www.samajalive.in
Wednesday, December 10, 2025
14.1 C
Bhubaneswar

ଅଙ୍ଗଚୋରି ଅଭିଯୋଗରେ ଖୋଳାଗଲା କବର; ରୁଦ୍ର ହସ୍ପିଟାଲ ନାଁରେ ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ଅଙ୍ଗ ଚୋରି ଅଭିଯୋଗରେ ମଶାଣୀରୁ କବର ଖୋଳିଲା ପୁଲିସ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ। ପୀଡ଼ିତ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବାପରେ ସହକାରୀ ଉପଜିଲାପାଳ ହରେକୃଷ୍ଣ ରାଉତ ଓ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ଗାଁ ମଶାଣୀରେ ପୋତା ଯାଇଥିବା ମୃତଦେହକୁ ଖୋଳି ବାହାର କରାଯାଇଛି। କଟକସ୍ଥିତ ରୁଦ୍ର ନାମକ ଏକ ଘରୋଇ ହସ୍ପିଟାଲ ଅଙ୍ଗ ଚୋରି କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି

ଅଭିଯୋଗ ଅନୁଯାୟୀ, ଟିକରବାଜୁ ଗାଁର ବାବୁଲା ଦିଗାଳ ପୁଅ ଓ ସ୍ତ୍ରୀଙ୍କୁ ନେଇ ବାଇକ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ତାଙ୍କୁ ତୁମୁଡିବନ୍ଧ ହସ୍ପିଟାଲ ଆଉ ତା’ପରେ ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ କୌଣସି କାରଣବଶତଃ ସେଠାରେ ଚିକିତ୍ସା ହୋଇପାରି ନ ଥିଲା। ଆଉ ଶେଷରେ ସ୍ଥାନୀୟ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କଥାରେ ପଡ଼ି ପରିବାର ଲୋକେ କଟକ ରୁଦ୍ର ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ଜମା କରିବା ପରେ ହିଁ ଚିକିତ୍ସା କରାଯିବ ବୋଲି କହିଥିଲେ। ବଡ଼ କଷ୍ଟରେ ପରିବାର ଲୋକେ ଦାବି ମୁତାବକ ଟଙ୍କା ଜମା କରିବାର କିଛି ସମୟ ପରେ ଡାକ୍ତର ବାବୁଲା ଦିଗାଳଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ମୃତଦେହ ଗାଁକୁ ନେଇଯିବାକୁ ବାଧ୍ୟ କରି ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ପଠାଇ ଦେଇଥିଲେ। ଗାଁ ଆସିବା ସମୟରେ ପରିବାର ଲୋକେ ତାଙ୍କ ମୁଣ୍ଡ ଚିକିତ୍ସା ବଦଳରେ ତଳିପେଟ କଟା ଯାଇଥିବା ଦେଖିବାକୁ ପାଇଥିଲେ। ପରିବାର ଓ ଗାଁ ଲୋକଙ୍କ ସହମତିରେ ଗାଁ ମଶାଣୀରେ ତାଙ୍କ ମୃତଦେହକୁ କବର ଦିଆଯାଇଥିଲା। କିନ୍ତୁ ପୁଣି ଥରେ ସନ୍ଦେହ କରି ପରିବାର ଲୋକେ ଥାନାରେ ଅଭିଯୋଗ ଆଣିବା ପରେ ଶୁକ୍ରବାର ପୁଲିସ ମଶାଣୀରୁ କବର ଖୋଳି ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ବାଲିଗୁଡା ଥାନାରେ ୨୭୫/୨୪ରେ ଏକ ମାମଲା ରୁଜୁ କରାଯାଇ ପୁଲିସ ଅଧିକ ତଦନ୍ତ ଚଳାଇଛି। ତେବେ ଏନେଇ ରୁଦ୍ର ହସ୍ପିଟାଲ ମ୍ୟାନେଜର ସୁଶାନ୍ତ ବେହେରା ପତିକ୍ରିୟା ରଖି କହିଛନ୍ତି ଯେ, ସେଭଳି କୌଣସି ଅଙ୍ଗ ତସ୍କରୀ ହୋଇନାହିଁ। ଦୁର୍ଘଟଣାରେ ଚିକିତ୍ସିତ ବ୍ୟକ୍ତିଙ୍କ ମୁଣ୍ଡର ସ୍କଲ ନଷ୍ଟ ନ ହେବ ପାଇଁ ପେଟରେ ରଖା ଯାଇଥିଲା ଓ ମୃତୁ ପରେ ଶବ ବ୍ୟବଛେଦ ପାଇଁ ପରିବାର ଲୋକ ସହଯୋଗ ନ କରିବାରୁ ଆମେ ତାଙ୍କୁ ଘରକୁ ପଠାଇ ଦେଇଥିଲୁ। ଏଠାରେ କୌଣସି ଅଙ୍ଗ ତସ୍କରୀ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories