ପିକକ୍ ପକ୍ଷରୁ ପାରମ୍ପରିକ ଖାଦ୍ୟ ମେଳା
ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ପିକକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ସ୍ଥାନୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି। ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଖାଦ୍ୟମେଳାରେ ପାଟଣା ଓ ଘଟଗାଁ ବ୍ଲକର ପ୍ରାୟ ୫୦ ଜଣ ଆଦିବାସୀ ମହିଳା ୬୦ରୁ ଅଧିକ ପାରମ୍ପରିକ ସ୍ଥାନୀୟ ଖାଦ୍ୟ ପ୍ରସ୍ତୁତ କରି ଏଠାରେ ଯୋଗ ଦେଇଥିଲେ। ସ୍ଥାନୀୟ ଖାଦ୍ୟ ଭିତରେ ଅନେକ ପ୍ରକାର ଜଙ୍ଗଲୀ ଫଳ ମୂଳ , ଅନେକ ସ୍ଥାନୀୟ ତଥା ଆଦିବାସୀ ଖାଦ୍ୟ ସାମଗ୍ରୀ ଯଥା ପିତା ଆଳୁ ସିଝା, ଖମ୍ବ ଆଳୁ ସିଝା, କନ୍ଦ ଆଳୁ ସିଝା , ଶାଳ ପତ୍ର ଶାଗ ପୋଡ଼ା, କାଇ ଚଟଣୀ, ମାଣ୍ଡିଆରେ ପ୍ରସ୍ତୁତ ଅନେକ ଖାଦ୍ୟ ଯେପରିକି ମାଣ୍ଡିଆ ଜାଉ, ମାଣ୍ଡିଆ ରୋଟି , ମାଣ୍ଡିଆ କ୍ଷୀରି, ଗଙ୍ଗେଇ ଖଇ, ମକା ଖଇ ଇତ୍ୟାଦି ଏଠାରେ ପ୍ରଦର୍ଶିତ ହୋଇଥିଲା।
ଏହି ଖାଦ୍ୟ ମେଳାକୁ ପାଟଣା ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ କଳ୍ପନା ଦୋରା ଉଦଘାଟନ କରିଥିଲେ ଏବଂ ଯୋଗ ଦେଇଥିବା ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ମେଳାକୁ ଦେଖିବାକୁ ପାଟଣା ଓ ଘଟଗାଁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ୧୫୦ରୁ ଅଧିକ ଦର୍ଶକ ଆସି ଅନେକ ପ୍ରକାର ସ୍ଥାନୀୟ ଖାଦ୍ୟ ବିଷୟରେ ଅବଗତ ହୋଇଥିଲେ। ମେଳାକୁ ପିକକର ଜିଲା ସଂଯୋଜକ ସତ୍ୟନାରାୟଣ ମହାନ୍ତଙ୍କ ସହ ଦ୍ରୌପଦୀ ବେଜ, ଝସକେତନ ମହାନ୍ତ, ମେଘମାଳା ମହାନ୍ତ,ସୁଚିତ୍ରା ମହାନ୍ତ ଓ ସୁନିଲ ନାଏକ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.