ହଜିଲାଣି ମଣିଷପଣିଆ

ମାଗିବା ପୂର୍ବରୁ ଯିଏ ଆଶୀର୍ବାଦର ବର୍ଷା ଅଜାଡ଼ି ଦିଏ, ଯେ ମାଟି, ପାଣି, ପବନ, ଆକାଶ ଓ ବିଶ୍ବଠାରୁ ବଡ଼, ସେ ଧରିତ୍ରୀ, ବସୁନ୍ଧରା। ସେ ହେଉଛି ଆମର ମାଆ। ମାଆ ହିମାଳୟ ପରି ସ୍ଥିର, ସ୍ଥିତପ୍ରଜ୍ଞ, ସର୍ବଂସହା। ମାଆର କୋଳରେ ଥରେ ବସିଗଲେ କୋଟି ଜନ୍ମର ସାର୍ଥକ ମିଳିଯାଏ।
ଏବେ ପାର୍ବଣର ଋତୁ। ମାଆ କୁଟା, କାଠି, କାଦୁଅରେ ସାଜସଜ୍ଜା ହୋଇ ବା କେଉଁଠି ପଥର, କାଠରେ ଗଢ଼ା ହୋଇ ଭକ୍ତମାନଙ୍କୁ ଅପେକ୍ଷା କରିଛନ୍ତି ଆଶୀର୍ବାଦ କରିବାକୁ। ଭକ୍ତମାନେ କେତେ ଭାବରେ ଢଙ୍ଗରେ, ସାଜସଜ୍ଜାର ପ୍ରତିଯୋଗିତାରେ ଆକର୍ଷଣୀୟ କରିଥାନ୍ତି। ଦର୍ଶକ ଏହା ଦେଖି ଆରାଧନା ପୂର୍ବକ ନିଜର ମନସ୍କାମନା ଜଣାଇବା ସହିତ ମନ୍ତ୍ରମୁଗ୍ଧ ହୋଇ ଯାଆନ୍ତି। ମାଆ ଦୁର୍ଗା, ଲକ୍ଷ୍ମୀ, କାଳୀ, ପାର୍ବତୀ ଭଳି କେତେ ଦେବୀ ରୂପରେ ବିରାଜମାନ। ସେମାନେ ଦେବୀଙ୍କୁ କେତେ କ’ଣ ମାଗିଚାଲନ୍ତି, ମୋ ପୁଅଝିଅର ଚାକିରି ହୋଇଯାଉ। ମୋର ୩ ତାଲାକୋଠା, ୪ ଚକିଆ ଗାଡ଼ି ହେଉ। ମୋ ବେପାର ନଂ-୧ ହୋଇ ବଢ଼ିଚାଲୁ। ଏମିତି କେତେ କ’ଣ କାମନା କରିଥାଏ ଭକ୍ତଟିଏ। କିନ୍ତୁ କେଉଁ ମନ୍ଦିର, ମେଢ଼ରେ ନୁହେଁ, ମସ୍‌ଜିଦ୍‌ ଗୀର୍ଜାରେ ନୁହେଁ, ନିଜ ବାସଗୃହରେ ରକ୍ତ ମାଂସରେ ଗଢ଼ା ଜୀବନ୍ତ ମାଆ ଯେ ରହିଛନ୍ତି, ଏକଥା ସେମାନେ ବୋଧହୁଏ ଭୁଲି ଯାଆନ୍ତି। ଏମାନେ ଆଜି ଅବହେଳିତ, ନିର୍ଯାତିତ, ସନ୍ତୁଳିତ, ଦୁଃଖ ଓ ଯନ୍ତ୍ରଣାରେ ଜର୍ଜରିତ। ବାର୍ଦ୍ଧକ୍ୟ ହୋଇଯାଇଛି ଏମିତି ସମାଜରେ ଶହଶହ ଦୁର୍ଘଟଣା ମଧ୍ୟରୁ ୨ଟି ଛାତିଥରା ଉଦାହରଣ ଦେଲେ ଆମେ ଉତ୍ତର ପାଇଯିବା, ମାଆ ତୁମେ କେଉଁଠି? ଦଶମାସ ଦଶଦିନ ଗର୍ଭରେ ଧରି ଗର୍ଭ ଯନ୍ତ୍ରଣା ପାଇ ଜନ୍ମ ଦେଇଥିବା ପୁଅର କାଳ୍ପନିକ କୀର୍ତ୍ତିକୁ ଆଖି ପୂରେଇ ଦେଖ। ସହିବାର ଶେଷ ସୀମାରେ ପହଞ୍ଚି ମାଗିବା ଆଗରୁ ତଥାପି ଆଶୀର୍ବାଦ କରୁଥାଅ। ତୁମେ ପରା ମାଆ। ନିଚ୍ଛକ ସତ୍ୟଘଟଣା, ବ୍ରହ୍ମପୁର ବଡ଼ ସହରରେ ବଡ଼ କୋଠାଘର ବଡ଼ପୁଅର। ବୟସ-୭୨। ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ବାସଗୃହ। ବୃଦ୍ଧା ମାଆର ବୟସ ୯୧ବର୍ଷ। ବାପା କେବେଠାରୁ ସ୍ବର୍ଗଲୋକରେ। ମାଆ ୬ମାସ ବଡ଼ପୁଅ, ଆଉ ୬ ମାସ ସାନପୁଅ ପାଖରେ ରହେ। ସାନ ଭୁବନେଶ୍ବରରେ ବ୍ୟବସାୟ କରନ୍ତି। ଏବେ ସାନପୁଅ ପାଖରେ ଥିବା ମାଆର ସମୟ ୬ମାସ ପୂରିଯିବାରୁ ସେ ବଡ଼ଭାଇ ପାଖକୁ ନେଇ ଯାଇଛି। ବଡ଼ କିନ୍ତୁ ମାଆକୁ ନେବାକୁ ନାରାଜ। ଗତବର୍ଷ କୁଆଡ଼େ ୫ ଦିନ ଆଗରୁ ମାଆକୁ ଆଣି ସାନଭାଇ ବଡ଼ ପାଖରେ ଛାଡ଼ି ଦେଇଥିବାରୁ ‘ତୁମେ ଫେରେଇ ନିଅ, ୫ ଦିନ ପରେ ତାକୁ ଆଣିବ’ କହି ଦୁଇ ଭାଇ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି।
ଶେଷରେ ସାନଭାଇ ମାଆକୁ ବଡ଼ର ଫାଟକ ପାଖରେ ଛାଡ଼ିଦେଇ ପଳାଇଯାଇଛି। ମାଆ ମୁଣ୍ଡ କୋଡ଼ି କାନ୍ଦିକାନ୍ଦି ଗଡ଼ିଯାଉଛି। ବଡ଼ପୁଅ ମା’କୁ କହୁଛି, ‘ତୁ ମରୁନୁ କାହିଁକି? ଏଭଳି କଷ୍ଟ ଆମକୁ ଦେଉଛୁ’। ଏ ଘଟଣା ସେଦିନ ଗଣମାଧ୍ୟମରୁ ଦେଖିବା ପରେ ଯେ କେହି ସ୍ତବ୍ଧ ହୋଇଯିବା ନିଶ୍ଚିତ। ଆଉ ଏକ ଘଟଣା ଉତ୍ତର ପ୍ରଦେଶରେ। ବୁଢ଼ୀ ମାଆ ବେମାର ପଡ଼ିଛି। ଖଟିଆ ବିଛଣାରେ ଝାଡ଼ା ହୋଇଯାଉଛି। ପୁଅ ବୋହୂ ବାରମ୍ବାର ବିରକ୍ତ ହୋଇ ମାଆକୁ ଗୋଇଠା ମାରି ତଳକୁ ଗଡ଼ାଇ ଦେଇଛନ୍ତି। ଫୁଟବଲ୍‌ ଖେଳିଲା ଭଳି ଦୁହେଁ ମାଆକୁ ​‌େ​‌ଗାଇଠା ମାରି ଚାଲିଛନ୍ତି। ‘ମରିଯାଉନୁ କାହିଁକି’? ଏଭଳି ହୃଦୟ ଥରା ଦୃଶ୍ୟ ଦେଖିବା ପରେ ବାରମ୍ବାର ଆମ ମନରେ ପ୍ରଶ୍ନ ଆସୁଛି ମାଆ କ’ଣ ସତରେ ତୁମେ ମନ୍ଦିରରେ ଅଛ? ଦୃଶ୍ୟ ଦେଖି ତୁମେ କାହିଁକି ନିରବ ରହିଛ? ସେଥିପାଇଁ ତ ସେଦିନ ବୁଢ଼ାବାପାକୁ କୁଡ଼ିଆ ଘରେ ରଖି ମାଟି ଛେଲୁଆରେ ଖାଇବାକୁ ତୁମ ପାଇଁ ସାଇତା ହୋଇ ରହିଥିବା କଥା ତାଙ୍କୁ କହିଥିଲା। ତୁମେ ମୋ ଜେଜେ ପରି ବୁଢ଼ା ହୋଇଗଲେ ମୁଁ କୋଠାଘରେ ରହି ତୁମକୁ ଏଇ ଚାଳଘରେ ରଖି ଏଇ ସାଇତା ହୋଇଥିବା ମାଟି ଛେଲୁଆରେ ଖାଇବାକୁ ଦେବି। ନାତି କେବଳ ତା’ ବାପର ନୁହେଁ ସାରା ସମାଜର ଏଭଳି କୁପୁତ୍ରମାନଙ୍କର ମୁଖା ଖୋଲି ଦେଇଥିଲା ଏ ଘଟଣା ମାଧ୍ୟମରେ। ଯେଉଁମାନେ ଏଭଳି କୁକର୍ମରେ କର୍ମଲିପ୍ତ। ତୁମର କଲାକର୍ମରୁ ଜନ୍ମଦାତ୍ରୀ ମାଆ ବାପା ଆଜି ଜରାଶ୍ରମରେ ଶଢ଼ୁଛନ୍ତି। ସେମାନଙ୍କର ଆଖିର ଲୁହ ଯେ ଅଭିଶାପ ପାଲଟିଯିବ। ଏଥିପ୍ରତି ସାବଧାନ। ତୁମର ଖରାପ ବେଳା ଆସନ୍ନ। ଅର୍ଥ, ଅହଂକାର, ଅମାନୁଷିକ ଅମାନବୀୟ ଚରିତ୍ରର ଖଳନାୟକ ପୁଅବୋହୂମାନଙ୍କ ପାଇଁ ଭୟଙ୍କର ଦୁଃସମୟ ଆସୁଛି। ଯେମିତି କର୍ମ କରିଛ ତା’ର ୨ ଗୁଣା ଫଳ ପାଇବ ତୁମ ପୁଅମାନଙ୍କଠାରୁ। ସେଦିନ ଜାଣିବ ନିଜ ପୁଅ ତୁମ ପାଇଁ ଲୁଚେଇ ରଖିଥିବାମାଟି ଛେଲୁଆର କରାମତି କେତେ? ହେ ଈଶ୍ବର ଏଭଳି ପୁତ୍ରବଧୂମାନଙ୍କୁ କଳଙ୍କିତ କର୍ମରୁ ନିବୃତ୍ତ ରହିବାକୁ ସତ୍‌ଜ୍ଞାନ, ସତ୍‌ବୁଦ୍ଧି, ସମୃଦ୍ଧ ମାନସିକତା ପ୍ରଦାନ କରନ୍ତୁ।
ତଥାପି ସମୟ ଅଛି। ଏଠି ମଣିଷପଣିଆ, ନୈତିକତା, ମାନବିକ ମୂଲ୍ୟବୋଧ ନାମରେ ଖାଲି ମିଛ ଭାଷଣ ନଦେଇ ବାଲ୍ୟ କାଳରୁ ବାପା, ମାଆ, ଭାଇ, ଭଉଣୀ, ଭାଇ ବନ୍ଧୁକୁଟୁମ୍ବ ଆତ୍ମୀୟସ୍ବଜନଙ୍କର ପାରସ୍ପରିକ ସମ୍ପର୍କକୁ ନିବିଡ଼ ଭାବେ ଜଡ଼ିତ କରି ପାରିଲେ ଏବଂ ନିଜ ମାଆ ବାପାଙ୍କ ପ୍ରତି ସ୍ବତନ୍ତ୍ର କର୍ତ୍ତବ୍ୟବୋଧ ସହିତ ଅଧିକ ଯତ୍ନଶୀଳ ହେଲେ ସେଇ ମୃଣ୍ମୟ ମୂର୍ତ୍ତିରୁ ମଧ୍ୟ ଆଶୀର୍ବାଦର ବର୍ଷା ଝରି ପଡ଼ିବ। ସୁସ୍ଥ ପରମ୍ପରା ଓ ଆଦର୍ଶ ସମାଜଗଠନ ଦିଗରେ ଆ‌େ​‌ମ୍ଭମାନେ ସମର୍ଥ ହାସଲ ପୂର୍ବକ ସତ୍ୟଶିବ, ସୁନ୍ଦର ପୃଥିବୀଟିଏ ଗଢ଼ିବାକୁ ସକ୍ଷମ ହୋଇପାରିବା।

ଶଶଧର ମହନୀ,

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ, ଭଦ୍ରକ
ଦୂରଭାଷ:୭୯୭୮୫୦୬୬୪୭

Comments are closed.