ଜେଡିୟୁରେ ବଡ଼ ପରିବର୍ତ୍ତନ: ଇସ୍ତଫା ଦେଲେ ଲଲନ ସିଂହ, ନୀତୀଶ କୁମାର ଦଳ ମୁଖିଆ

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ) ଅଧ୍ୟକ୍ଷ ପଦରୁ ଶୁକ୍ରବାର ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଏହାପରେ ଦଳର ନୂଆ ଅଧ୍ୟକ୍ଷ ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦଳ ମଧ୍ୟ ଲଲନ ସିଂହଙ୍କ ଇସ୍ତଫା ଗ୍ରହଣ କରିଛି। ଲଲନ ସିଂହ ଦିଲ୍ଲୀରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷ ପଦ ପାଇଁ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ।

ଦଳର ବରିଷ୍ଠ ନେତା କେ ସି ତ୍ୟାଗୀ କହିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ଦିନ ଧରି ଜେଡିୟୁରେ ସାଂଗଠନିକ ପରିବର୍ତ୍ତନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ତେବେ ବୈଠକ ପୂର୍ବରୁ ଲଲନ ସିଂହ ଇସ୍ତଫା ଖବରକୁ ଗୁଜବ ବୋଲି କହିଥିଲେ।

ବୈଠକରେ ଲଲନ ସିଂହ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ କହିଥିଲେ ଯେ, ନିର୍ବାଚନରେ ​​ମୋର ସକ୍ରିୟତାକୁ ଦୃଷ୍ଟିରେ ରଖି ମୁଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି ଏବଂ ଏହି ପଦ ପାଇଁ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ଦେଉଛି। ଏହାପରେ ନୀତୀଶ କୁମାରଙ୍କ ନାମରେ ତୁରନ୍ତ ସହମତି ପ୍ରକାଶ ପାଇଥିଲା।

Comments are closed.