ଆଠଗଡ : ଆଠଗଡ ଏନଏସିର ପୂର୍ବତନ ଉପନଗରପାଳ ତଥା ରାଧାନାଥପୁର ଶାସନ ନିବାସୀ ଶ୍ରଦ୍ଧାନନ୍ଦ ତ୍ରିପାଠୀଙ୍କ ସହଧର୍ମିଣୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀ (୭୫)ଙ୍କର ଗୁରୁବାର ପରଲୋକ ହୋଇଯାଇଛି । ରୋଗରେ ପୀଡିତ ଥାଇ ନିଜ ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୯୦ ଦଶକରେ ସେ ଉପନଗରପାଳ ଭାବେ ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ବ ସମ୍ପାଦନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ, ବଡପୁଅ ତଥା ଆଠଗଡ ଓକିଲ ସଂଘ ସଭାପତି ଓ ବିଜେପିର ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀଙ୍କ ସମେତ ଅନ୍ୟ ୩ ପୁଅ, ବୋହୁ, ଝିଅ, ଜ୍ବାଇଁ, ନାତିନାତୁଣୀ, ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ଶୁଣି ଲୋକସେବକ ମଣ୍ଡଳର ଓଡ଼ିଶା ଶାଖା ଅଧ୍ୟକ୍ଷ, ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ବିଭୂତି ଭୂଷଣ ମିଶ୍ର, ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ, ଓକିଲ ସଂଘ ସମ୍ପାଦକ ବନବିହାରୀ ସାହୁ, ଏଟିବିଏନ ଓକିଲ ସଂଘ ସଭାପତି ଫଣୀଭୂଷଣ ରଥଙ୍କ ସମେତ ବହୁ ଆଇନଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ରାଧାନାଥପୁର ଶାସନ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଆଠଗଡ ଶ୍ମଶାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡପୁଅ ଜଗଦାନନ୍ଦ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ।
Comments are closed.