www.samajalive.in
Sunday, December 7, 2025
26.1 C
Bhubaneswar

କୋଟିଆ ମାମଲା: ସୁପ୍ରିମକୋର୍ଟରୁ ନ୍ୟାୟ ଚାହୁଁଛି ଓଡ଼ିଶା

ନୂଆଦିଲ୍ଲୀ : କୋଟିଆ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଠାରୁ ଓଡ଼ିଶା ସରକାର ନ୍ୟାୟ ଚାହୁଁଛନ୍ତି। ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଏବଂ ଆନ୍ଧ୍ର ପ୍ରଦେଶରେ ତେଲୁଗୁଦେଶମ ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ପରେ ରାଜନୈତିକସ୍ତରରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଆଶା କରାଯାଉଥିଲା। କିନ୍ତୁ ଗତ ୨୯ ଜୁଲାଇରେ କୋଟିଆ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚରାଧୀନ ଓରିଜିନାଲ ସୁଟ ଆବେଦନର ସଂଶୋଧନ ଲାଗି ଓଡ଼ିଶା ସରକାର ଆଇ.ଏ ଦାଖଲ କରିଛନ୍ତି। ସଂଶୋଧନ ଆବେଦନଟି କୋଟିଆ ମାମଲାରେ ନ୍ୟାୟାଳୟ ମାଧ୍ୟମରେ ନ୍ୟାୟ ପାଇବାକୁ ରାଜ୍ୟର ବିଜେପି ସରକାରଙ୍କ ପ୍ରୟାସ ଆଡ଼କୁ ସଙ୍କେତ ଦେଉଛି। ୨୦୨୧ରେ ଆନ୍ଧ୍ର ପ୍ରଦେଶ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଦେଖା ଦେଇଥିଲା। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ଆଦେଶସତ୍ତ୍ବେ ଆନ୍ଧ୍ର ପ୍ରଦେଶ ସରକାର ଜୋର ଜବରଦସ୍ତ କୋଟିଆ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ କରାଇଥିଲେ। ସେତେବେଳେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାର ଅଦାଲତ ଅବମାନନା ମାମଲା ଆଗତ କରିଥିଲେ ଯାହା କି ନ୍ୟାୟାଳୟଙ୍କ ବିଚରାଧୀନ ରହିଛି। କୋଟିଆ ବିବାଦର ସମାଧାନ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ଭାରତୀୟ ସମ୍ବିଧାନର ଧାରା ୧୩୧କୁ ଉଚ୍ଛେଦ ଲାଗି ଓଡ଼ିଶା ସରକାର ୨୦୨୩ରେ ନ୍ୟାୟାଳୟରେ ଓରିଜିନାଲ ସୁଟ ଦାଖଲ କରିଛନ୍ତି। କୋଟିଆ ବିବାଦର ସମାଧାନ ପାଇଁ ୧୯୬୮ରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ଓରିଜିନାଲ ସୁଟର ଶୁଣାଣି କରି ୨୦୦୬ରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଥିଲେ। ଦର୍ଶାଇଥିଲେ ଯେ ସମ୍ବିଧାନର ଧାରା ୧୩୧ ଅନୁଯାୟୀ କୋଟିଆ ବିବାଦ ସମ୍ପର୍କିତ ଓଡ଼ିଶା ସରକାରଙ୍କ ଓରିଜିନାଲ ସୁଟ ବିଚାରଯୋଗ୍ୟ ନୁହେଁ। ଏଥିସହ କୋଟିଆ ଅଞ୍ଚଳରେ ସ୍ଥିତାବସ୍ଥା ଜାରି କରିବା ସହ ଭାରତୀୟ ସଂସଦ ଏହି ସମସ୍ୟାକୁ ସମାଧାନ କରିପାରିବେ ବୋଲି ନ୍ୟାୟାଳୟ ଟିପ୍ପଣୀ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଉଜ୍ଜ୍ୱଳ ଭୂୟାଁଙ୍କ ଚ୍ୟାମ୍ବର ଖଣ୍ଡପୀଠରେ ସୋମବାର ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ସଂଶୋଧନ ଆବେଦନଟି ଶୁଣାଣି ଲାଗି ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ସମୟ ଅଭାବରୁ ଶୁଣାଣି ହୋଇପାରିନଥିଲା। ଅନ୍ୟପକ୍ଷରେ ଚଳିତ ଅଗଷ୍ଟ ୧ରେ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ହସ୍ତକ୍ଷେପ ରୋକିବା ଲାଗି ଭାରତ ସରକାର ସ୍ପଷ୍ଟ ନିର୍ଦେଶ ଦେବାକୁ ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି ଉପସ୍ଥାପନ କରିଥିଲେ। ସାଂସଦ ଉଲାକା ଦର୍ଶାଇଥିଲେ ଯେ ଜୟପୁର ଗଡ଼ଜାତ ଅଧୀନରେ ଥିବା କୋଟିଆ ଅଞ୍ଚଳ ୧୯୩୬ ମସିହା ଠାରୁ ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣରେ ରହିଛି। ୧୯୫୫ରେ ଆନ୍ଧ୍ର ପ୍ରଦେଶ ଗଠନ ହୋଇଥିଲା। କୋଟିଆ ଅଞ୍ଚଳରେ ଆନ୍ଧ୍ରର ହସ୍ତକ୍ଷେପକୁ ବିରୋଧ କରି ଓଡ଼ିଶା ସରକାର ୧୯୬୮ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ନ୍ୟାୟାଳୟ ଏହି ମାମଲାର ବିଚାର କରି ଦର୍ଶାଇଥିଲେ ଯେ ଉଭୟ ରାଜ୍ୟ ମଧ୍ୟରେ ରହିଥିବା ସୀମା ବିବାଦକୁ ସଂସଦ ସମାଧାନ କରିପାରିବେ ଏବଂ କୋଟିଆ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ। ତେବେ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ୱାରା ବାରମ୍ବାର ହସ୍ତକ୍ଷେପ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories