nua o banner

ସିବିଏସ୍‌ଇ ପରୀକ୍ଷା ସ୍ୱଚ୍ଛ କରାଇବାକୁ ଉଚ୍ଚସ୍ତରୀୟ କମିଟି ଗଠନ

BSKY banner  750×100
0

ନୂଆଦିଲ୍ଲୀ : ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ କାରଣରୁ ସୃଷ୍ଟ ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ଏହି ପରୀକ୍ଷାକୁ ସ୍ୱଚ୍ଛ କରାଇବା ଉଦ୍ଦେଶ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏଚ୍‌ଆର୍‌ଡି) ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏଚ୍‌ଆର୍‌ଡି ସଚିବ ଭି. ଏସ୍‌. ଓବରଏଙ୍କ ଅଧ୍ୟକ୍ଷତାରେ ବହୁ ବିଶେଷଜ୍ଞଙ୍କୁ ନେଇ ମଙ୍ଗଳବାର ଉଚ୍ଚ କ୍ଷମତାସମ୍ପନ୍ନ ଏହି କମିଟି ଗଠନ କରାଯାଇଛି। ଏହି କମିଟି କେନ୍ଦ୍ରୀୟ ଶିକ୍ଷା ବୋର୍ଡର ପରୀକ୍ଷା ପ୍ରକ୍ରିୟାର ସମୀକ୍ଷା କରିବ। ଏଥିସହ ଆଧୁନିକ ପ୍ରାଦ୍ୟୋଗ ବ୍ୟବହାର ଦ୍ୱାରା ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ଅଧିକ ସ୍ୱଚ୍ଛ କରାଇବା ନେଇ ପରାମର୍ଶ ଦେବାର ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଥିବା ଜଣାପଡିଛି। ମେ’ ୩୧ ସୁଦ୍ଧା ମନ୍ତ୍ରଣାଳୟ ନିକଟରେ କମିଟି ଏହାର ରିପୋର୍ଟ ଦାଖଲ କରିବ।
ତେବେ ଗଣିତ ପରୀକ୍ଷା ପୁନଃ ଅନୁଷ୍ଠିତ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ସିବିଏସ୍‌ଇ ଦଶମ ଶ୍ରେଣୀର ଲକ୍ଷାଧିକ ଛାତ୍ରଛାତ୍ରୀ ଆଶ୍ୱସ୍ତ ହୋଇଥିବା ବେଳେ ଅନ୍ୟପଟେ ବୁଧବାର ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନିରାଶ କରିଛି। ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ବିଷୟର ପୁନଃ ପରୀକ୍ଷାକୁ ବିରୋଧ କରି ହୋଇଥିବା ୫ଟି ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଖାରଜ କରିଦେଇଛନ୍ତି। ପୁନଃ ପରୀକ୍ଷାର ଆୟୋଜନ ସମ୍ବନ୍ଧୀୟ ନିଷ୍ପତ୍ତି ନେବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର କ୍ଷମତା ପରିସରଭୁକ୍ତ; ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ବୋଲି ବିଚାରପତି ଏସ୍‌. ଏ. ବୋବଡୋ ଏବଂ ବିଚାରପତି ଏଲ୍‌. ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି। ଫଳରେ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଏପ୍ରିଲ ୨୫ରେ ଏହି ବିଷୟର ପୁନଃ ପରୀକ୍ଷା ଅନୁଷ୍ଠିତ ହେବା ନିଶ୍ଚିତ ହୋଇଛି। ପୁନଃ ପରୀକ୍ଷା ଅନୁଷ୍ଠିତ ହେଲେ ସେଥିରେ ଯୋଗଦେବାକୁ ଆବେଦନକାରୀ ଛାତ୍ରଙ୍କୁ ଖଣ୍ଡପୀଠ କହିଛନ୍ତି।
ମାର୍ଚ୍ଚ ୨୮ରେ ଦଶମ ଶ୍ରେଣୀ ଗଣିତ ଏବଂ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା। ଏଣୁ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ଏପ୍ରିଲ ୨୫ରେ ଦେଶର ସମସ୍ତ ସିବିଏସ୍‌ଇ ସ୍କୁଲରେ ଏବଂ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ଜୁଲାଇରେ ଦିଲ୍ଲୀ ଏନ୍‌ସିଆର୍‌ ଏବଂ ହରିୟାଣାରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୩୦ରେ ଘୋଷଣା କରାଯାଇଥିଲା। ଏହାକୁ ବିରୋଧ କରି ଇତିମଧ୍ୟରେ ଏ ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି। ଦେଶବ୍ୟାପୀ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାରୁ ଦିଲ୍ଲୀ ପୁଲିସ ସମଗ୍ର ଦେଶରେ ତଦନ୍ତ କରିବାକୁ ଅକ୍ଷମ। ଏଣୁ ଏହି ଘଟଣାର ସିବିଆଇ ତଦନ୍ତ କରିବା ଲାଗି ଏକ ଆବେଦନରେ ଦର୍ଶାଯାଇଥିଲା। ଚଳିତବର୍ଷ ସିବିଏସ୍‌ଇ ଦଶମଶ୍ରେଣୀର ୧୬,୩୮,୪୨୮ ଜଣ ଏବଂ ଦ୍ୱାଦଶ ଶ୍ରେଣୀର ୧୧,୮୬,୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୁନଃ ପରୀକ୍ଷା ନିଷ୍ପତ୍ତି ଦ୍ୱାରା ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି; ଯାହାକି ସମ୍ପୂର୍ଣ୍ଣ ମନମାନି, ବେଆଇନ ଏବଂ ଅସାମ୍ବିଧାନିକ ବୋଲି ରୀପକ୍‌ କନ୍‌ସଲ ନାମକ ଜନୈକ ଛାତ୍ର ତାଙ୍କ ଆବେଦନରେ ଦର୍ଶାଇଥିଲେ। ସିବିଏସ୍‌ଇ ନିଷ୍ପତ୍ତିକୁ ଲକ୍ଷାଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିରୋଧ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ପରିସ୍ଥିତିକୁ ସମୀକ୍ଷା କରିବା ପରେ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପୁନଃ ଅନୁଷ୍ଠିତ ହେବ ନାହିଁ ବୋଲି ମଙ୍ଗଳବାର କେନ୍ଦ୍ର ସରକାର ଘୋଷଣା କରିଥିଲେ। ପ୍ରଶ୍ନପତ୍ର ପ୍ରଘଟର ବିଶେଷ ପ୍ରଭାବ ପଡିବାର ଆଶଙ୍କା ନ ଥିବାରୁ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶିକ୍ଷା ସଚିବ ଅନୀଲ ସ୍ୱରୂପ କହିଥିଲେ। ଫଳରେ ଦଶମ ଶ୍ରେଣୀର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି।

Leave A Reply