ହୀରାକୁଦ ନଦୀବନ୍ଧ : ଜାମ୍‌ ହେଲାଣି ରନ୍ଧ୍ର, ଗ୍ୟାଲେରୀରେ ପାଣି ସୁଅ

କାମ କରୁନି ମୋଟର ପମ୍ପ

ବୁର୍ଲା : ପୂର୍ଣ୍ଣଗର୍ଭା ହୋଇଛି ହୀରାକୁଦ ନଦୀବନ୍ଧ । ଏସିଆର ଏହି ସର୍ବବୃହତ ମାଟିବନ୍ଧ ତାର ସର୍ବୋଚ୍ଚ ଜଳଧାରଣ କ୍ଷମତାକୁ ପହଞ୍ଚି ଯାଇଛି। ତେବେ ଏହି ନଦୀବନ୍ଧର ସୁରକ୍ଷା ଦୃଷ୍ଟିକୋଣରୁ ଅନ୍ୟତମ ସମ୍ବେଦନଶୀଳ ସ୍ଥାନ ଫାଉଣ୍ଡେସେନ ଗ୍ୟାଲେରୀ ସ୍ଥିତି ଦୟନୀୟ। ଏଠାରେ ରହିିଥିବା ରନ୍ଧ୍ର ଦିନକୁ ଦିନ ବୁଜି ହୋଇ ପଡୁଥିବାରୁ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ପାରୁନାହିଁ। ଫଳରେ ବନ୍ଧ ଉପରେ ଚାପ ଆଶଙ୍କା ରହିିଛି। ସେହିପରି ଗ୍ୟାଲେରୀ ମଧ୍ୟରେ ଜଳପ୍ରବାହ ଦେଖିବାକୁ ମିଳୁଥିବାବେଳେ ଏଠାରେ ରହିଥିବା ମୋଟର ପମ୍ପଗୁଡିକ ଠିକ୍‌ ଭାବେ କାମ କରୁ ନାହିଁ। ବହୁ ମୋଟର ପମ୍ପ ଡାଇରେକ୍ଟ ହୋଇଯାଇଥିବାରୁ ଏହା କେତେବେଳେ ମଧ୍ୟ ବିପଦ ସୃଷ୍ଟି କରିବ ବୋଲି କର୍ମଚାରୀମହଲରେ ଆଶଙ୍କା ବ୍ୟକ୍ତ କରାଯାଇଛି। ଏନେଇ ଗତ କିଛିଦିନ ତଳେ ଶ୍ରମିକ ଅଶାନ୍ତି ଦେଖା ଦେଇଥିବାବେଳେ ସେମାନେ ଏନେଇ ବନ୍ଧ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିିଥିବା ଜଣାପଡିଛି। ଫାଉଣ୍ଡେସନ ଗ୍ୟାଲେରୀର ତୁରନ୍ତ ରକ୍ଷଣାବେକ୍ଷଣ କରାଯିବାକୁ କର୍ମଚାରୀ ଦାବି କରିଛନ୍ତି। ବୁର୍ଲା ମୁଖ୍ୟବନ୍ଧ ବିଭାଗ ସ୍ଥାୟୀ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୧୨ ଶହରୁ ଖସିଆସି ୨୦ରେ ପହଞ୍ଚିଲାଣି। ବନ୍ଧ ରକ୍ଷଣାବେକ୍ଷଣରେ ବେପରୁଆ ନୀତି ୭ ଦଶକର ଏହି ବନ୍ଧର ଅବସ୍ଥାକୁ ଚିନ୍ତାଜନକ ସ୍ଥିତିରେ ପହଞ୍ଚାଇ ଦେଇଥିବା କୁହାଯାଉଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ ନିକଟବର୍ତ୍ତୀ ହୋଇଯିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ବନ୍ଧ କର୍ତ୍ତୃପକ୍ଷ। ଏପରିକି ଅତିରିକ୍ତ ସ୍ପିଲ ୱେର ଅଧିକ୍ଷଣ ଯନ୍ତ୍ରୀଙ୍କଠାରୁ ମେକାନିକାଲ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଅନେକ ସମୟ ପର୍ଯ୍ୟନ୍ତ ଫାଟକ ନିକଟରେ ରହି ଏହାର ପରିଚାଳନା ପ୍ରତି ନଜର ରଖିଛନ୍ତି। ଗତ ଦୁଇଦିନ ତଳେ ପ୍ରାୟ ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି କ୍ରେଷ୍ଟ ଫାଟକ ଆଂଶିକ ଖୋଲା ରଖାଯାଇଥିଲା ଏବଂ ପୁଣି ୭ଟି ସ୍ଲୁଇସ ଫାଟକ ଖୋଲାଯାଇଥିଲା। ଫଳରେ ଫାଉଣ୍ଡେସନ ଗ୍ୟାଲେରୀ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ସେଠାରେ ରହିଥିବା ବିଶାଳ ପାଇପ ମାନ ଫାଟି ଯାଇଥିବା ଫଳରେ ଅନେକ ମାତ୍ରାରେ ପାଣି ଗ୍ୟାଲେରୀ ମଧ୍ୟରେ ପ୍ରବାହିତ ହେବା ସହିତ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା।
ସୂଚନା ଥାଉକି, ଫାଉଣ୍ଡେସନ ଗ୍ୟାଲେରୀରେ ରନ୍ଧ୍ରମାନ ଗତ ୨୦୧୫ ମସିହାରୁ ସଫା କରାଯାଇ ନ ଥିବା ଜଣାପଡିଛି। ଏଠାରେ ରନ୍ଧ୍ରମାନ ହୀରାକୁଦ ବନ୍ଧର ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ଭଳି କାର୍ଯ୍ୟ କରିଥାଏ। ପ୍ରାୟ ୨୫୬ ରନ୍ଧ୍ର ଫାଉଣ୍ଡେସନ ଗ୍ୟାଲେରୀର ନିବୁଜ ପ୍ରାୟ ହୋଇ ରହିଛି। ତେବେ ବନ୍ଧର ସ୍ଥିତି ପ୍ରତି ଦୃଷ୍ଟି ରଖାଯାଇଛି; ବନ୍ଧ ପୂର୍ଣ୍ଣଗର୍ଭା ହୋଇଯିବା ପରେ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.