BJD Bijuli 480×75 Mob

ସହର ଦେଉଛି ଜହର

BJD Bijuli 480×75 Mob
0

ପ୍ରଭାସ ଆଚାର୍ଯ୍ୟ

ଭାରତର ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ସହରମାନଙ୍କରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ଭୟଙ୍କର ରୂପ ଧାରଣ କଲାଣି। ଏହା ଏପରି ଉଦ୍‌ବେଗଜନକ ସ୍ଥିତିକୁ ଆସିଲାଣି ଯେ ବ୍ୟକ୍ତି, ସରକାରୀ ଓ ବେସରକାରୀ ସ୍ତରରେ ଯଦି ଏହାର ପ୍ରତିକାର ବ୍ୟବସ୍ଥା କରାନଯାଏ ତା’ହେଲେ ହଠାତ୍‌ ଏକ ସକାଳେ ନିଃଶ୍ୱାସ ନ ନେଇ ପାରି ଶହଶହ ବ୍ୟକ୍ତି ଅସୁସ୍ଥ ବା ମୃତ୍ୟୁର ଖବର ମିଳିବା ବିସ୍ମୟଜନକ ନୁହେଁ। ଯେଉଁମାନେ ସେପରି ପ୍ରଦୂଷିତ ଅଞ୍ଚଳରେ ଅବସ୍ଥାନ କରୁଛନ୍ତି ସେମାନେ ଏବେ ମଧ୍ୟ ଧୀରେଧୀରେ ଅସୁସ୍ଥ ହେଉଥିବେ ଯାହା ହୁଏତ ୫/୧୦ ବର୍ଷ ପରେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ। ମନୁଷ୍ୟର ରୋଗ ପ୍ରତିରୋଧ କରିବାର ଯେଉଁ ଅନ୍ତର୍ନିହିତ ଶକ୍ତି ଅଛି, ସେ ସୀମା ଟପିଲା ପରେ ହିଁ ପ୍ରଦୂଷଣଜନିତ ସଂକ୍ରମଣର ଭୟାବହତା ଆମେ ଅନୁଭବ କରିପାରିବା। ଏହା ଏବେ ଆମ ଶରୀର ସହ ପ୍ରାରମ୍ଭିକ ସଂଗ୍ରାମ ସ୍ତରରେ ରହିଥାଇପାରେ।
୨୦୧୫ରେ ଜଣେ ଛଅ ମାସର ଓ ଜଣେ ୧୪ ମାସର ଶିଶୁଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ସେମାନଙ୍କ ବଞ୍ଚିବାର ଅଧିକାର ପାଇଁ ଏକ ଅର୍ଜି ଦାଖଲ କରାଯାଇଥିଲା। ସେମାନଙ୍କ ପିତା ଦିଲ୍ଲୀରେ ହେଉଥିବା ବାଣଜନିତ ପ୍ରଦୂଷଣ ପରିପ୍ରେକ୍ଷୀରେ ପିଲାମାନଙ୍କ ପକ୍ଷରୁ ଏହି ଲିଖିତ ଅଭିଯୋଗ କରି ସେମାନଙ୍କ ପାଇଁ ଏକ ସୁସ୍ଥ ପରିବେଶ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅଭିଯୋଗର ବିଚାର କରି ନ୍ୟାୟମୂର୍ତ୍ତି ଏ.କେ.