ଆକାଶବାଣୀର ମହତ ରଖିଛନ୍ତି ଅସ୍ଥାୟୀ ଉଦଘୋଷକ

ଭବାନୀପାଟଣା: ଅବିଭକ୍ତ କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ସାହିତ୍ୟ, ସଂସ୍କୃତି, ପରମ୍ପରା, ଲୋକକଳାର ପ୍ରଚାର ପ୍ରସାର ପାଇଁ ୧୯୯୩ ମସିହା ଡିସେମ୍ବର ୩୦ରେ ଏଠାରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ୧୦୦ୱାଟ ବିଶିଷ୍ଟ ଆକାଶବାଣୀ କେନ୍ଦ୍ରରେ ସ୍ଥାୟୀ ଅଧିକାରୀ ନିଯୁକ୍ତି ପାଇଥିଲେ। କ୍ରମଶଃ ଏହି କେନ୍ଦ୍ରରୁ ଭିନ୍ନ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ପ୍ରସାରିତ ହେଇ ଶ୍ରୋତାଙ୍କ ଦ୍ଵାରା ଆଦୃତି ଲାଭ କରିଥିଲା। ସ୍ଥାନୀୟ ଅଞ୍ଚଳର ସାମୟିକ କଳାକାରମାନଙ୍କୁ ସୁଯୋଗ ଦେଇ ବହୁ ମଞ୍ଚରେ ପୁରସ୍କୃତ ହୋଇ ସୁନାମ ଅର୍ଜନ କରିଥିଲା ଏହି କେନ୍ଦ୍ର। ଆଦିବାସୀ ଅଞ୍ଚଳରେ ଶିକ୍ଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ହେବା ଦ୍ବାରା ଦୁର୍ଗମ ଅଞ୍ଚଳବାସୀଙ୍କ ମନୋରଞ୍ଜନର ଏକମାତ୍ର ମାଧ୍ୟମ ସାଜିଥିଲା। ହେଲେ କ୍ରମଶଃ ସରକାରୀ ଉଦାସୀନତାର ଶିକାର ହେଇଥିବା ଏହି ୩୦ ବର୍ଷର କେନ୍ଦ୍ରରେ ଏବେ ୩୦ ଜଣ ସ୍ଥାୟୀ ଅଧିକାରୀ ମଧ୍ୟ ନାହାନ୍ତି। ଦୀର୍ଘ ବର୍ଷ ଧରି କେନ୍ଦ୍ର ନିର୍ଦେଶକ ପଦ ଖାଲି ରହିଛି। ଏପରିକି ଉପକେନ୍ଦ୍ର ନିର୍ଦେଶକ କିମ୍ବା ଜଣେ ହେଲେ କାର୍ଯ୍ୟକ୍ରମ ନିଷ୍ପାଦକ ଦୀର୍ଘ ବର୍ଷରୁ ନାହାନ୍ତି। ଜଣେ ମାତ୍ର ନିୟମିତ ଉଦଘୋଷକ ହିଁ କାମ ଚଳାଇ ନେଉଛନ୍ତି। ଥରେ କୌଣସି ଅଧିକାରୀଙ୍କ ବଦଳି ହେଲେ ତାଙ୍କ ବଦଳରେ କେହି ଆସୁ ନାହାନ୍ତି। ଏଭଳି ସ୍ଥିତିରେ ୨୬ଜଣ ଉଦଘୋଷକ, ୭ଜଣ ମହିଳା କାର୍ଯ୍ୟକ୍ରମ ଉପସ୍ଥାପିକା, ୯ ଜଣ ଯୁବବାଣୀ ଉପସ୍ଥାପକ ଏବଂ ୮ଜଣ ଚାଷବାସ ଉପସ୍ଥାପକ ସାମୟିକ ଭାବେ କାମ ଚଳାଇ ନେଉଛନ୍ତି।

ନାଟକ ବିଭାଗ ଖୋଲିବାର ଦୁଇ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଗୋଟାଏ ବି ନାଟକ ଏହି କେନ୍ଦ୍ରରେ ରେକର୍ଡିଙ୍ଗ ହୋଇ ପ୍ରଚାର ହୋଇପାରିଲା ନାହିଁ। ସ୍ଥାନୀୟ ସାମୟିକ ଉପସ୍ଥାପକମାନେ ପ୍ରତିଭାବାନ୍ ହେଲେ ମଧ୍ୟ କାର୍ଯ୍ୟକ୍ରମ ତିଆରି ପାଇଁ ସୁଯୋଗ ଦିଆଯାଉନି। ଅନ୍ୟପକ୍ଷରେ ବୈଷୟିକ ବିଭାଗରେ ଅଧିକାରୀ, କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ତଦୃପ। ରାଜନୈତିକ ନେତୃବର୍ଗଙ୍କ ଡିଣ୍ଡିମପିଟା ପ୍ରଗତିର ଫିତା ଆକାଶବାଣୀ କେନ୍ଦ୍ର ଯାଏଁ ପହଞ୍ଚି ପାରୁନାହିଁ। ଏଣୁ ସ୍ଥାନୀୟ ଆକାଶବାଣୀ କେନ୍ଦ୍ରର ଭବିଷ୍ୟତ ସାମୟିକ କର୍ମଚାରୀଙ୍କ କାନ୍ଧରେ ଲଦି ସରକାର ନିଘୋଡ ନିଦ୍ରାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.