ପ୍ରହସନ ପାଲଟିଛି ତମାଖୁ ବର୍ଜନ ଦିବସ ପାଳନ, ବଢୁଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା

ବୌଦ୍ଧ :  ୧୯୮୭ ମସିହାଠାରୁ ପ୍ରତିବର୍ଷ ମେ’ ମାସ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି । ଲୋକଙ୍କ ମଧ୍ୟରେ ତମାଖୁ ଜନିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହାର ସେବନକୁ ବନ୍ଦ କରିବା ଏହି ଦିବସ ପାଳନର ମୁଳ ଉଦ୍ଦେଶ୍ୟ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁସାରେ ରାଜ୍ୟର ୧୫ ବର୍ଷରୁ ଅଧିକ ୫୧ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ଯେକୌଣସି ପ୍ରକାର ତମାଖୁର ସେବନ କରୁଛନ୍ତି ।

ବିଶ୍ଵ ତମାଖୁ ବର୍ଜନ ଦିବସରେ ବୌଦ୍ଧଠାରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ସଭା ଆୟୋଜିତ ହୋଇଛି ।  ଜିଲ୍ଲା ପ୍ରଶିକ୍ଷଣ କକ୍ଷରେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି ।  ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର ଅଧକ୍ଷତା କରିଥିଲେ ।  ଅତିଥି ଭାବେ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଡାକ୍ତର ମନରଞ୍ଜନ ମହାକୁଳ ପ୍ରମୁଖ  ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ  ସ୍ୱାସ୍ଥ୍ୟ କର୍ମଚାରୀ, ପରାମର୍ଶ ଦାତା, ଆଶା କର୍ମୀ, ଛାତ୍ରୀମାନେ ଉପସ୍ଥିତ ଥିଲେ ।

ଅନ୍ୟପଟେ ଜିଲାରେ ପ୍ରତିଦିନ କ୍ୟାନସର ଓ କିଡ଼ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲାରେ ପ୍ରହସନ ପାଲଟିଛି ଗୁଟଖା ବନ୍ଦ ଆଇନ । ଜିଲାରେ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟର ବିକ୍ରି ଓ କ୍ରୟ ନିୟନ୍ତ୍ରଣ ହୋଇ ପାରିନାହିଁ । ଚାରିଆଡେ ଗୁଟଖା ମାଳ ଝୁଲୁଥିବା ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ବିଭାଗର ଏଥିପ୍ରତି ଆନ୍ତରିକତା ନଥିବା ସ୍ୱଷ୍ଟ ବାରି ହୋଇପଡୁଛି । ସଚେତନତା ଅଭାବରୁ ଅଧିକାଂଶ କିଶୋର ଓ ଯୁବପିଢି କୁସଙ୍ଗରେ ପଡ଼ି ତମାଖୁ ସେବନ ପ୍ରତି ଆକର୍ଷିତ ହେଉଛନ୍ତି । ଗୁଟଖା ବେପାରୀମାନେ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟଖା ଆଣି ଅବାଧରେ ବିକ୍ରି କରି ମାଲାମାଲ ହେଉଛନ୍ତି । ବର୍ଷକୁ ଥରେ ଅଧେ ଜିଲା ଖାଦ୍ୟ ସୁରକ୍ଷା ଓ ଯୋଗାଣ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ ହାତ ଗଣତି ମାତ୍ର ୪ କିମ୍ବା ୫ଟି ଛୋଟ ଛୋଟ ପାନ ଓ ଚାହା ଦୋକାନରୁ  ଗୁଟଖା ବିକ୍ରି ବାବଦକୁ ୨ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରି ପ୍ରଶାସନ ହାତବାନ୍ଧି ବସୁଥିବା ଜଣାପଡିଛି ।

Comments are closed.