ଜ୍ବାଇଁର ଉନ୍ମତ୍ତ କାଣ୍ଡ; ସ୍ତ୍ରୀ ଓ ଶାଶୂଙ୍କୁ ଆକ୍ରମଣ କରି ଗିରଫ

ଗୋପାଳପୁର: ସ୍ତ୍ରୀ ଓ ଶାଶୂଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସୋମବାର ଗୋଳନ୍ଥରା ଥାନା ପୁଲିସ ଜ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ କେ ସୁବାଣୀ ଗ୍ରାମର କେ ଶେଖର(୩୨) ବୋଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ, ଏହି ଥାନା ଅଧିନସ୍ଥ କେ ସୁବାଣୀ ଗ୍ରାମର ଆର ପୋଲାମାଙ୍କ ଝିଅ ଆର. ପଦ୍ମାକୁ ସେହି ଗ୍ରାମର କେ ଶେଖର ଗତ ୮ ବର୍ଷତଳେ ବିବାହ କରିଥିଲେ। କିଛି ମାସ ପରେ କୌଣସି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗିରହିବା ସହ ସ୍ତ୍ରୀ ପଦ୍ମାକୁ ସ୍ବାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଯାହାଫଳରେ ଗତ ଦୁଇ ବର୍ଷ ହେଲା ପଦ୍ମା ବାପଘରେ ରହିଆସୁଥିଲେ। ଗତ ଶନିବାର ସକାଳ ୫ଟା ବେଳେ ମାଆ ଓ ପଦ୍ମା ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଶେଖର ସ୍ତ୍ରୀଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାକୁ ମାଆ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉଭୟ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ଗୋଳନ୍ଥରା ଥାନାରେ ପୋଲାମା ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ୬୭୪/୨୩ ପ୍ରକାରେ ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗ୍ରାମରେ ଶେଖର ଥିବା ପୁଲିସ ଖବର ପାଇ ସେଠାରେ ଚଢାଉ କରି କାବୁ କରିଥିଲେ। ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.