୧୨୬ କେ.ଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ଉପରେ ରୋକ ଲଗାଇବା ପାଇଁ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ରହିଥିବାବେଳେ ରୀତିମତ ଏହି ଅଞ୍ଚଳରୁ ପୁଲିସକୁ ଚ୍ୟାଲେଞ୍ଚ ଦେଇ ବାହାର ରାଜ୍ୟ ଓ ଜିଲ୍ଲାର କିଛି ଗଞ୍ଜେଇ ମାଫିଆ ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି । ବିଭିନ୍ନ ଜାଗାରେ ପୁଲିସ ତରଫରୁ ଚଢ଼ାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି । ତଥାପି ଗଞ୍ଜେଇ କାରବାର ବନ୍ଦ ହେବାର ନା ଧରୁନି । ତେବେ ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ପେଟ୍ରୋଲିଂ ସମୟରେ ଫିରିଙ୍ଗିଆ ପୁଲିସ ପଶ୍ଚିମବଙ୍ଗ ରାଜ୍ୟର ନମ୍ବର ଲେଖାଥିବା ଏକା କାରକୁ ଜବତ କରିବା ସହ ସେଥିରୁ ୧୨୬ କିଲୋ ଗଞ୍ଜେଇ ଜବତ କରିଛି । କାର ଚାଳକ ସହ ଦୁଇଜଣ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।

ସୂଚନା ଅନୁସାରେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ ସାହୁଙ୍କ ନେତୃତ୍ୱରେ ଏକ ଟିମ ମଙ୍ଗଳବାର ସକାଳୁ ପେଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ବାଲିଗୁଡା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ଥାନା ମାଣିପଦର ଛକ ନିକଟରେ ଦ୍ରୁତଗତିରେ ଆଉଥିବା ଏହି କାରକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ କାରର ପଛପଟ ଡ଼ିକିରୁ ଏକ ବସ୍ଥାରେ ଭର୍ତ୍ତି କରାଯାଇଥିବା ୧୨୬ କିଲୋ ଗଞ୍ଜେଇ ଜବତ କରାଯାଇଥିବାବେଳେ ଗଞ୍ଜେଇ ଚାଲାଣ ଅଭିଯୋଗରେ କାରର ଡ୍ରାଇଭର ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା ।

ଗିରଫ ମାନଙ୍କ ମଧ୍ୟ୍ୟରୁ ଜଣେ ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ଧାରୁଆ ଗାଁର ଜ୍ଞାନରଞ୍ଜନ ପୃଷ୍ଟି ବୋଲି ଜଣାପଡିଥିବାବେଳେ ଅନ୍ୟଜଣେ କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବଡ଼ପଣ୍ଡା ଗାଁର ସୁକାନ୍ତ ଜେନା ବୋଲି ଜଣାପଡିଛି ।  ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୫୮/୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ।

Comments are closed.