ଡେସ୍କ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ନିଜ ଗିରଫଦାରୀକୁ ଶ୍ରୀ କେଜ୍ରିୱାଲ ବେନିୟମ ବୋଲି ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ ଭି ରାଜୁଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ମେ’ ୧୦ରୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।



