‘ସ୍ଥାନାପନ୍ନ ମାତୃତ୍ବ’ ବିଲ୍‌ ଲୋକସଭାରେ ଗୃହୀତ

0

ନୂଆଦିଲ୍ଲୀ: ନିଃସନ୍ତାନ ଦମ୍ପତିଙ୍କ ମୁହଁରେ ହସ ଫୁଟାଇବା ଓ ଜୀବନକୁ ସରସ ସୁନ୍ଦର କରିବା ଲାଗି ଏକ ସୁଖବର। କେନ୍ଦ୍ର ସରକାର ଲୋକସଭାରେ ବୁଧବାର ଗୁରୁତ୍ବପୂର୍ଣ୍ଣ ସ୍ଥାନାପନ୍ନ ମାତୃତ୍ବ (ସରୋଗେସି) ବା ଅନ୍ୟଗର୍ଭରେ ମାତୃତ୍ବ ବିଧେୟକ ନିୟନ୍ତ୍ରଣକୁ ଗୃହୀତ କରାଇଛନ୍ତି। ତେବେ ଭାରତରେ ଏହି ବିଧେୟକରେ କେବଳ ନିକଟତମ ସମ୍ପର୍କୀୟ ହିଁ ଗର୍ଭଗ୍ରହଣ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।
ବୁଧବାର କଂଗ୍ରେସ ଓ ଏଆଇଏଡିଏମ୍‌କେ ସାଂସଦଙ୍କ ହୋହଲ୍ଲା ମଧ୍ୟରେ ଏହା ବାଚନିକ ଭୋଟ୍‌ରେ ଗୃହୀତ ହୋଇଛି। ଏଥିରେ ବ୍ୟାବସାୟିକ ଭାବେ ‌ସ୍ଥାନାପନ୍ନ ମାତୃତ୍ବ ଉପରେ କଟକଣା ଜାରି ହୋଇଛି ଏବଂ କେବଳ ଅତି ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଏହାକୁ ଅନୁମତି ଦିଆଯିବା ବ୍ୟବସ୍ଥା ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ କହିବାନୁଯାୟୀ, ନିଃସନ୍ତାନ ଦମ୍ପତିଙ୍କ ମୁହଁରେ ହସ ଫୁଟାଇବାରେ ଏହି ଆଇନ ମହତ୍ତ୍ବପୂର୍ଣ୍ଣ ରହିବ। ଏହାବ୍ୟତୀତ ବାଣିଜ୍ୟିକ ଭାବେ ଅନ୍ୟର ଗର୍ଭକୁ ବ୍ୟବହାର କରାଯିବା ଦ୍ବାରା ସୃଷ୍ଟ ସାମାଜିକ ସମସ୍ୟାରୁ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବ। ୨୦୧୬ରେ ଏହି ବିଧେୟକ ଲୋକସଭାରେ ଆଗତ ହୋଇଥିଲା।
ଏହି ବିଧେୟକରେ ରହିଥିବା ବ୍ୟବସ୍ଥା ଅନୁସାରେ ଭାରତୀୟ ନିଃସନ୍ତାନ ଦମ୍ପତିଙ୍କ କ୍ଷେତ୍ରରେ ଯେଉଁ ମହିଳା ସନ୍ତାନ ଧାରଣ କରିବାକୁ ଅକ୍ଷମ ତାଙ୍କୁ ସ୍ଥାନାପନ୍ନ ମାତୃତ୍ବ ପାଇଁ ଅନୁମତି ପ୍ରଦାନ କରାଯିବ। ନିଜର କୌଣସି ନିକଟ ସମ୍ପର୍କୀୟ ମହିଳାଙ୍କ ଗର୍ଭ ​‌େ​‌ସମାନେ ବ୍ୟବହାର କରିପାରିବେ। ଏ ସଂକ୍ରାନ୍ତ ଆଇନର ସଠିକ୍‌ କାର୍ଯ୍ୟକାରିତା ପାଇଁ ଜାତୀୟ ସରୋଗେସି ବୋର୍ଡ ତଥା ରାଜ୍ୟ ସରୋଗସି ବୋର୍ଡ ଗଠନ କରାଯିବ। ଏହି ବୋର୍ଡଠାରୁ ଇଚ୍ଛୁକ ଦମ୍ପତି ଆବଶ୍ୟକ ଅନୁମତି ନେବେ। କେବଳ ଭାରତୀୟଙ୍କ କ୍ଷେତ୍ରରେ ଏହି ଆଇନ ଲାଗୁ ହେବ। ଏଥିରେ ବିଦେଶୀ ନାଗରିକ, ପ୍ରବାସୀ ଭାରତୀୟ ଏବଂ ଭାରତୀୟ ମୂଳ ନାଗରିକଙ୍କୁ ଭାରତରେ ମାତୃତ୍ବ ଲାଭ ପାଇଁ ଅନୁମତି ମିଳିବ ନାହିଁ। ଏହାଛଡ଼ା ଭାରତରେ ସମଲିଙ୍ଗୀ, ଏକକ ଦମ୍ପତି ଓ ବିବାହ ପୂର୍ବରୁ ଏକାଠି ବସବାସ କରୁଥିବା ଦମ୍ପତିଙ୍କୁ ମଧ୍ୟ ସରୋଗେସି ବ୍ୟବସ୍ଥାରେ ସନ୍ତାନ ଧାରଣ ପାଇଁ ଅନୁମତି ମିଳିବ ନାହିଁ। ଯେଉଁ ଦମ୍ପତିଙ୍କର ସନ୍ତାନସନ୍ତତି ଅଛନ୍ତି ସେମାନଙ୍କୁ ମଧ୍ୟ ଆଇନାନୁସାରେ ଏଥିପାଇଁ ବାରଣ କରାଯିବ। ସେମାନେ ଅନ୍ୟ ଆଇନାନୁସାରେ ପୋଷ୍ୟସନ୍ତାନ ଗ୍ରହଣ କରିପାରିବେ। ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କ କହିବାନୁସାରେ ବହୁ ରାଜନୈତିକ ଦଳ, ସାମାଜିକ ସଂଗଠନ, ସୁପ୍ରିମକୋର୍ଟ, ଆଇନ ଆୟୋଗ ଭଳି ବହୁ ସଂଗଠନ ବାଣିଜ୍ୟିକ ସରୋଗେସି ବିରୋଧରେ ମତ ଦେଇଥିଲେ। ବିଧେୟକରେ ସେମାନଙ୍କ ମତାମତକୁ ଗୁରୁତ୍ବ ଦିଆଯାଇଛି।
ବିଧେୟକ ସମ୍ପର୍କରେ ଆଲୋଚନା ସମୟରେ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ କହିଥିଲେ ଯେ ଏହା ଏକ ଭଲ ବିଧେୟକ ହୋଇଥିଲେ ମଧ୍ୟ ଏଥିରେ ଆଧୁନିକ ବିଧିବ୍ୟବସ୍ଥାର ଅଭାବ ପରିଲ୍ଲଖିତ ହେଉଛି। ସେହିପରି ତୃଣମୂଳ କଂଗ୍ରେସ ସାଂସଦ କାକଳି ଘୋଷ କହିଥିଲେ ଯେ ସମଲିଙ୍ଗୀ ଦମ୍ପତିଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରାଯିବା ଆବଶ୍ୟକ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଆବଶ୍ୟକ ଆଇନର ଅଭାବ ଯୋଗୁଁ ଭାରତରେ ସରୋଗେସି ଶିଳ୍ପ ପରିପୁଷ୍ଟ ହେବାରେ ଲାଗିଛି; ତେବେ ସରକାର କେଉଁ ଉପାୟରେ ନିକଟତମ ସମ୍ପର୍କୀୟ ବାଛିବେ ତାହା ସ୍ପଷ୍ଟ ହେବା ଦରକାର।
ବିଧେୟକରେ ନିଜ ପରିବାର କିମ୍ବା ଅତି ନିକଟ ସଂପର୍କୀୟଙ୍କୁ ସରୋଗେସି ଭାବେ ଅନୁମତି ଦିଆଯାଇଛି। ବ୍ୟାବସାୟିକ ଭିତ୍ତିରେ ଅନ୍ୟର ଗର୍ଭ ବ୍ୟବହାର ଉପରେ ବିଲ୍‌ରେ କଟକଣା ରହିଛି। ଅର୍ଥବଳରେ କିଛି ଧନୀ ତଥା ସେଲିବ୍ରିଟି ଅନ୍ୟବ୍ୟକ୍ତିଙ୍କ ଗର୍ଭକୁ ଏଥିପାଇଁ ବ୍ୟବହାର କରୁଥିବା ନଜରକୁ ଆସିବା ଏବଂ କେତେକ ସଂସ୍ଥା ବ୍ୟାବସାୟିକ ଭିତ୍ତିରେ ଏଭଳି ସରୋଗେସି କାର୍ଯ୍ୟ ଚଳାଇଥିବାରୁ ଏହା ଉପରେ ଉକ୍ତ ବିଲ୍‌ରେ କେନ୍ଦ୍ର ସରକାର କଟକଣା ଲଗାଇଥିବାବେଳେ ଅନ୍ୟପଟେ କେବଳ ପରିବାର ସଦସ୍ୟ ତଥା ଅତ୍ୟନ୍ତ ଘନିଷ୍ଠ ସଂପର୍କୀୟଙ୍କୁ ସରୋଗେସି ଗ୍ରହଣ ଲାଗି ଅନୁମତି ଦେଇ ସଂପର୍କରେ ସରୋଗେସିକୁ ବିଧେୟକରେ ମିଳିଛି ସ୍ବୀକୃତି।

Leave A Reply