ସିକ୍ରି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ ବାହାରର ବାଣ ବ୍ୟବସାୟୀଙ୍କ ମହଜୁଦ ବାଣ ହିଁ ଖର୍ଚ୍ଚ କରିବାକୁ ନିର୍ଦେଶ ଦେବା ସହ ଦିଲ୍ଲୀର ସ୍ଥିତିକୁ ଚାହିଁ କେବଳ ସବୁଜ ଫଟକା ବ୍ୟବହାର କରିବାକୁ ନିର୍ଦେଶ ଦେଇଥିଲେ। ତା’ ସହିତ ଖଣ୍ଡପୀଠ କହିଥିଲେ ଯେ ବ୍ୟବସାୟୀମାନେ ସେମାନଙ୍କ ମହଜୁଦ ଥିବା ବାଣ ଶେଷ ହେବା ପରେ ଏଣିକି କେବଳ ସବୁଜ ଫଟକା ହିଁ ପ୍ରସ୍ତୁତ କରିବେ। ଅକ୍ଟୋବର ୨୩ର ଏହି ନିର୍ଦେଶନାମା ପରେ ବାଣ ପ୍ରସ୍ତୁତକାରୀଙ୍କ ପକ୍ଷରୁ ସାଧାରଣ ବାଣ ପ୍ରସ୍ତୁତି ପାଇଁ ସମସ୍ତ ପ୍ରାର୍ଥନାକୁ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠ ରୋକଠୋକ ମନା କରିଦେଇଛନ୍ତି। ନ୍ୟାୟମୂର୍ତ୍ତି ସିକ୍ରି ପରିହାସ କରି ନିବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ “ତୁମେ କ’ଣ ଚାହୁଁଛ ଯେ, ଏ ବର୍ଷ ଆମେ ତୁମକୁ ବାୟୁ ପ୍ରଦୂଷଣ ପାଇଁ ଅନୁମତି ଦେଇଦେବୁ, ତା’ ହେଲେ ଆରବର୍ଷକୁ ତୁମେ ସଂଯତ ହେଇଯିବ?” ଦେଶବ୍ୟାପୀ ଅନଲାଇନ୍‌ରେ ଏହି ବାଣ ବ୍ୟବସାୟ ବନ୍ଦ ହେବା ଏକ ବଡ଼ ପଦକ୍ଷେପ। ବ୍ୟବସାୟୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଦେଶରେ ବାୟୁ ପ୍ରଦୂଷଣର ଏକମାତ୍ର କାରଣ ବାଣ ବା ଫଟକା ନୁହେଁ; ଏହାର ଆହୁରି ଅନେକ କାରଣ ଅଛି। ଦେଶରେ ବ୍ୟବହାର ହେଉଥିବା ସମସ୍ତ ଫଟକାର ୮୦ ଶତକଡ଼ା ନିର୍ମିତ ହୁଏ ତାମିଲନାଡୁର ଭିରୁଧୁନାଗଡ ଜିଲାରେ, ଯେଉଁଠାରେ ଅଛି ୧୦୨୦ ପଞ୍ଜିକୃତ ବାଣ ତିଆରି ଶିଳ୍ପ। ଏହି କାରଖାନାଗୁଡ଼ିକରେ ୩ ଲକ୍ଷ ଲୋକ କର୍ମ ନିଯୁକ୍ତି ପାଇଥିବା ବେଳେ ବାଣ ପାଇଁ ଆବଶ୍ୟକ ଖୋଳ, ଜରି ଆଦି ଉତ୍ପାଦନ ପାଇଁ ଉଦ୍ଦିଷ୍ଟ କାରଖାନାରେ ଲାଗିଛନ୍ତି ୫ ଲକ୍ଷ ଲୋକ। ଏହା ବାଦ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଲକ୍ଷଲକ୍ଷ ଲୋକ ଏହି ବ୍ୟବସାୟରେ କର୍ମନିଯୁକ୍ତ ହୋଇ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ଏପରି ସ୍ଥିତିରେ ବାଣ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହେଲେ ଲକ୍ଷଲକ୍ଷ ଲୋକ ବେକାର ହୋଇଯିବାର ଭୟ ମଧ୍ୟ ଗ୍ରାସ କରୁଛି। ଗୋଟିଏ ପଟେ ପେସା ପାଇଁ ବ୍ୟକ୍ତିର ବ୍ୟବସାୟ ନିଷିଦ୍ଧ ହେଲେ ତାହା ସ୍ୱାଧୀନତାକୁ ଲଙ୍ଘନ କରୁଛି। ଅନ୍ୟ ଦିଗରେ ସମ୍ବିଧାନର ୨୧ ଅନୁଚ୍ଛେଦ ଅନୁସାରେ ବଞ୍ଚିବା ଅଧିକାର ଭିତରେ ଥିବା ସ୍ୱାସ୍ଥ୍ୟ ଅଧିକାର ମଧ୍ୟ ବ୍ୟାହତ ହେଉଛି। ତେଣୁ ଏପରି ସ୍ଥଳେ ଦୁଇ ଦୁଇଟି ସାମ୍ବିଧାନିକ ଅଧିକାର ଭିତରୁ କେଉଁଟି ଅଧିକ ଜରୁରୀ ତାହା ଆମମାନଙ୍କୁ ନିର୍ଣ୍ଣୟ କରିବାକୁ ପଡ଼ିବ।
ବାଣ ବ୍ୟବସାୟ ସହ ସମ୍ପୃକ୍ତ ଗୋଷ୍ଠୀଙ୍କ ଯୁକ୍ତି ହେଲା ଯେ ଯାନବାହନଜନିତ ପ୍ରଦୂଷଣ, କଳକାରଖାନାଜନିତ ପ୍ରଦୂଷଣ, ବାଣ ପ୍ରଦୂଷଣଠାରୁ ବହୁ ଅଧିକ। ଗାଡ଼ି ମୋଟରରୁ ନିର୍ଗତ ​‌େ‌ହଉଥିବା ହାଇଡ୍ରୋ କାର୍ବନ, ବେଞ୍ଜିନ୍‌, ସୀସା, କାର୍ବନ ମନୋକ୍ସାଇଡ୍‌, ସଲଫର ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ ଆଦି ବାୟୁମଣ୍ଡଳକୁ ବହୁ ଭାବରେ ପ୍ରଦୂଷିତ କରୁଛି। ଏହା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିବା ସହ କାଶ, ବାନ୍ତି, ଅରୁଚି ଓ ଶ୍ୱାସ ସଂକ୍ରମଣ ଆଦି ରୋଗର କାରଣ ପାଲଟିଛି।
ଭାରତରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଏ ଯେ ବାୟୁ ପ୍ରଦୂଷଣ ହେତୁ ନିଃଶ୍ୱାସ ନେବାରେ ପ୍ରାୟ ୯୫% ଲୋକଙ୍କୁ କଷ୍ଟ ହୋଇଥାଏ। ସେହିପରି ୫୧% ଲୋକଙ୍କୁ ମୁଣ୍ଡବ୍ୟଥା ଓ ୫୧% ଲୋକଙ୍କୁ ପ୍ରଦୂଷଣଜନିତ କାଶ ହୋଇଥାଏ। ଚକିତ କଲା ଭଳି ଏକ କଥା ହେଲା, ଦିଲ୍ଲୀରେ ବାୟୁ ପ୍ରଦୂଷଣ କାରଣରୁ ୫୧% ଲୋକଙ୍କ ପରିବାରରୁ କେହି ନା କେହି ପ୍ରଭାବିତ ହେଉଥିବା ବେଳେ ହାଇଦ୍ରାବାଦରେ ୭୮% ବ୍ୟକ୍ତି, ଅନ୍ୟାନ୍ୟ ସହରରେ ମଧ୍ୟ ୭୦ରୁ ୮୦ ଶତକଡ଼ା ଲୋକ ପ୍ରଭାବିତ ହେଉଛନ୍ତି। ୧୯୫୧ ମସିହାରେ ଭାରତରେ ୩ ଲକ୍ଷ ପଞ୍ଜିକୃତ ଯାନବାହନ ଥିଲାବେଳେ ୨୦୦୧/୨୦୦୨ ବେଳକୁ ଏହି ସଂଖ୍ୟା ୫୮୩ ଲକ୍ଷରେ ପହଞ୍ଚି ଥିଲା ଓ ୨୦୧୫ ଶେଷ ସୁଦ୍ଧା ଏହା ୨୧ କୋଟି ଟପି ସାରିଥିଲା। ଏପରି ଦ୍ରୁତ ଗତିରେ ପେଟ୍ରୋଲ ବା