୨ୟ ଟି୨୦ରେ ବାଂଲାଦେଶ ବିଜୟୀ
ଢାକା : ଅଧିନାୟକ ସାକିବ୍ ଅଲ୍ ହାସନ୍ଙ୍କ ଅଲ୍ରାଉଣ୍ଡ ସଫଳତା ସହ ଲିଟନ୍ ଦାସ ଓ ମହମ୍ମଦୁଲ୍ଲାଙ୍କ ଚମତ୍କାର ବ୍ୟାଟିଂ ଫଳରେ ଗୁରୁବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ରେ ଘରୋଇ ବାଂଲାଦେଶ ବିଜୟୀ ହୋଇଛି। ୱେଷ୍ଟଇଣ୍ଡିଜ୍କୁ ୩୬ ରନ୍ରେ ପରାସ୍ତ କରିବା ସହ ଟ୍ବେଣ୍ଟି୨୦ ସିରିଜ୍କୁ ୧-୧ କରିପାରିଛି ବାଂଲାଦେଶ। ଲିଟନ୍ଙ୍କ ଅର୍ଦ୍ଧଶତକ ପରେ ସାକିବ୍ ଓ ମହମ୍ମଦୁଲ୍ଲାଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୨୦ ଓଭର ଶେଷରେ ୪ ୱିକେଟରେ ୨୧୧ ରନ୍ କରିଥିଲା। ପରେ ରୋଭ୍ମ୍ୟାନ୍ ପୱେଲଙ୍କ ଅର୍ଦ୍ଧଶତକ ସତ୍ତ୍ବେ ସାକିବ୍ ୫ଟି ୱିକେଟ ନେବାରୁ ୪ଟି ବଲ୍ ବାକିଥାଇ ୧୭୫ ରନ୍କରି ୱେଷ୍ଟଇଣ୍ଡିଜ୍ ଅଲ୍ଆଉଟ ହୋଇ ଯାଇଥିଲା। ୨୨ରେ ୩ୟ ତଥା ନିର୍ଣ୍ଣାୟକ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ।
ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଫିଲ୍ଡିଂ ନେଇଥିଲା। ୪ ଓଭରରେ ୪୨ ରନ୍ର ଓପ୍ନିଂ ଭାଗିଦାରୀ ପରେ ତମିମ୍ ଇକ୍ବାଲ ୧୫ ରନ୍କରି ବିଦାୟ ନେଇଥିଲେ। ତେବେ ଅନ୍ୟପଟେ ଲିଟନ୍ ଦାସ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଲିଟନ୍ ଓ ସୌମ୍ୟ ସରକାର ୨ୟ ୱିକେଟ ପାଇଁ ୬୮ ରନ୍ ଯୋଗ କରିଥିଲେ। ସୌମ୍ୟ ୨୨ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୨ ରନ୍ କରିଥିଲେ। ଲିଟନ୍ ୩୪ ବଲ୍ରୁ ୪ଟି ଛକା ଓ ୬ଟି ଚୌକା ସହ ୬୦ ରନ୍ କରିଥିଲେ। ମୁସ୍ଫିକୁର ରହିମ୍ ୧ ରନ୍ କରିଥିଲେ। ୧୦ ରନ୍ ମଧ୍ୟେର ବାଂଲାଦେଶ ୩ଟି ୱିକେଟ ହରାଇବା ପରେ ସାକିବ୍ ଅଲ୍ ହାସନ୍ ଓ ମହମ୍ମଦୁଲ୍ଲା ଅବିଭାଜିତ ୫ମ ୱିକେଟ ପାଇଁ ଶେଷ ୭ ଓଭରରୁ ୯୧ ରନ୍ ଯୋଡ଼ିଥିଲେ। ସାକିବ୍ ୨୬ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୨ ଏବଂ ମହମ୍ମଦୁଲ୍ଲା ୨୧ ବଲ୍ରୁ ୭ଟି ଚୌକା ସହ ୪୩ ରନ୍ କରି ଅପରାଜିତ ଥିଲେ। ସେଲ୍ଡନ୍ କୋଟ୍ରେଲ ୨ଟି ୱିକେଟ ନେଇଥିଲେ। ୨୧୨ ରନ୍ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗିଥିଲା। ଏଭିନ୍ ଲୁଇସ୍ ୧ ଓ ନିକୋଲାସ୍ ପୂରନ୍ ୬ ବଲ୍ରୁ ୧୪ ରନ୍କରି ବିଦାୟ ନେଇଥିଲେ। ମୁସ୍ତାଫିଜୁର ରେହ୍ମାନଙ୍କ ଏକ ଓଭରରେ କ୍ରମାଗତ ୪ଟି ଚୌକା ମାରିଥିିବା ସାଇ ହୋପ୍ ୧୯ ବଲ୍ରୁ ୬ଟି ଚୌକା ସହ ବିସ୍ଫୋରକ ୩୬ ରନ୍କରି ଆଉଟ ହୋଇଥିଲେ। ସିମ୍ରନ୍ ହେତ୍ମାୟର ୧୭ ବଲ୍ରୁ ୧୯ ରନ୍କରି ଆଉଟ ହେବା ସହ ୱେଷ୍ଟଇଣ୍ଡିଜ୍ ଦିଗହରା ହୋଇ ଯାଇଥିଲା। ୧୧୯ ରନ୍ରେ ୬ଟି ୱିକେଟ ପଡ଼ିଯିବା ପରେ କିମୋ ପଲ୍ ୧୬ ବଲ୍ରୁ ୨ଟି ଛକା ସହ ୨୯ ରନ୍ କରିଥିଲେ। ସାକିବ୍ ଅଲ୍ ହାସନ୍ ୨୧ ରନ୍ଦେଇ ୫ଟି ଓ ମୁସ୍ତାଫିଜୁର ରେହ୍ମାନ ୨ଟ ୱିକେଟ ପାଇଥିଲେ। ସାକିବ୍ ଅଲ୍ ହାସନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।