୭୯ ବର୍ଷରେ ପଦାର୍ପଣ କଲା ରେଙ୍ଗାଲି ଷ୍ଟେସନର ଦୁର୍ଗା ପୂଜା
ରେଙ୍ଗାଲି:ପାର୍ବଣ ଋତୁରେ ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଦୁର୍ଗା ପୂଜା ମଧ୍ୟରୁ ରେଙ୍ଗାଲି ରେଳ େଷ୍ଟସନ ଆୟୋଜିତ ହେଉଥିବା ଦୁର୍ଗା ପୂଜା ସବୁଠାରୁ ପୁରାତନ। ୧୯୪୪ ମସିହା ପ୍ରାକ୍ ସ୍ୱାଧିନତା ସମୟ ରୁ ଆରମ୍ଭ ହୋଇଥିବା ଏହି ଦୁର୍ଗା ପୂଜା ନିରବଚ୍ଛିନ୍ନ ଭାବରେ ୭୯ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି। ରେଙ୍ଗାଲି ଷ୍ଟେସନ ଦୁର୍ଗା ପୂଜାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରସିଦ୍ଧି ରହିଛି। ପୂର୍ବେ ଗାଁ ଗହଳିରେ ଶାରଦୀୟ ଋତୁରେ ହୁମ ବଉଲି ଗୀତରେ ‘ସମଲପୁରର ରଜା ରେଙ୍ଗାଲି ରେଳ ଟେସନେ ଦୁରୁଗା ପୂଜା ଦେଖିଯିମା, ବଡା ମଜା ବଉଲିରେ ଦେଖି ଯିମା ବଡ ମଜା’ ବୋଲି କିଶୋରୀମାନେ ଗୀତ ଗାଉଥିବାର ନଜିର ରହିଛି। ସମ୍ବଲପୁରରୁ ରେଙ୍ଗାଲି ଦେଇ ଝାରସୁଡାକୁ ୧୮୮୯ ମସିହାରେ ରେଳ ଲାଇନ୍ ସଂଯୋଗ ହୋଇଥିଲେ ମଧ୍ୟ ୧୯୩୨ ମସିହାରେ ରେଙ୍ଗାଲି ଷ୍ଟେସନରର ମାନ୍ୟତା ପାଇଥିଲା। ୧୯୪୪ ମସିହା ରେ ରେଙ୍ଗାଲି ରେ ଷ୍ଟେସନ ମାଷ୍ଟର ଥିବା ଏସ୍.କେ ବାନାର୍ଜିର୍ ରେଙ୍ଗାଲି ଷ୍ଟେସନ ରେ ଦୁର୍ଗା ପୂଜା ପରମ୍ପରା ଆରମ୍ଭ କରିଥିଲେ।
ଶ୍ରୀ ବାନାର୍ଜି ରେଙ୍ଗାଲି ର ସଚ୍ଚିଦାନନ୍ଦ ଗୁରୁ,ଡାକ୍ତର ଡି.କେ ମଜୁମଦାର,ଶାନ୍ତି ଭଟ୍ଟାଚାର୍ଜ୍ୟ ପ୍ରମୁଖ ଙ୍କ ସହିତ ମିଶି ପ୍ରଥମେ ଦୁର୍ଗା ପୂଜା ଆରମ୍ଭ କରିଥିଲେ। ସେତେବେଳେ ରେଙ୍ଗାଲି ରେ ବିଜୁଳି ଆଳୁଅ ନଥିଲା.। ଦେବୀ ଙ୍କ ପାଇଁ ମଣ୍ଡପ ନିର୍ମାଣ କରାଯାଇ ବିଧି ମତେ ପୂଜାର୍ଚ୍ଚନା କରାଯାଉଥିଲା। ରାତିରେ ପେଟ୍ରୋମାକ୍ସ ଏବଂ ମଶାଳ ଜଳାଇ ଆଲୋକର ବ୍ୟବସ୍ଥା କରାଯାଉଥିଲା। ଶ୍ରୀ ବାନାର୍ଜିଙ୍କ ଅନ୍ୟତ୍ର ବଦଳି ହେଲା ପରେ ଦୁର୍ଗା ପୁଜା ଆୟୋଜନର ଦାୟିତ୍ୱ ୧୯୫୮ ମସିହା ରେ ଏମ୍.କେ ବାଲକ୍ରିଷ୍ଣନ, ରାମାନନ୍ଦ ଅଗ୍ରଓାଲା,ଏସ୍.କେ ଶର୍ମା, ମାଙ୍ଗେଲାଲ ଅଗ୍ରଓାଲା,ରାଧେଶ୍ୟାମ ଅଗ୍ରଓାଲା,ସଚ୍ଚିଦାନନ୍ଦ ଶର୍ମା.ଦୟାନନ୍ଦ ଅଗ୍ରଓାଲା ପ୍ରମୁଖ ଉପରେ ନ୍ୟସ୍ତ କରାଗଲା। ଦୁର୍ଗା ପୂଜା ପତମ୍ପରାକୁ ଏହି କର୍ମକର୍ତ୍ତା ମାନେ ଆଗେଇ ନେଲେ।