ଡିଜେଲଚାଳିତ ଗାଡ଼ି ସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ବହୁଭାବରେ ବୃଦ୍ଧି ପାଇଛି। ଏହି ପ୍ରଦୂଷଣ ଧୀରେଧୀରେ ଛୋଟ ସହର ଏବଂ ଗ୍ରାମାଞ୍ଚଳକୁ ଗ୍ରାସ କରିବାରେ ଲାଗିଛି। ସରକାରୀ, ବେସରକାରୀ ଓ ନାଗରିକଙ୍କର ନିଷ୍ଠାପର ଉଦ୍ୟମ ହିଁ କିଛି ମାତ୍ରାରେ ଏଥିରୁ ଆମକୁ ନିସ୍ତାର ଦେଇପାରେ।
– ଅତ୍ୟାବଶ୍ୟକ ନ ଥିଲେ ଚାରିଚକିଆ ଗାଡ଼ି ବ୍ୟବହାର ନ କରିବା ଉଚିତ୍‌।
– ଦଶ ପନ୍ଦର କିଲୋମିଟର ପରିଧି ଭିତରେ ସାଇକଲ ଚଳାଇବା ଦ୍ୱାରା ବହୁମାତ୍ରାରେ କମି ପାରିବ ପ୍ରଦୂଷଣ।
– ଗ୍ରାମାଞ୍ଚଳ ଓ ଛୋଟ ସହରରେ ଅଳିଆ ପୋଡ଼ି ଦେବାର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବାରଣ କରାଯିବା ଉଚିତ୍‌।
– କାଠ ଚୁଲା ଜାଳିବା ଓ ଶୀତଦିନରେ ନିଅାଁରେ ସେକି ହେବା ସର୍ବଦା ବର୍ଜିତ ହେବା ଉଚିତ୍‌।
– ଆଦିବାସୀଙ୍କ ଜଙ୍ଗଲ ପୋଡ଼ି କେବଳ ମଣିଷ ନୁହେଁ, ବରଂ ପଶୁ ପକ୍ଷୀ ଓ ସରୀସୃପଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରିଥାଏ। ଏହା ବନ୍ଦ କରାଯିବା ଉଚିତ।
– କଳକାରଖାନାମାନଙ୍କରେ ପ୍ରଦୂଷଣ ନିରୋଧକୁ କଡ଼ାକଡ଼ି ମାନିବା ଉଚିତ୍‌।
– ସର୍ବସାଧାରଣ ଗାଡ଼ିଗୁଡ଼ିକର ବ୍ୟାପକ ବ୍ୟବହାର ଉପରେ ଅଧିକ ଜୋର ଦିଆଯିବା ଉଚିତ୍‌।
– ସାଇକଲ ଆରୋହୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ହେଲେ ଲୋକମାନେ ସେଥିପ୍ରତି ଆକର୍ଷିତ ହେବେ।
– ସହରର ଭିଡ ସ୍ଥାନମାନଙ୍କରେ କେବଳ ସାଇକଲ ବା ହାତରିକ୍‌ସା ପାଇଁ ଉଦ୍ଦିଷ୍ଟ ହେବା କଥା।
– କୃଷକମାନେ ଜମିରୁ ଶସ୍ୟ କାଟି ସାରିଲା ପରେ ଖୁଣ୍ଟା ଜାଳିବା ନିଷିଦ୍ଧ କରାଯାଉ।
– ବଜାର ବା ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ଼ ନିୟନ୍ତ୍ରଣ ହୋଇପାରିଲେ ପେଟ୍ରୋଲ ଡିଜେଲ ଇନ୍ଧନ ବ୍ୟବହାର କମି ପାରନ୍ତା।
– ଆମ ନିଃଶ୍ୱାସ ପାଇଁ ଉପଲବ୍ଧ ବାୟୁର ଗୁଣବତ୍ତା ନିୟମିତ ବ୍ୟବଧାନରେ ପରୀକ୍ଷା ହେବା ଉଚିତ୍‌।
– ଅପମିଶ୍ରିତ ଇନ୍ଧନ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରୁଥିବା କାରଣରୁ ତୈଳ ଅପମିଶ୍ରଣ ଉପରେ ଜୋର ଦିଆଯିବା ଉଚିତ୍‌।
– ସମସ୍ତ ପ୍ରକାର ଶୋଭାଯାତ୍ରାରେ ବାଣ ଫୁଟାଇବା ନିଷିଦ୍ଧ ହେବା ଉଚିତ୍‌।
– ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଅଧିକ ସଂଖ୍ୟାରେ ସାଇକଲ ଚଳାଇବାକୁ ପ୍ରୋତ୍ସାହିତ କରିବା ଦ୍ୱାରା ପ୍ରଦୂଷଣ କମି ପାରିବ।
– ଅତି ପୁରୁଣା ଯାନବାହନକୁ ରାସ୍ତାରୁ ତୁରନ୍ତ ହଟାଇବା ପାଇଁ ନିୟମ ହେଉ।
– ଗୋଟିଏ ସ୍ଥାନରେ ୩୦ ସେକେଣ୍ଡ ବା ୧ ମିନିଟ୍‌ ଠିଆ ହୋଇ ରହୁଥିବା ଗାଡ଼ିର ଷ୍ଟାର୍ଟ ସ୍ୱତଃ ବନ୍ଦ ହୋଇଯିବା ଭଳି ତିଆରି ହେଉ।
– ନିୟମିତ ଭାବରେ ରାସ୍ତାର ଧୂଳିକୁ ସଫା କରାଯାଉ।
– ବାଲି, ମାଟି, କୋଇଲା ଆଦି ବୋହୁଥିବା ଗାଡ଼ିଗୁଡ଼ିକ ଚାଲିଲାବେଳେ ଯେପରି ସେଥିରୁ ସେସବୁ ନିର୍ଗତ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉ।
– ପ୍ରଦୂଷିତ ସହରର ଲୋକମାନେ ସବୁଜ ଚା’ ପାନ କରିବା ଦ୍ୱାରା ପ୍ରଦୂଷଣ ବିଷର ପ୍ରଭାବରୁ ମୁକ୍ତି ପାଇପାରିବେ।
– ଯେଉଁ ସମୟରେ ବାୟୁ ପ୍ରଦୂଷଣ ସର୍ବାଧିକ ଥିବ, ସେତେବେଳେ ବାହରକୁ ନ ଯାଇ ଝରକା କବାଟ ବନ୍ଦ କରି ଘରେ ରହିବା ପ୍ରକୃଷ୍ଟ।
– ଯଦି ଘର ଭିତରକୁ ପ୍ରଦୂଷିତ ବାୟୁ ପ୍ରବେଶ କରିଯାଇଥାଏ ତା’ ହେଲେ ବାୟୁ ପରିଷ୍କାର ବ୍ୟବସ୍ଥା ଦ୍ୱାରା ପ୍ରଦୂଷଣର ଘନତାକୁ ହ୍ରାସ କରିବା ଉଚିତ୍‌।
– ସାରା ଦେଶରେ ଗାଡ଼ି ସଂଖ୍ୟା ସୀମିତ ହେବା ଉଚିତ୍‌। ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଗୋଟିଏ ଗାଡ଼ିରେ ଜଣେ ଲେଖା ବସିଯିବାର ବ୍ୟବସ୍ଥାରେ ରୋକ ଲାଗିବା ଆବଶ୍ୟକ। ଗୋଟିଏ ଗୋଟିଏ କାର୍ଯ୍ୟକ୍ରମକୁ ସମାନ କାର୍ଯ୍ୟାଳୟର ଅଧିକାରୀ ଯୋଗ ଦେବାକୁ ଗଲାବେଳେ ସେମାନେ ନିଜସ୍ୱ ଗାଡ଼ି ବ୍ୟବହାର କରିଥାଆନ୍ତି। ଗାଡ଼ି ସରକାର ଯୋଗାଇଛନ୍ତି ବୋଲି ଏପରି ଅଯଥା ବ୍ୟବହାର ଉପରେ କଟକଣା ରହିବା କଥା।
