Patra electronics

ଭୋର ୩ଟାରେ ଖୋଲିବ ମନ୍ଦିର, ୧୦ଟା ଉଠିବ ମହାଦୀପ

ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଲିଙ୍ଗରାଜ ମହାପ୍ରଭୁଙ୍କ ଚଳିତ ବର୍ଷ ପ୍ରସିଦ୍ଧ ମହାଶିବ ରାତ୍ରୀ ପର୍ବ ଅବସରରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସେ୍ୱଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷର ଜାଗର ଯାତ୍ରାକୁ ମହାଆଡ଼ମ୍ବରରେ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେହିଭଳି ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ପୂର୍ବବର୍ଷ ଭଳି ଚଳିତ ବର୍ଷ ବିଏମ୍‌ସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବୈଠକ ପ୍ରାରମ୍ଭରେ ଜାଗର ନୀତି ନିର୍ଘଣ୍ଟ ସଂପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଆସନ୍ତା ମାର୍ଚ୍ଚ ୮ ତାରିଖ ଭୋର ୩ ଘଟିକା ସମୟରେ ମନ୍ଦିର ଖୋଲାଯାଇ ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିବା ନେଇ ପୂର୍ବରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ଏଥିରେ ଶ୍ରୀଜିଉଙ୍କ ସମସ୍ତ ପାଳିଆ ଓ ସେବାୟତ ମନ୍ଦିରରେ ଉପସ୍ଥିତ ପୂର୍ବକ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥି ସହ ଉକ୍ତ ବୈଠକରେ ବିଭିନ୍ନ ଆନୁଷଙ୍ଗିକ ଦାୟିତ୍ୱ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି ।

ଜାଗର ଅବସରରେ ମନ୍ଦିରର ଅନ୍ତଃଗୃହ, ବେଢ଼ା ପରିଷ୍କାରପରିଚ୍ଛନ୍ନତା, ପାଦୁକା ନାଳ ସଫା, ଆଲୋକୀକରଣ, ବ୍ୟାରିକେଡିଂ, ଟ୍ରାଫିକ୍‌ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ମୁତୟନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ବିଶଦ ଭାବରେ ଆଲୋଚନା କରାଯାଇ ତଦନୁଯାୟୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଜାଗର ଯାତ୍ରା ସମୟରେ ବିଭିନ୍ନ ସେବା ପ୍ରଦାନ ପାଇଁ ନିୟୋଜିତ ସେ୍ୱଚ୍ଛାସେବୀ ସଂଗଠନମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ କରାଯାଇ ସେମାନଙ୍କ ମତାମତକୁ ବିଚାରକୁ ନିଆଯାଇ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ବିଏମ୍‌ସିର ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.