମା ସ୍ୱାକ୍ଷର କରିଥିଲେ। ଏହି ଯୋଜନା ଆରମ୍ଭ ହେବା ପରେ ୨୭୪୭ଟି ଆମ ବ୍ୟାଙ୍କ ଶାଖା ଖୋଲାଯାଇଥିବା ରାଜ୍ୟ ଅର୍ଥ ବିଭାଗର ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହିସବୁ ଶାଖାରେ ସମୁଦାୟ ୫୨ଟି ନେଣ ଦେଣ ହୋଇଥିବାବେଳେ ୨୫୭୪ କୋଟି ୬୬ ଲକ୍ଷ ଟଙ୍କାର କାରବାର ହୋଇଥିବା ଦର୍ଶାଯାଇଛି। ତିନି ମାସ ହେଲା ଆମ ବ୍ୟାଙ୍କ ଖୋଲିବା ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଯାଇଛି। ଆମ ବ୍ୟାଙ୍କ ମାଧ୍ୟମରେ ଚଳିତ ବର୍ଷ ଏପ୍ରିଲରେ ଆମ ବ୍ୟାଙ୍କରେ ସର୍ବାଧିକ ୭୩୪.୨୫ କୋଟି ଟଙ୍କାର କାରବାର ହୋଇଛି। ଏହି କାରବାର ମେ’, ଜୁନ୍‌ ଓ ଜୁଲାଇରେ ପ୍ରାୟ ୫୦% ହ୍ରାସ ପାଇଛି। ଖୋଲିଥିବା ସିଏସ୍‌ପି ଆଉଟ୍‌ଲେଟ୍‌ ମଧ୍ୟରୁ ଏସ୍‌ବିଆଇର ସର୍ବାଧିକ ୮୮୦ଟି ଶାଖା ଥିବା ବେଳେ ପିଏନ୍‌ବିର ୫୬୫, ୟୁନିଅନ୍‌ ବ୍ୟାଙ୍କର ୪୨୯, ୟୁକୋ ବ୍ୟାଙ୍କର ୪୦୦, ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୩୭୧ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ୧୦୭ଟି ଶାଖା ଖୋଲିଛନ୍ତି। ବ୍ୟାଙ୍କଗୁଡ଼ିକ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୃହ ଯୋଗାଇବା ବ୍ୟବସ୍ଥା କରିଥିଲେ। ନିରବଚ୍ଛିନ୍ନ ବ୍ୟାଙ୍କ କାମ ଜାରି ରଖିବା ପାଇଁ ବିଦ୍ୟୁତ ଓ ଇଣ୍ଟରନେଟ୍‌ ସଂଯୋଗ ଦେବାରେ ସରକାରଙ୍କ ସହାୟତା ପ୍ରାବଧାନ ରହିଛି। ଅନେକ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କ ଖୋଲିବା ବ୍ୟବସ୍ଥା ହୋଇଛି। ଏପରି ଶାଖା ଖୋଲିବା ଫଳରେ ବୟସ୍କ ନାଗରିକ, ରୋଗୀ, ଦିବ୍ୟାଙ୍ଗ, ମହିଳା, ଗର୍ଭବତୀ ମହିଳାମାନେ ବିଶେଷଭାବେ ଉପକୃତ ହେଉଛନ୍ତି। ଦୂରଦୂରାନ୍ତ ପର୍ଯ୍ୟନ୍ତ ଦୌଡିବାକୁ ପଡୁ ନାହିଁ। ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଅଞ୍ଚଳର ଲୋକଙ୍କ ହାତ ପାହାନ୍ତାରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଏପରି ଅଭିନବ ପଦକ୍ଷେପ ନେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଥିଲା। ଆମ ବ୍ୟାଙ୍କ କାର୍ଯ୍ୟକ୍ରମକୁ ସରକାର ତ୍ବରାନ୍ବିତ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Comments are closed.