– ଅଧିକ ଗାଡ଼ି ବ୍ୟବହାର ନ କରିବା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ସହିତ ଏ କ୍ଷେତ୍ରରେ ଦଣ୍ଡ ବ୍ୟବସ୍ଥା କଡ଼ାକଡି ନ ହେଲେ ବାୟୁ ପ୍ରଦୂଷଣ ଆମ ବିନାଶର କାରଣ ହେବା ସୁନିଶ୍ଚିତ।
ଜାତିସଙ୍ଘର ଏକ ସର୍ବେକ୍ଷଣ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ଅକାଳରେ ପୃଥିବୀରେ ପ୍ରତି ବର୍ଷ ୩୩ ଲକ୍ଷ ଲୋକଙ୍କର ମୃତ୍ୟୁ ହୁଏ ଏବଂ ଏହି ମୃତ୍ୟୁର ୭୫ ଶତକଡ଼ା ହୃଦ୍‌ଘାତରେ ହୋଇଥାଏ। ଏହି ମୃତକଙ୍କ ଭିତରୁ ଚୀନ୍‌ର ସର୍ବାଧିକ ୧୪ ଲକ୍ଷ ହୋଇଥିବା ବେଳେ, ୬ ଲକ୍ଷ ୪୫ ହଜାର ମୃତ୍ୟୁକୁ ନେଇ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଓ ପାକିସ୍ତାନ ୧,୧୦,୦୦୦ ମୃତ୍ୟୁକୁ ନେଇ ତୃତୀୟ ସ୍ଥାନରେ ଅଛି।
ଭାରତ ସରକାର ବାୟୁ ପ୍ରଦୂଷଣକୁ ଏକ ରାଷ୍ଟ୍ର ସମସ୍ୟା ଭାବେ ଗ୍ରହଣ କରି ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ହାତକୁ ନେଇଛନ୍ତି। ଏହାର କାର୍ଯ୍ୟ ହେଉଛି ଦେଶରେ ପ୍ରଦୂଷଣ ନିରୋଧ କରିବା ତଥା ବାୟୁର ଗୁଣବତ୍ତାକୁ ଉନ୍ନୀତ କରିବା। ତେବେ ଜାତୀୟ ସ୍ତରରେ ବାୟୁର ଗୁଣବତ୍ତାକୁ ବୃଦ୍ଧି କରିବା ପାଇଁ ସେପରି ଆଖିଦୃଶିଆ ଓ ଫଳପ୍ରଦ ପଦକ୍ଷେପ ନିଆଯାଇ ନାହିଁ। ୨୦୧୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦିଲ୍ଲୀକୁ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ବୋଲି ଚିହ୍ନଟ କରିଥିଲା। ବାୟୁ ପ୍ରଦୂଷଣଜନିତ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଗଭୀର ଅନୁଧ୍ୟାନ ଓ ଗବେଷଣା ମଧ୍ୟ ନିତାନ୍ତ ଜରୁରୀ।
ଧରିତ୍ରୀ ତିଷ୍ଠି ରହିବା ପାଇଁ ମନୁଷ୍ୟ ଅତ୍ୟାବଶ୍ୟକ ନୁହେଁ, କିନ୍ତୁ ମନୁଷ୍ୟ ତିଷ୍ଠି ରହିବା ପାଇଁ ଏକ ସନ୍ତୁଳିତ, ସୁସ୍ଥ ଓ ସବୁଜ ଧରିିତ୍ରୀ ଅତ୍ୟାବଶ୍ୟକ। ଏହା ଆମେ ଉପଲବ୍‌ଧି କରିବା ଦରକାର।

Leave A Reply