କେନ୍ଦୁଝରଗଡ଼: ଜଣେ ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିବା ସହ ଧମକଚମକ ଦେବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ପକ୍ଷରୁ ୩ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ତୁରୁମୁଙ୍ଗା ଥାନା ଅଧିନ ମାନପୁର ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ଯୁକ୍ତ ୨ ପରୀକ୍ଷା ନିମନ୍ତେ ଘରେ ରହି ପ୍ରସ୍ତୁତ ହେଉଥିବା ବେଳେ ଘରେ କେହିନଥିବା ସୁଯୋଗ ଉଣ୍ଡି ପଡୋଶୀ ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧିନ ଆମ୍ବଦୁମା ଗ୍ରାମର ବୁଲୁ ପାତ୍ର (୨୫) ଓ ଭଅଁରା ଗ୍ରାମର ରୁଦ୍ର ଦେହୁରୀ ୨୦୧୫ ଡିସେମ୍ବର ୧୫ ଅପରାହ୍ନରେ ଜୋର ଜବରଦସ୍ତ ଘରେ ପଶି ଧମକଚମକ ଦେବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ପରଦିନ ପୀଡିତାଙ୍କ ବାପା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଶୁକ୍ରବାର ଏହି ମାମଲାର ଚୂଡାନ୍ତ ଶୁଣାଣୀ କରି ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୨ ଅଭିଯୁକ୍ତ ବୁଲୁ ଓ ରୁଦ୍ରଙ୍କୁ ଫାଷ୍ଟ ଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି।
Popular Categories