ପ୍ରତିବର୍ଷ ଶାରଦିୟ ଋତୁରେ ଦୁର୍ଗା ପୂଜା ମଣ୍ଡପରେ ଆୟୋଜିତ ହେଉଥିବା ରୁ ମା ଦୁର୍ଗାଙ୍କ ପାଇଁ ଏକ ସ୍ଥାୟୀ ମନ୍ଦିର ନିର୍ମାଣ କରି ନିୟମିତ ପୂଜା ବ୍ୟବସ୍ଥାର ପରିକଳ୍ପନା କରି ଏମ୍.କେ ବାଳକ୍ରିଷ୍ନନ୍ ଏବଂ ଏମ୍,ବି. ପ୍ୟାରିରାଜ୍ ରେଙ୍ଗାଲି ଷ୍ଟେସନ ରେ ଏକ ମନ୍ଦିର ନିର୍ମାଣ କାମ ଆରମ୍ଭ କରିଥିଲେ। ସ୍ଥାନିୟ ବଦାନ୍ୟ ବ୍ୟକ୍ତି ଶ୍ରଦ୍ଧାଲୁ ଙ୍କ ସହଯୋଗ ରେ ୨୦୧୪ ମସିହା ରେ ମନ୍ଦିର ନିର୍ମାଣ ସମ୍ପୂର୍ଣ ହୋଇ ଦେବୀ ଦୁର୍ଗା ଙ୍କୁ ମନ୍ଦିର ରେ ଅଧିଷ୍ଠିତ କରାଗଲା। ଏମ୍,ବି ପ୍ୟାରିରାଜ୍ ଏବଂ ନରେଶ ଶର୍ମା ରାଜସ୍ଥାନ ରୁ ମୂର୍ତ୍ତି ଆଣି ମନ୍ଦିର ରେ ସ୍ଥାପନ କରୀଇଥିଲେ। ୨୦୧୪ ମସିହାରୁ ଦେବୀ ଦୁର୍ଗା ମନ୍ଦିର ରେ ଅଧିଷ୍ଠିତ ହୋଇ ନିୟମିତ ପୂଜା ପାଉଛନ୍ତି। ପଣ୍ଡିତ ସୁରେନ୍ଦ୍ର ମିଶ୍ର ଙ୍କୁ ମୁଖ୍ୟ ପୂଜକ ଭାବରେ ନିୟୋଜିତ କରାଯାଇଛି। ମନ୍ଦିର ପରିଚାଳନା ଏବଂ ପୂଜାବିଧି ଆଦି ଆୟୋଜନ ପାଇଁ ସ୍ଥାୟୀ କମିଟୀ ଗଠନ କରାଯାଇଛି। କମିଟୀ ରେ ଏମ୍,ବି ଗୋପିନାଥନ୍ ସଭାପତି ଏବଂ ଅଶୋକ କୁମାର ଅଗ୍ରଓାଲା ସମ୍ପାଦକ ଅଛନ୍ତି।
ମା’ଦୁର୍ଗାଙ୍କୁ ପ୍ରତିଦନ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପାର୍ବଣ ଋତୁରେ ଦୁର୍ଗା ମନ୍ଦିର ରେ ଅନୁଷ୍ଠିତ ହେଉଥିବା ନବରାତ୍ର ପୂଜା ର ସ୍ୱାତ୍ୟନ୍ତ୍ରତା ରହିଛି। ୯ଦିନ ଧରି ଚାଲିଥିବା ପୂଜା ରେ ପ୍ରତିଦିନ ଭିନ୍ନ ଭିନ୍ନ ବ୍ୟକ୍ତି ସପତ୍ନିକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥାନ୍ତି । ଚଳିତ ବର୍ଷ ପ୍ରତିପଦାରେ ଅଶୋକ ଅଗ୍ରଓାଲା, ଦ୍ୱିତିୟା ତିଥିରେ ସୁବାସ ପଣ୍ଡା, ତୃତିୟାରେ ପୁଳକିତ ଅଗ୍ରଓାଲ, ଚତୁର୍ଥୀରେ ଅମିତ ସାହୁ, ପଞ୍ଚମୀରେ ଘନଶ୍ୟାମ ଗୋୟେଲ, ଷଷ୍ଠିରେ ରାମ ଶଙ୍କର ସିଂହ, ସପ୍ତମୀରେ ଡ.ଏମ୍.ଜି.ଶୈଲେଶ ଏବଂ ଏ.ପି. ପୃଥ୍ୱୀରାଜ ନାୟାର୍, ଅଷ୍ଟମୀରେ ନରସିଂହ ଶର୍ମା, ନବମୀରେ ସୁବାସ ମିଶ୍ର, କଳସ ଯାତ୍ରା, ଚଣ୍ଡି ହୋମ, ଅପରାଜିତା ପୂଜା ସମସ୍ତ କର୍ତ୍ତାଙ୍କ ଉପସ୍ଥତିରେ ସମ୍ପନ୍ନ ହୋଇଥାଏ। ବିଜୟା ଦଶମୀ ଦଶହରାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥାଏ।
Comments are closed.