ପଞ୍ଚଭୂତରେ ଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର
ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅନ୍ତିମ ସଂସ୍କାର
ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ଓ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର। ଦିଗପହଣ୍ଡିରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅନ୍ତିମ ସଂସ୍କାର କରାଯାଇଛି। ଶହ ଶହ ଶୋକାକୁଳ ଜନତା ତାଙ୍କ ପ୍ରିୟ ନେତା ସୂର୍ଯ୍ୟ ପାତ୍ରଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି। ବାପା ସୂର୍ଯ୍ୟଙ୍କୁ ମୁଖାଗ୍ନି ଦେଇଛନ୍ତି ପୁଅ ବିପ୍ଲବ ପାତ୍ର। ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଗତକାଲି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଥିଲା। ଆଜି ସକାଳେ ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଭିନ୍ନ ଦଳର ବିଧାୟକ, ବିଧାନସଭା କାର୍ଯ୍ୟାଳୟର କର୍ମଚାରୀ ତାଙ୍କୁ ଶ୍ରଦ୍ଧାସୁମନ ଦେଇଥିଲେ। ଶୋକାକୂଳ ପରିବେଶରେ ସମସ୍ତେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭା ପରିସରରୁ ବିଦାୟ ଦେଇଥିଲେ।
ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଶାଳ ଶୋଭାଯାତ୍ରାରେ ନିଜର ଜନ୍ମମାଟି ଦିଗପହଣ୍ଡିକୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ପ୍ରିୟ ନେତାଙ୍କୁ ବିଦାୟ ଜଣାଇଥିଲେ। କପାମଣ୍ଡି ନିକଟ ପଢ଼ିଆରେ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ଦିଗପହଣ୍ଡିସ୍ଥିତ କପାମଣ୍ଡି ପାର୍ଶ୍ବରେ ଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୈତୃକ ଜମି ପଡିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଗତକାଲି ୭୫ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଶଙ୍ଖ ଭବନରେ ନେତା, ମନ୍ତ୍ରୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ପରେ ବିଧାନସଭା ପରିସରକୁ ମରଶରୀରକୁ ନିଆଯାଇଥିଲା । ସେଠାରେ ଗାର୍ଡଅଫ ଅନର ଦେବା ପରେ ଶେଷକୃତ୍ୟ ପାଇଁ ଦିଗପହଣ୍ଡିକୁ ନିଆଯାଇଥିଲା ।
Comments are closed.