ବର୍ଷ ଆରମ୍ଭରୁ ଗାଡ଼ି ଯାଞ୍ଚ; ୨ ଲକ୍ଷ ୪ ହଜାର ଟଙ୍କା ଆଦାୟ
ଜି.ଉଦୟଗିରି: ସଡକ ସୁରକ୍ଷା ସଚେତନତା ରଥକୁ ନୂଆବର୍ଷ ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ମଙ୍ଗଳବାର ଜି.ଉଦୟଗିରି ଅଞ୍ଚଳରେ ଜିଲ୍ଲା ପରିବହନ ବିଭାଗ ଓ ଜି.ଉଦୟଗିରି ପୁଲିସ ମିଳିତ ଭାବେ ଗାଡ଼ି ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ସମୟରେ ନିୟମ ଖିଲାପକାରୀଙ୍କଠାରୁ ୨ଲକ୍ଷ ୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି।
ବିବରଣୀରୁ ପ୍ରକାଶ ଯେ, ମଙ୍ଗଳବାର ଫୁଲବାଣୀ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଜି.ଉଦୟଗିରି ପୁଲିସ ଏସ.ଆଇ ଅନନ୍ତ ପ୍ରଧାନ ଟିମ୍ ସହ ମିଳିତ ଭାବେ ଜି.ଉଦୟଗିରି ଅଞ୍ଚଳରେ ବିଭିନ୍ନ ଗାଡ଼ି ଯାଞ୍ଚ କରିଛନ୍ତି। ବେପରୁଆ ଗାଡି ଚାଳକ, ହେଲମେଟ ପିନ୍ଧି ନଥିବା ଗାଡି ଚାଳକ, ବାଇକରେ ତିନିଜଣ ବସି ଯାଉଥିବା ସହ ମଦ୍ୟପ ଚାଳକ ଏପରି ମୋଟ ୪୦ ଜଣଙ୍କଠାରୁ ମୋଟ ୨ଲକ୍ଷ ୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନେଇ ଏସଆଇ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ମଦ୍ୟପ ଗାଡି ଚାଳକ ୩ ଜଣ ଥିବାବେଳେ ଜଣେ ତିନି ଜଣଙ୍କୁ ଧରି ବାଇକ ଚଲାଉଥିବା ବେଳେ ଧରାପଡିଥିବା ଜଣାପଡିଛି।
Comments are closed.