ଲଘୁଚାପ ପ୍ରଭାବରେ ବର୍ଷା ଜାରି : ୧୧ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୪ ତାରିଖ ଯାଏଁ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ପାଇଁ ୧୧ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ମୁହାଁଇବ। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ସୋରରେ ସର୍ବାଧିକ ୧୧୩ ମି.ମି., ଘସିପୁର ଓ ବାଣପୁରରେ ୯୫ ମି.ମି. ଲେଖାଏଁ, ଭୁବନ, ବୁର୍ଲା ଓ ରଣପୁରରେ ୮୦ ମି.ମି. ଲେଖାଏଁ, ବରି, ପଟ୍ଟାମୁଣ୍ଡାଇ,ଉଦଳା, ବାରପଦା ଓ ଆନନ୍ଦପୁରରେ ୭୦ ମି.ମିରୁ ଅଧିକ ବର୍ଷା ହୋଇଛି।
ଯାଜପୁରରେ ୩୯ ମି.ମି., ପାରଦ୍ବୀପରେ ୩୧.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଆସନ୍ତା ୧ ରୁ ୨ ତାରିଖ ମଧ୍ୟରେ ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ ଏବଂ ମୟୂରଭଞ୍ଜ ପ୍ରଭୃତି ୧୧ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ (୭ରୁ ୨୦ ସେ.ମି) ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କଟକ, ଯାଜପୁର, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦ୍ରାପଡ଼ା ଏବଂ ନୂଆପଡ଼ା ଜିଲାକୁ ପ୍ରବଳ ବର୍ଷା (୭ରୁ୧୧ସେ.ମି) ବର୍ଷା ନେଇ ହଳଦିଆ ସତର୍କତା ଜାରି କରାଯାଇଛି। ୩ରୁ ୪ ତାରିଖ ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ହଳଦିଆ ସତର୍କତା ଜାରି ହୋଇଛି। ଏହାପରେ ବର୍ଷା ପ୍ରଭାବ କମିବ। ବର୍ଷା ସମୟରେ ତଳୁଆ ଅଞ୍ଚଳରେ ଜଳବନ୍ଦୀ, ମାଟି ରାସ୍ତା ଓ ଘର କ୍ଷତିଗ୍ରସ୍ତ ହୋଇପାରେ। ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଚାଷ ଜମିରେ ସାର ନ ପ୍ରୟୋଗ କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଦେଶରେ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଜାରି ରହିଛି। ଶନିବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ କେତେକ ଭାଗ, ପଞ୍ଜାବ ଓ ହରିଆନା-ଚଣ୍ଡୀଗଡ଼-ଦିଲ୍ଲୀରୁ ସମ୍ପୂର୍ଣ୍ଣ, ପଶ୍ଚିମ ଉତ୍ତର ପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ଏବଂ ପଶ୍ଚିମ ରାଜସ୍ଥାନର କେତେକ ଭାଗରୁ ମୌସୁମୀ ବାୟୁ ଅପସାରଣ କରିଛି।

Comments are closed.