ମିଗ୍‌ଜୋମ୍‌ ପ୍ରଭାବରେ କାନ୍ଦୁଛି ଅନ୍ନଦାତା; ବିଲରେ ଗଜା ମାରୁଛି ଧାନ

ରେଙ୍ଗାଲିକ୍ୟାମ୍ପ: ସାମୁଦ୍ରିକ ଝଡ଼ ମିଗ୍‌ଜୋମ୍‌ ପ୍ରଭାବରେ ଓଡ଼ିଶାର ଭାତହାଣ୍ଡି ବୋଲାଉଥିବା ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳ ବେଶ୍ ପ୍ରଭାବିତ ହୋଇଛି । ସାମ୍ପ୍ରତିକ ଖରିଫ ଧାନ ଫସଲ ଉତ୍ପାଦନର ସମୟ । ଶତକଡା ୯୦ ଭାଗ ଚାଷୀଙ୍କ ଧାନ ବର୍ତ୍ତମାନ ବିଲରେ ପଡ଼ି ରହିଛି। ବାତ୍ୟା ଜନିତ ବର୍ଷାରେ ସବୁ ଧାନ ଭିଜିଯାଇଛି। ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ବାତ୍ୟାଜନିତ ଅଦିନିଆ ବର୍ଷାର ପ୍ରଭାବ ଅତାବିରା ଅଞ୍ଚଳରେ ଚାଷୀଙ୍କ ନିଦ ହଜାଇ ଦେଇଛି । କ୍ଷେତ ଖଳାରେ ଥିବା ଅମଳକ୍ଷମ ଧାନଗୁଡ଼ିକ ପାଣିରେ ଭାସୁଛି ଓ ଅମଳ ହେବାକୁ ଥିବା ଫସଲଗୁଡ଼ିକ ଅମଳ କରିବାରେ ବାଧା ସୃଷ୍ଟି ହୋଇଛି। ଉନ୍ନତ ପ୍ରଣାଳୀର କୃଷି ଯନ୍ତ୍ରପାତି ଥିଲେ ମଧ୍ୟ ଅମଳ ହୋଇପାରୁନାହିଁ। ଏପରିକି ଶ୍ରମିକମାନେ ମଧ୍ୟ ଘରେ ବସି ରହିଛନ୍ତି। ନିଜର ସମସ୍ତ ପୁଞ୍ଜି ସହ ଋଣ ଅର୍ଥକୁ ମଧ୍ୟ ନିଜ ଫସଲରେ ବିନିଯୋଗ କରି ଫସଲ ଉତ୍ପାଦନ ବେଳକୁ ଏମିତି ପ୍ରତିକୂଳ ପାଗ ଚାଷୀଙ୍କ ନିଦ ହଜାଇ ଦେଇଛି ।

ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଗ୍ରାମର ମିର୍ଦ୍ଧା ପଡ଼ାର ଭାଗ ଚାଷୀ ହଜାରୁ ମିର୍ଦ୍ଧାଙ୍କ ୫ ଏକର ଧାନ, ଦାଶରଥି ମେହେରଙ୍କ ୮ ଏକର, ପରମାନପୁର ଫାରମର ଜି ସତ୍ୟନାରାୟଣଙ୍କ ୧୧ ଏକର, ଭୋଈପୁରା ଟାଙ୍ଗରା ପଡ଼ାର ନାରାୟଣ ଷଣ୍ଢଙ୍କ ୪ ଏକର ଧାନ ସମ୍ପୂର୍ଣ୍ଣ ରୂପେ ବିଲରେ ନଷ୍ଟ ହୋଇଯାଇଛି । ଏହା ବ୍ୟତୀତ ଅଞ୍ଚଳର ଶତକଡା ୮୦ ଭାଗ ଚାଷୀଙ୍କ ଧାନ ନଷ୍ଟ ହୋଇଯାଇଛି । ଧାର କରଜ ଆଣି ଚାଷ କରି ଏବେ ଉତ୍ପାଦନ ସମୟରେ ଏଭଳି କ୍ଷତି ଅନେକ ଚାଷୀଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଛି । ଋଣ ଭାର ଓ ପରିବାର ଭରଣ ପୋଷଣ ନେଇ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି । ଏଣୁ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବୀ ହେଉଛି।

Comments are closed.