ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ନୀଳାଚଳ ପଲିଟେକ୍‌ନିକ୍‌ ପରିସରରେ ଗତ ଛଅ ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ତିନିଦିବସୀୟ ଯୁବ ରେଡ କ୍ରସ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଡ. ଧରଣୀଧର ନନ୍ଦ ମୁଖ୍ୟ ଅତିଥି, ନୀଳାଚଳ ପଲିଟେକ୍‌ନିକ୍‌ର ଅଧ୍ୟକ୍ଷ ଇଂ. ବିଷ୍ଣୁ ଚରଣ ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ସେ୍ୱଛାସେବୀମାନଙ୍କୁ ଶିକ୍ଷା ଓ ସେବାର ମହତ୍ତ୍ୱ ସମର୍କରେ ବୁଝାଇଥିଲେ ।

ସମଗ୍ର ରାଜ୍ୟରୁ ନିର୍ବାଚିତ ୩୫୦ ଜଣ ଯୁବ ରେଡ କ୍ରସ ସେ୍ୱଛାସେବୀ, ପରାମର୍ଶଦାତା ଓ ଜିଲ୍ଲା ଅଧିକାରୀମାନଙ୍କୁ ନେଇ ଆୟୋଜିତ ଉକ୍ତ ଶିବିର ଭାରତୀୟ ରେଡ୍‌ କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ସୃଷ୍ଟି ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ଇଂ. ସରୋଜ କୁମାର ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ।

ବିଭିନ୍ନ ଦିବସରେ ବିଷୟ ବିଶେଷଜ୍ଞମାନଙ୍କ ଦ୍ୱାରା ସିପିଆର, ବିପର୍ଯ୍ୟୟ ପ୍ରଶମନ, ସଡ଼କ ସୁରକ୍ଷା, କୃତ୍ରିମ ବୁଦ୍ଧିମତା ଓ ସାମାଜିକ ଗଣମାଧ୍ୟମ ଜରିଆରେ ସମାଜସେବା, ଯୋଗ ଓ ପ୍ରାଣାୟାମ ଆଦି ଦଶଟି ବିଷୟରେ ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମରେ ୫୩ ଜଣ ଶିବିରାର୍ଥୀ ରକ୍ତଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗର ଉପ ଶାସନ ସଚିବ ତଥା ରାଜ୍ୟ ଯୁବ ରେଡ୍‌ କ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

prayash

ଏହି ପରିବେଶ ଅନୁକୂଳ ଶିବିରରେ କୌଣସି ପ୍ଲାଷ୍ଟିକ ବା ପଲିଥିନ ଜରି ଇତ୍ୟାଦି ବ୍ୟବହୃତ ହୋଇନଥିଲା । ଶିବିରାର୍ଥୀମାନଙ୍କୁ ଖଲିପତ୍ରରେ ଖାଦ୍ୟ, କାଚ ଗ୍ଲାସରେ ପାଣି ଓ ମାଟି କପ୍‌ରେ ଚା’ପରିବେଷଣ କରାଯାଇଥିଲା, ଏଥି ସହିତ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଶିବିରର ଆକର୍ଷଣ ଥିଲା । ଯୁବ ଆଦର୍ଶ ଭାବେ ଭିମ୍‌ସାର୍‌ର ବିଶିଷ୍ଟ ଚିକିତ୍ସକ ସମାଜସେବୀ ପ୍ରଫେସର ଶଙ୍କର ରାମଚନ୍ଦାନୀ ଯୋଗଦେଇ ଅଧ୍ୟୟନ ସହିତ ସମାଜ ସେବାପ୍ରତି ପ୍ରତିବଦ୍ଧ ହେବା ପାଇଁ ସେ୍ୱଛାସେବୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଶିବିରର୍ଥୀମାନେ ଶ୍ରମଦାନ ପୂର୍ବକ ପଥରଗାଡ଼ିଆ ବସ୍ତି ଅଞ୍ଚଳକୁ ସଫେଇ କରିବା ସହ ଖଣ୍ଡଗିରି ଓ ଉଦୟଗିରି ପରିଭ୍ରମଣ କରିଥିଲେ । ସର୍ବାଧିକ ଥର ରକ୍ତ ଦାତା, ପ୍ରବନ୍ଧ, ତର୍କ, ରିଲ୍‌ ପ୍ରସ୍ତୁତି, ଓଡ଼ିଆ ବେଶ, ଓଡ଼ିଆ ଭାଷା ସଂସ୍କୃତିମୂଳକ ସାଧାରଣ ଜ୍ଞାନ ଆଦି ୧୫ ଟି ବିଷୟରେ ପ୍ରତିଯୋଗିତା ଆୟୋଜିତ ହୋଇ କୃତୀ ସେ୍ୱଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତି ଜିଲ୍ଲାର ଉଲ୍ଲେଖନୀୟ ଯୁବ ରେଡକ୍ରସ୍‌ କାର୍ଯ୍ୟକ୍ରମକୁ ନେଇ ଏକ ଫଟୋ ପ୍ରଦର୍ଶନୀ କରାଯାଇଥିଲା ।

ଉଚ୍ଚଶିକ୍ଷା ବିଭାଗ ଉପଶାସନ ସଚିବ ଓ ଯୁବ ରେଡକ୍ରସ୍‌ ଅଧିକାରୀ ରମେଶଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବର ପରିଚାଳନାରେ କନିଷ୍ଠ ରେଡ୍‌କ୍ରସ୍‌ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ଭୁବନେଶ୍ୱର ଆଞ୍ଚଳିକ ଆବାହକ ଡ. ଲେଖା ଦାସ, ସଂଯୋଜକ ରେବତୀକାନ୍ତ ମହାରଣା, କଟକ ଜିଲ୍ଲା ଆବାହକ ଡ. ସସ୍ମିତା ପଟ୍ଟନାୟକ, ସନ୍ତୋଷ କୁମାର ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.