ବିକାଶ ବିରୋଧୀଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ

ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ କର୍ମୀଙ୍କୁ ଆହ୍ବାନ

ଜନସମ୍ପର୍କ ପଦଯାତ୍ରାରୁ ନବୀନଙ୍କ ନିଶାଣ

ଭୁବନେଶ୍ବର :  ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି। ବିକାଶରେ ବାଧା ସୃଷ୍ଟି କରିବାରେ ସେମାନଙ୍କୁ ଆନନ୍ଦ ମିଳୁଛି। ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ଏବେ ସେମାନଙ୍କ କାମ ହୋଇଯାଇଛି। ନିର୍ବାଚନ ଆସିଲେ ବିରୋଧୀ ଭିତ୍ତିହୀନ କାର୍ଯ୍ୟ କରିଥାନ୍ତି। ଜନତା ସେଥିପାଇଁ ସେମାନଙ୍କୁ ସବୁବେଳେ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ଓଡ଼ିଶାବାସୀ ବିରୋଧୀ ଦଳଙ୍କ ଏହି ଜନବିରୋଧୀ ଓ ବିକାଶ ବିରୋଧୀ ରଣନୀତିକୁ ଭଲ ଭାବେ ବୁଝିଛନ୍ତି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ବନ୍ଦ କରିବାକୁ ଯେଉଁମାନେ ଚେଷ୍ଟା କରୁଛନ୍ତି, ଚକ୍ରାନ୍ତ କରୁଛନ୍ତି; ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେନାହିଁ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ଗଡ଼ରେ ଏହାର ଶୁଭାରମ୍ଭ କରିବା ସହ ମଞ୍ଚରୁ ବିରୋଧୀଙ୍କୁ ନିଶାଣ କରିଛନ୍ତି ନବୀନ। ଆୟୋଜିତ ସଭାକୁ ସମ୍ବୋଧିତ କରି ସେ କହିଥିଲେ, ଲୋକଙ୍କ ଅଭିଯୋଗର ସମାଧାନକୁ ଯେଉଁମାନେ ବିରୋଧ କରୁଛନ୍ତି, ଲୋକେ ସେମାନଙ୍କୁ କେବେ କ୍ଷମା ଦେବେନି। ଆମର କର୍ମୀ ଭାଇ ଭଉଣୀମାନେ ବିକାଶର ବାର୍ତ୍ତାକୁ ରାଜ୍ୟର ଘରେ ଘରେ ପହଞ୍ଚାଇବା ପାଇଁ କାମ କରନ୍ତୁ। ଘରେ ଘରେ ଶଙ୍ଖର ଜୟଘୋଷ ପାଇଁ ସମସ୍ତେ ମିଶି କାମ କରିବାକୁ ସେ ଆହ୍ବାନ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନବୀନ କହିଥିଲେ, ଗାନ୍ଧିଜୀ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହିଆସିଛନ୍ତି। ସମାଜର ସବୁଠାରୁ ଗରିବ ଓ ଦୁର୍ବଳ ଲୋକର ସନ୍ତୋଷ ହିଁ ଗଣତନ୍ତ୍ରର ବଡ଼ ସଫଳତା। ଜନଜୀବନରେ କାର୍ଯ୍ୟ କରୁଥିବା ଆମ ସମସ୍ତଙ୍କ ପାଇଁ ଗାନ୍ଧିଜୀଙ୍କ ପରଶମଣି ବାଟ ଦେଖାଇ ଆସୁଛି। ସାଧାରଣ ଲୋକର ଖୁସି ଆମର ସବୁଠାରୁ ବଡ଼ ଖୁସି। ବିଜୁ ଜନତା ଦଳ ଗରିବ ଲୋକ, ମା’ମାନଙ୍କ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି। ବିଏସ୍‌କେୱାଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛି। ୫-ଟି ବିଦ୍ୟାଳୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମଧ୍ୟରେ ଥିବା ତାରତମ୍ୟ ଦୂର କରିଛି। ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ସେମାନଙ୍କ ହକ୍ ଦେବା ବିଜୁ ବାବୁଙ୍କ ସ୍ବପ୍ନ ଥିଲା। ଖୁସିର କଥା ଆଜି ମା’ ମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ଆଇନ ଆସିଲା। ଆମର ବହୁ ଦିନର ଦାବି ପୂରଣ ହେଲା। ଓଡ଼ିଶା ଆଜି ରୂପାନ୍ତରଣ କ୍ଷେତ୍ରରେ ଆଗେଇ ଚାଲିଛି। ଏ ରୂପାନ୍ତରଣ ସାଧାରଣ ଲୋକର ଆତ୍ମବିଶ୍ବାସ ବୃଦ୍ଧି କରିଛି। ଏକ ଆକାଂକ୍ଷୀ ଓଡ଼ିଶା ଗଠନ ପାଇଁ ଶକ୍ତି ଦେଇଛି ବୋଲି ସେ କହିଛନ୍ତି।
ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ କେବଳ ଦେଶ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସିତ। ଆଗାମୀ ନିର୍ବାଚନରେ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେବାକୁ ସେ ଆହ୍ବାନ କରିଥିଲେ। ବିଏମ୍‌ସି ମେୟର ସୁଲୋଚନା ଦାସ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଯୋଗୁଁ ମହିଳା ସଂରକ୍ଷଣ ଆଇନରେ ପରିଣତ ହୋଇଛି। ବିକାଶର ଯାତ୍ରା ୫-ଟି ଜରିଆରେ ଜାରି ରହିଛି। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କରନ୍ତି। ଘର ଦୁଆରମୁହଁରେ ସମସ୍ତ ସେବା ପହଞ୍ଚୁଛି। ଭୁବନେଶ୍ବର ଜିଲା ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ କହିଥିଲେ, ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ଜନସମ୍ପର୍କ ପଦଯାତ୍ରାର ମୂଳଲକ୍ଷ୍ୟ। ଲୋକଙ୍କ ସହିତ ସବୁବେଳେ ଜଡ଼ିତ ହୋଇରହିବା। ବିଜେଡିର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ୨୬ ବର୍ଷରେ ବିଜେଡି ପହଞ୍ଚିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ ବାଧା ଅତିକ୍ରମ କରି ଓଡ଼ିଶା ଆଗେଇ ଚାଲିଛି। ସବୁବର୍ଗର ବିକାଶ ପାଇଁ ସେ କାମ କରୁଛନ୍ତି। ଯାହା ଅପପ୍ରଚାର ହେଉ କିମ୍ବା ଅବିଚାର; ଏକ ହୋଇ ଆମେ ବିକାଶର ଲଢ଼େଇ ଜାରି ରଖିବୁ। ଏହି କାର୍ଯ୍ୟକ୍ରମରେ ସାଂସଦ ସୁଲତା ଦେଓ, ଅମର ପଟ୍ଟନାୟକ, ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଜନସମ୍ପର୍କ ପଦଯାତ୍ରା ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ କରାଯିବ। ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ସେହିପରି ଅକ୍ଟୋବର ୧୨ରୁ ମାସେବ୍ୟାପୀ ଦଳର ସକ୍ରିୟ ସଦସ୍ୟ/ସଦସ୍ୟାଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲା ପରିଷଦ ଜୋନ୍‌ସ୍ତରୀୟ ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ ହେବ। ପ୍ରତ୍ୟେକ ୱାର୍ଡରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ। ଏହାସହିତ ରକ୍ତଦାନ, ଚାରାରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ। ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପାଳନ ହେବ। ଏହି ଅବସରରେ ମହାନ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ।

Comments are closed.