ରାଜ୍ୟ ପୁଲିସ ମୁଖ୍ୟାଳୟରେ ସମ୍ବିଧାନ ଦିବସ ଶପଥ ପାଠ
ଭୁବନେଶ୍ବର: ଆଜି ନଭେମ୍ବର ୨୬ ତାରିଖ। ସମ୍ବିଧାନ ଦିବସ। ଏହି ଅବସରରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ମୁଖ୍ୟାଳୟ) ଦୟାଲ ଗଙ୍ଗୱାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଛନ୍ତି। ସମ୍ବିଧାନ ହେଉଛି ଆମ ସ୍ବାଧୀନ ଭାରତର ପୁଣ୍ୟ ଗ୍ରନ୍ଥ। ଦେଶର ମାର୍ଗ ଦର୍ଶକ। ଦେଶର ସବୁ ଆଇନ, କାନୁନ୍, ବିଧି ବ୍ୟବସ୍ଥାର ମୁଖ୍ୟ ସ୍ରୋତ। ତେଣୁ ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ସବୁ ନାଗରିକ ନିଜ ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ଏହା ସହ ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ। ଦେଶର ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ଦାୟିତ୍ବବାନ ହୋଇ କାମ କରିବା ଆବଶ୍ୟକ ବୋଲି ଇଊଏଚ ଶପଥ ପାଠ କରାଇଛନ୍ତି।
ସମ୍ବିଧାନ ଆମ ଦେଶର ଏକତା ଓ ଅଖଣ୍ଡତାର ମୂଳ ସ୍ରୋତ। ସେଥିପାଇଁ ଆମ ସମସ୍ତଙ୍କୁ ସମ୍ବିଧାନରେ ଥିବା ମୌଳିକ କର୍ତ୍ତବ୍ୟ ଗୁଡ଼ିକୁ ପାଳନ କରିବା ଆବଶ୍ୟକ। ଦେଶର ସାର୍ବଭୌମତ୍ୱ, ଏକତା ଓ ସଂହତି ପ୍ରତି ଆମେ ପ୍ରତି ମୁହୂର୍ତ୍ତରେ ସଚେତନ ରହିବା ଆବଶ୍ୟକ ବୋଲି ସମସ୍ତ କର୍ମଚାରୀ ଶପଥ ପାଠ କରିଛନ୍ତି।
ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଏଆଇଜି (ପ୍ରୋଭିଜନିଙ୍ଗ) ବାମଦେବ ସିଂଙ୍କ ସମେତ ପୋଲିସ ମୁଖ୍ୟାଳୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
Comments are closed.