ମ୍ୟାନେଜମେଣ୍ଟ ଶିକ୍ଷାକେନ୍ଦ୍ରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ/ଭୁବନେଶ୍ଵର : ଅନୁଗୋଳସ୍ଥିତ ନାଲକୋ ଟ୍ରେନିଂ ଇନଷ୍ଟିଚ୍ୟୁଟଠାରେ  ଆଇ.ଆଇ.ଏମ ମୁମ୍ବାଇ ଓ ଆଇ.ଆଇ.ଏମ ସମ୍ବଲପୁରର ମିଳିତ ସହଯୋଗରେ ପରିଚାଳିତ ଏକ ମ୍ୟାନେଜମେଣ୍ଟ ଶିକ୍ଷାକେନ୍ଦ୍ରକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ନାଲକୋ ସିଏମଡି ଶ୍ରୀଧର ପାତ୍ରଙ୍କ ଉପସ୍ଥିତ ଥିଲେ। ନିଜର ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁଗୋଳ ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ ଏବଂ କୋଇଲା ଉତ୍ପାଦନ ନିମନ୍ତେ ଏହା ଜଣାଶୁଣା। ଏହି କ୍ରମରେ ଏଠାକାର ରାସ୍ତା ଏବଂ ରେଳ ଭିତ୍ତିଭୂମିର ବିକାଶ କରାଯାଉଛି। ନୂଆକରି ଖୋଲିଥିବା ଏହି ମ୍ୟାନେଜମେଣ୍ଟ ଶିକ୍ଷା କେନ୍ଦ୍ର ପି.ଏମ. ଗତିଶକ୍ତି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛି। ଡିଜିଟାଇଜେସନ ମାଧ୍ୟମରେ ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳକୁ ପ୍ରୋତ୍ସାହିତ କରିବା ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଏହି ଅଞ୍ଚଳର ଶିଳ୍ପ ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ହେବ ଦ୍ଵାରା ଲଜିଷ୍ଟିକ୍ସ  କ୍ଷେତ୍ରରେ ଆବଶ୍ୟକୀୟ ବିକାଶ ହୋଇପାରିବ। ଅନୁଗୋଳସ୍ଥିତ ନାଲକୋ କ୍ୟାମ୍ପସରେ ସ୍ଥାପିତ ଏହି ମ୍ୟାନେଜମେଣ୍ଟ ଶିକ୍ଷା କେନ୍ଦ୍ର ଆମ ରାଜ୍ୟର ଲଜିଷ୍ଟିକ୍ସ ସେକ୍ଟର ପାଇଁ ଆବଶ୍ୟକ କୌଶଳର ଚାହିଦା ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି କେନ୍ଦ୍ର କେବଳ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ମଧ୍ୟରେ ସୀମିତ ରହିବ ନାହିଁ, ବରଂ ଓଡ଼ିଶାର ସମସ୍ତ ଶିଳ୍ପସଂସ୍ଥା ନିମନ୍ତେ ଲାଭଦାୟକ ହେବ।

ଉଲ୍ଲେଖଯୋଗ୍ୟ ଯେ, ଏହି ପରିଚାଳନା କେନ୍ଦ୍ର ଲଜିଷ୍ଟିକ୍ସ ଏବଂ ଅପରେସନ୍ ଉପରେ ତିନି ଏବଂ ଛଅ ମାସର ପାଠ୍ୟକ୍ରମ ପ୍ରଦାନ କରିବ। ଏହା ଏକ ବର୍ଷର କାର୍ଯ୍ୟନିର୍ବାହୀ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରିବ। ସମୟ ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ର ନୂତନ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ କରିବ। ଆଇ.ଆଇ.ଏମ ମାନଙ୍କ ଦ୍ଵାରା ଶିଳ୍ପ ସଂସ୍ଥା ଗୁଡ଼ିକ ସହ ବିଚାର ବିମର୍ଶ ମାଧ୍ୟମରେ ପାଠ୍ୟକ୍ରମର ବିଷୟବସ୍ତୁ ସ୍ଥିର କରାଯାଇଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଗ୍ରଣୀ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ ମଧ୍ୟରେ ନାଲକୋ ଏବଂ ଏମସିଏଲ ଅନ୍ୟତମ। ଏମସିଏଲ ପକ୍ଷରୁ ପୂର୍ବରୁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହ ଏହି ପାଠ୍ୟକ୍ରମ ପାଇଁ ପ୍ରତ୍ୟେକ ବ୍ୟାଚରେ ଚାଳିଶ ଜଣ କାର୍ଯ୍ୟନିର୍ବାହୀ ଚୟନ କରାଯାଇଛି। ସେହିଭଳି, ନାଲକୋ ପକ୍ଷରୁ ଶ୍ରେଣୀଗୃହ, କାର୍ଯ୍ୟାଳୟ, ରହିବା ଏବଂ ଲଜିଷ୍ଟିକ୍ସ ଯୋଗାଇବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶର ସମସ୍ତ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦେଉଛନ୍ତି। ଖଣି ନୀତିରେ ସଂସ୍କାର ହେତୁ ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲା ଲାଭବାନ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇ.ଆଇ.ଏମ୍ ମୁମ୍ବାଇର ପ୍ରଫେସର ମନୋଜ କୁମାର ତିୱାରୀ, ଆଇ.ଆଇ.ଏମ୍ ସମ୍ବଲପୁର ପ୍ରଫେସର ମହାଦେଓ ଜୈସୱାଲ, ଏମସିଏଲ ର ନିର୍ଦ୍ଦେଶକ(ପର୍ସୋନେଲ) କେଶବ ରାଓ, ଏବଂ ନାଲକୋର ଇଡି (ଏସ.ଆଣ୍ଡ.ପି) ଅମିୟ କୁମାର ସ୍ଵାଇଁ, ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Comments are closed.