କେନାଲ ପାଣି ନ ପହଞ୍ଚି ଜମି ପଡିଆ,ଆନ୍ଧ୍ର ଯାଉଛି ପାଣି :ପୂର୍ବତନ ବାଚସ୍ପତି
ପାତ୍ରପୁର : ଚଳିତ ବର୍ଷ ଖରିଫ ଋତୁଧାନ ଚାଷ ଶେଷ ହେବାକୁ ବସିଥିବା ବେଳେ ବର୍ତମାନ ସୁଦ୍ଧା ପୁରିଆ ସାହି କେନାଲ ପଥ ସଫା ହୋଇ ନଥିବାରୁ ତଳ ଅଂଶରେ ଥିବା ବହୁ ଚାଷ ଜମିକୁ ପାଣି ନପହଞ୍ଚି ପଡିଆ ପଡିଛି। ଯାହାକି ବିଭାଗୀୟ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପାଣି ପଞ୍ଚାୟତ ଗଠନ ହୋଇ ନଥିବାରୁ ଏହି ପରି ଘଟିଲା ବୋଲି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଅଭିଯୋଗ କରିଛନ୍ତି ।
ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତ ପୁରିଆସାହି ଠାରେ ଥିବା ମହେନ୍ଦ୍ର ତନୟା କ୍ଷୁଦ୍ର ଜଳସେଚନ ଯୋଜନା ଗତ ତିତଲି ବେଳେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିଲା। ଏହା ପରେ ବହୁ ଦାବୀ ସତ୍ତ୍ବେ ସରକାର ନଦୀରେ ଡାଇଭରସନ ବନ୍ଧ ସିମେଣ୍ଟରେ ନିର୍ମାଣ ସହିତ କେନାଲ ପଥ ସିମେଣ୍ଟ ଲାଇଲିଙ୍ଗ ପାଇଁ ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର କରିଥିଲେ। ତେବେ ଏହି ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବାରୁ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଥିବା ବେଳେ ବର୍ଷା ହେଲେ ପାଣି କେନାଲରେ ନ ଆସି ଆନ୍ଧ୍ରକୁ ଚାଲି ଯାଉଥିବା ନେଇ ଶ୍ରୀ ସାମନ୍ତରାଙ୍କ ସମେତ ବହୁ ଚାଷୀ ବିଭିନ୍ନ ବିଭାଗକୁ ଜଣାଇ ପ୍ରତିକାର କରିବା ପାଇଁ ଦାବୀ କରିଛନ୍ତି। କେନାଲ ତଳ ଅଂଶ ଦେଶରୀ ନିକଟରେ ବର୍ତ୍ତମାନ ସୁଦ୍ଧା କେନାଲ ସଫା ନହେବା ଯୋଗୁଁ ପାଣି ପହଞ୍ଚି ନଥିବାରୁ ବହୁ ଚାଷ ଜମି ପଡିଆ ପଡିଛି । ପୁରିଆସାହି କ୍ଷୁଦ୍ର ଜଳସେଚନ ଯୋଜନା ୩୦ ବର୍ଷ ପୂର୍ବେ ମହେନ୍ଦ୍ର ତନୟା ନଦୀରେ ନିର୍ମାଣ ହୋଇ ତୁମ୍ବା ସାମନ୍ତରାପୁର, ଜରଡା ଆମ୍ବପୁର , ବାଦପୁର, ପାତ୍ରପୁର ପ୍ରଭୃତି ପଞ୍ଚାୟତର ୯୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ହେଉଛି । ଏଥି ପାଇଁ ୨୪.୫୦୦ ମିଟର କେନାଲ ପୂରିଆ ସାହି ଠାରୁ ଦେଶାରୀ ପର୍ଯ୍ୟନ୍ତ ନିର୍ମାଣ କରା ଯାଇଛି । ଗତ ତିତିଲି ବେଳେ ନଦୀରେ ଅଧିକା ପାଣି ଆସିବା ଫଳରେ ପୁରିଆସାହି ପ୍ରକଳ୍ପଟି ଭାଙ୍ଗି ଯାଇଥିଲା । କାମ ସମ୍ପୂର୍ଣ୍ଣ ହୋଇ ନଥିବା ଯୋଗୁଁ ନଦୀ ଜଳ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନ ହେବା ଫଳରେ ପାଣି ଠିକ ଭାବେ ତିନି ବର୍ଷ ହେଲା କେନାଲରେ ଆସିପାରୁ ନାହିଁ । ଚଳିତ ବର୍ଷ ଅଞ୍ଚଳରେ ଭଲ ବର୍ଷା ହୋଇ ନ ଥିବା ଯୋଗୁଁ ବହୁ ଚାଷ ଜମିକୁ ହଳ ଯାଇ ନଥିବା ବେଳେ ଗତ ଲଘୁଚାପ ବର୍ଷା ରେ ଅଞ୍ଚଳର କିଛି ଜମି ପାଣି ହେବା ପରେ ବିହନ ଲୌଟାଇବା ଆଶାରେ ଏବେ ବୁଢ଼ା ତଳି ରୁଆ ଚାଲିଛି।
ତେବେ କେନାଲ ତଳ ଅଂଶ ରେ ଥିବା ଦେଶାରି, ବାଦପୁର, ତିନିଘରିଆ, ବମକେଇ, ପ୍ରଭୁତି ଗ୍ରାମର ତିନିଶହ ରୁ ଉର୍ଦ୍ଧ୍ବ ହେକ୍ଟର ଜମି ଏବେ ପଡିଆ ପଡିଛି। ଏନେଇ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଜଳସେଚନ ବିଭାଗ ସଚିବଙ୍କୁ ଜଣାଇ ଥିବା ପ୍ରକାଶ କରିଛନ୍ତି । ଏହି ସମସ୍ୟା ନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉପର ମୁଣ୍ଡରେ ଚଳିତ ବର୍ଷ ବର୍ଷା ଅଭାବରୁ ପାଣି ତଳ ପର୍ଯ୍ୟନ୍ତ ପହଞ୍ଚି ନଥିବା ବେଳେ ଏହି ବର୍ଷ ବଳକା କାର୍ଯ୍ୟ ଶେଷ ହେବା ଲିଖିତ ଭାବେ ଜଣାଇଛନ୍ତି। ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ବର୍ଷା ହେବା ପରେ ନଦୀରେ ଅଧିକା ପାଣି ଆସିବା ପରେ କେନାଲରେ ୪୬ କ୍ୟୁସେକ ଜଳ ଛଡ଼ା ଯାଇ ଥିବା ବେଳେ ଏବେ ପୁଣି ନଦୀରେ ଜଳ କମିବା ପରେ ଏବେ ୪୦କ୍ୟୁସେକ ପାଣି ଛଡ଼ା ଯାଉଛି। ତେବେ କେନାଲ ତଳ ଅଂଶକୁ ପାଣି ପହଞ୍ଚିଲେ କେନାଲ ସଫା କରାଯିବ ବୋଲି କହିଛନ୍ତି । ଏପରିକି ପାଣି ପଞ୍ଚାୟତ ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ଥିବା କହି ଛନ୍ତି।
Comments are closed.