ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ବେଳାଭୂମିରେ ବଣଭୋଜି କରିବାକୁ ଆସିଥିବା ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ବାଦି ଛକ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଗୋଟିଏ ଗୋଷ୍ଠୀ ପକ୍ଷରୁ କତୁରୀରେ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସ ଘଟଣାରେ ସଂପୃକ୍ତ ଅନ୍ୟ ତମ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ଜରଡା ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମ ଏ ବାଲକ୍ରିଷ୍ଣା (୨୩)ବୋଲି ପୋଲିସ ସୂଚନା ଦେଇଛି। ଘଟଣା ପର ଠାରୁ ବାଲକ୍ରିଷ୍ଣା ଫେରାର ହୋଇ ଯାଇଥିବା ବେଳେ ଆଜି ଗ୍ରାମରେ ଥିବା ଖବର ପାଇ ଗୋଳନ୍ଥରା ପୋଲିସ ସେଠାରେ ଚଡାଉ କରି ତାକୁ କାବୁ କରିବା ସହ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଆକ୍ରମଣରେ ଏ ବାଲୁଙ୍କ ମୃତ୍ୟୁ ଘଟିଥିଲା। ଘଟଣା ନେଇ ବାଲୁଙ୍କ ସାଙ୍ଗ ଏ ଯୋଗେନ୍ଦ୍ର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା। ଗତ ଜୁନ ମାସ ୨୭ ତାରିଖରେ ଛୁଟି ଦିନ ଥିବାରୁ ଇଚ୍ଛାପୁର ଥାନା ଅନ୍ତର୍ଗତ କେଦାରପୁରମ ଗ୍ରାମର ବାଲୁ ସମେତ ୨୦ ଉର୍ଦ୍ଧ୍ବ ଯୁବକ ସୁନାପୁର ବେଳାଭୂମି କୁ ବଣ ଭୋଜି କରିବାକୁ ଯାଇଥିଲେ। ସେଠାରେ ଇଚ୍ଛାପୁର ବେଲପଡାର ରାଜୁଙ୍କ ଗୋଷ୍ଠୀ ମଧ୍ୟ ବଣଭୋଜି କରୁଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ଉଭୟ ଗୋଷ୍ଠି ମଧ୍ୟ୍ୟରେ କୈାଣସି କଥାକୁ ନେଇ ବଚସା ହୋଇଥିଲା। ବଣ ଭୋଜି ସାରି ସନ୍ଧ୍ୟାରେ ମୃତକ ବାଲୁ ଓ ଯୋଗେନ୍ଦ୍ର ବାଇକ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ବାଦି ଛକ ନିକଟରେ ରାଜୁଙ୍କ ଗୋଷ୍ଠିର ଯୁବକ ମାନେ ବାଲୁକୁ ଅଟକ ରଖି ଛାତି ଓ ଅନ୍ୟ ସ୍ଥାନରେ ସେଲୁନର ଏକ କତୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ଓଡ଼ିଆରପି କଲୋନୀ ନିକଟରେ ଗୁରୁତର ହୋଇ ବାଲୁ ପଡିଯାଇଥିଲେ। ଗୁରୁତର ବାଲୁକୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଏହି ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତ ଶ୍ରୀକାକୁଲମ ଜିଲା ଇଚ୍ଛାପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ୱାଇ ରାଜୁ (୨୫), ଜରଡ଼ା ଥାନା ଅନ୍ତର୍ଗତ ଜି ବଳରାମପୁର ରବି ଗଣେଶ (୨୫) ଓ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ଗ୍ରାମିଣ ଥାନା ଅନ୍ତର୍ଗତ ଲୁଦାପୁଟି ଗ୍ରାମର ଏସ ଦୁର୍ଯ୍ୟୋଧନ (୨୪) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in
ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG
ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43



